ବଲାଙ୍ଗୀରରେ ବର୍ଷା ବିତ୍ପାତ: ଅନେକ ଅଞ୍ଚଳ ଜଳବନ୍ଦୀ, ବୁଡ଼ିଗଲା ମା' ପଟନେଶ୍ବରୀଙ୍କ ମୂର୍ତ୍ତି

By

Published : Aug 2, 2023, 7:53 PM IST

thumbnail

ବଲାଙ୍ଗୀର: ଜିଲ୍ଲାରେ ଗତକାଲିଠାରୁ ତୁହାକୁ ତୁହା ବର୍ଷା ଲାଗି ରହିଛି । ଆଜି ଏହାର ପରିମାଣ ବଢ଼ିଥିବାବେଳେ ପାଣିପାଗ ବିଭାଗ ଆଜି ପାଇଁ ରେଡ୍‌ ଆଲର୍ଟ ଜାରି କରିଛି । ଜିଲ୍ଲାରେ ଏପର୍ଯ୍ୟନ୍ତ ୧୭୦ରୁ ୨୦୦ ମିମି ବର୍ଷା ରେକର୍ଡ କରାଯାଇଛି । ସେପଟେ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ଅନ୍ୟପଟେ ବର୍ଷା ପାଣିରେ ସାରା ସହର ଉବୁଟୁବୁ ହେଉଛି । ତଳିଆ ଅଞ୍ଚଳରେ ପାଣି ଜମି ରହିଥିବାବେଳେ ଅନେକ ନଦୀରେ ପାଣି ବିପଦ ରେଖା ଉପରେ ପ୍ରବାହିତ ହଉଛି । ସେହିପରି ଅନେକ ରାସ୍ତାରେ ପାଣି ଚାଲୁଥିବାରୁ ବିଭିନ୍ନ ଅଞ୍ଚଳ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି ।

ଲଗାଣ ବର୍ଷାରେ ବଲାଙ୍ଗୀର ବେହାଲ: ଜିଲ୍ଲାରେ ଗତକାଲିଠାରୁ ଲାଗି ରହିଥିବା ବର୍ଷାର ପରିମାଣ ଆଜି ବୃଦ୍ଧି ପାଇଛି । ସେପଟେ କାଲି ଦିନ ଓ ରାତି ତମାମ ବର୍ଷାରେ ବଲାଙ୍ଗୀର ଜିଲ୍ଲା ଅନେକ ପ୍ରଭାବିତ ହୋଇଛି । ବିଶେଷ କରି ତଳିଆ ଅଞ୍ଚଳରେ ପାଣି ଜମି ରହିଛି । ଯାହାଦ୍ବାରା ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ସେହିପରି ଅନେକ ସ୍ଥାନରେ ପାଣି ରାସ୍ତା ଉପରେ ଚାଲୁଥିବାରୁ ରାସ୍ତା ସବୁ ବିଚ୍ଛିନ୍ନ ହୋଇଛି । ଏହାଛଡା ବଲାଙ୍ଗୀର ଜିଲ୍ଲାରେ ପ୍ରବାହିତ ହେଉଥିବା ତେଲ ନଦୀ, ସଙ୍ଗୋଡ ନଦୀ, ଅଙ୍ଗ ନଦୀ, ସୁକ୍‌ତେଲ୍ ନଦୀ ପ୍ରଭୃତି ଫୁଲିବାରେ ଲାଗିଛି । ସେହିପରି ବଲାଙ୍ଗୀର ଗୁଡଭେଲା ବ୍ଲକରେ ତେଲ ନଦୀ ପାଣି ରାସ୍ତା ଉପରେ ଯାଉଥିବାରୁ ଗୁଡଭେଲା ରାସ୍ତାରେ ଯାତାୟାତ ବନ୍ଦ ରହିଛି । ସମାନ ଭାବରେ ନଦୀ ସହ ଅନେକ ନାଳ ଗୁଡ଼ିକରେ ମଧ୍ୟ ବନ୍ୟା ପାଣି ଯାଉଥିବାରୁ ଅନେକ ସ୍ଥାନରେ ରାସ୍ତା ବିଚ୍ଛିନ୍ନ ହୋଇଛି । ଅନେକ ଗାଁ ଗଣ୍ଡା ଏବେବି ପାଣି ଘେରରେ ରହିଛି । ଲଗାଣ ବର୍ଷାରେ ବଲାଙ୍ଗୀର, ଗୁଡ଼ଭେଲା, ଆଗଲପୁର, ଲୋଇସିଂହା, ପୁଇଁତଳା ଆଦି ବ୍ଲକ ବିଶେଷ ଭାବରେ ପ୍ରଭାବିତ ହୋଇଛି । 

ପାଣିରେ ବୁଡ଼ିଲା ମା' ପଟନେଶ୍ବରୀଙ୍କ ମୂର୍ତ୍ତି: ସେହିପରି ବଲାଙ୍ଗୀର ସହରର ମଧ୍ୟ ସମାନ ପରିସ୍ଥିତି । ଏଠି ମଧ୍ୟ ସବୁ ମୁଖ୍ୟ ରାସ୍ତାଘାଟରେ ଆଣ୍ଠୁଏ ପାଣି ଜମି ରହିଛି । ବଲାଙ୍ଗୀର ମା' ପଟନେଶ୍ବରୀଙ୍କ ମନ୍ଦିର ମଧ୍ୟରେ ଆଣ୍ଠୁଏ ପାଣି ଜମିଥିବା ବେଳେ ମା'ଙ୍କ ଗମ୍ଭୀରା ମୂର୍ତ୍ତି ପାଣିରେ ବୁଡି ଯାଇଛି । ସେହିପରି ଏଠିକାର ଗୋପାଳଜୀ ମନ୍ଦିରରେ ମଧ୍ୟ ଆଣ୍ଠୁଏ ପାଣି ଜମି ରହିଛି । ଏହାଛଡା ସହରର ରାଜୀବ ନଗର, ତୁଳସୀ ନଗର, ମାଲପଡା, ତାଳପାଳି ପଡା, ବରପାଲି ପଡା, ଚିମନୀ ଭାଟି ପଡା, ଶାନ୍ତି ପଡା ଭଳି କିଛି ଅଞ୍ଚଳର ତଳିଆ ଅଞ୍ଚଳରେ ପାଣି ଲୋକଙ୍କ ଘର ଓ ଦୋକାନରେ ପଶିଛି । ସେପଟେ ଏସବୁକୁ ଦୃଷ୍ଟିରେ ରଖି ଆଜି ବଲାଙ୍ଗୀର ଜିଲ୍ଲାପାଳ ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ଘୋଷଣା କରିଛନ୍ତି । ପ୍ରଶାସନିକ ଅଧିକାରୀ, ପୌର ଅଧିକାରୀ, ପୋଲିସ୍ ଓ ଅଗ୍ନିଶମ ବିଭାଗ ଏବେ ତତ୍ପର ହେବାସହ ପାଣି ଘେରରେ ଥିବା ଅଞ୍ଚଳରୁ ପାଣି ନିଷ୍କାସନ ସହ ଲୋକଙ୍କୁ ସାହାଯ୍ୟ ଯୋଗାଇ ଦେଉଛନ୍ତି । ତେବେ ଏହି ବଡ଼ ବର୍ଷାରେ ବିଶେଷ କୌଣସି ବଡ଼ କ୍ଷତି ଏଯାଏଁ ସାମ୍ନାକୁ ଆସିନାହିଁ । ତଥାପି ସମ୍ଭାବ୍ୟ ବନ୍ୟା ସ୍ଥିତି ପାଇଁ ପ୍ରଶାସନ ସଜାଗ ଥିବା ସହ ଲୋକଙ୍କୁ ମଧ୍ୟ ସଚେତନ କରିଛି ।

ଏହା ମଧ୍ୟ ପଢ଼ନ୍ତୁ...ପ୍ରବଳ ବର୍ଷାରେ ଜିଲ୍ଲାର ବିଭିନ୍ନ ସ୍ଥାନ ଜଳମଗ୍ନ, ମୁକାବିଲା ପାଇଁ ପ୍ରଶାସନ ସଜାଗ

ବନ୍ୟା ସମ୍ଭାବନା ନାହିଁ କହିଲେ ଜିଲ୍ଲାପାଳ: ତେବେ ମା' ପଟନେଶ୍ବରୀଙ୍କ ମନ୍ଦିରରେ ପାଣି ପଶି ମା'ଙ୍କ ମୂର୍ତ୍ତି ବୁଡ଼ିଯିବା ପରେ ଏନେଇ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ସେପଟେ ଏନେଇ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା କହିଛନ୍ତି, "ବଲାଙ୍ଗୀରରେ ରେଡ଼ ଆଲର୍ଟ ଥିଲା । ଗତକାଲିଠାରୁ ଏଠାରେ ପ୍ରବଳ ବର୍ଷା ହେଉଛି । ସେହିପରି ଆଜି ମଧ୍ୟ ଏହି ବର୍ଷା ଲାଗି ରହିବ । ତେବେ ଜିଲ୍ଲା ପ୍ରଶାସନ, ସମସ୍ତ ବ୍ଲକ ପ୍ରଶାସନ, ପୌରପରିଷଦ ଓ ଅଗ୍ନିଶମ ମିଳିତ ଭାବରେ କାମ କରୁଛନ୍ତି । କିଛି ସ୍ଥାନରେ କିଛି ରାସ୍ତା ବିଛିନ୍ନ ହୋଇଥିବାବେଳେ ତାହା ଶୀଘ୍ର ଠିକ ହୋଇଯିବ । କିଛି ଅଞ୍ଚଳରେ ପାଣି ଜମିଥିବାରୁ ସେଠିକାର ଲୋକଙ୍କୁ ରନ୍ଧା ଖାଦ୍ୟ ସହ ରିଲିଫ ଯୋଗାଇ ଦିଆଯାଉଛି ।" ତେବେ ବର୍ତ୍ତମାନ ସୁଦ୍ଧା ବଲାଙ୍ଗୀର ଜିଲ୍ଲାରେ ସେପରି କୌଣସି ବଡ଼ ବନ୍ୟା ସମ୍ଭାବନା ନଥିବା ସେ କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.