ETV Bharat / international

ସ୍ଲୋଭାକିଆ ପ୍ରଧାନମନ୍ତ୍ରୀଙ୍କୁ ଗୁଳିମାଡକୁ ମୋଦିଙ୍କ ନିନ୍ଦା, ଆଶୁଆରୋଗ୍ୟ କାମନା କଲେ - PM MODI ON SLOVAKIA PM

author img

By ETV Bharat Odisha Team

Published : May 16, 2024, 11:04 AM IST

Slovakia PM Robert shot: ଆକ୍ରମଣକୁ ନିନ୍ଦା କରିବା ସହ ଆଶୁଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ ମୋଦି । ଗତକାଲି ସଂଧ୍ୟାରେ ହୋଇଥିଲା ହତ୍ୟା ଉଦ୍ୟମ । ଏବେବି ଅବସ୍ଥା ସଙ୍କଟାପନ୍ନ । ଅଧିକ

ସ୍ଲୋଭାକିଆ ପ୍ରଧାନମନ୍ତ୍ରୀଙ୍କୁ ଗୁଳିମାଡକୁ ମୋଦିଙ୍କ ନିନ୍ଦା, ଆଶୁଆରୋଗ୍ୟ କାମନା କଲେ
ସ୍ଲୋଭାକିଆ ପ୍ରଧାନମନ୍ତ୍ରୀଙ୍କୁ ଗୁଳିମାଡକୁ ମୋଦିଙ୍କ ନିନ୍ଦା, ଆଶୁଆରୋଗ୍ୟ କାମନା କଲେ (PIC- ETV Bharat Odisha)

ନୂଆଦିଲ୍ଲୀ: ସ୍ଲୋଭାକିଆ ପ୍ରଧାନମନ୍ତ୍ରୀ ରବର୍ଟ ଫିକୋଙ୍କୁ ହତ୍ୟା ଉଦ୍ୟମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିନ୍ଦା କରିଛନ୍ତି । ଏହା ସହ ସେ ତାଙ୍କ ଆଶୁଆରୋଗ୍ୟ ମଧ୍ୟ କାମନା କରିଛନ୍ତି । ଟ୍ବିଟ କରି ପ୍ରଧାନମନ୍ତ୍ରୀ ଶୋକବ୍ୟକ୍ତ କରିବା ସହ ଏପରି କଠିନ ସମୟରେ ସ୍ଲୋଭାକିଆ ସହ ଭାରତର ସମର୍ଥନ ରହିଛି ବୋଲି କହିଛନ୍ତି । ଗତକାଲି (ବୁଧବାର) ସଂଧ୍ୟାରେ ସ୍ଲୋଭାକିଆ ପ୍ରଧାନମନ୍ତ୍ରୀ ରବର୍ଟ ଫିକୋଙ୍କୁ ଆତତାୟୀମାନେ ଗୁଳିମାଡ କରିଥିଲେ । ଏକ କ୍ୟାବିନେଟ ମିଟିଂ ସାରି ବାହାରୁଥିବା ସମୟରେ ତାଙ୍କ ଉପରକୁ କେହି ଦୁର୍ବୃତ୍ତ ଅତର୍କିତ ଗୁଳିମାଡ଼ କରିଥିଲା । ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ରହିଛି । ଆକ୍ରମଣରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ସ୍ଥାନୀୟ ପୋଲିସ୍‌ ।

ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟରେ ଲେଖିଛନ୍ତି, ‘‘ପ୍ରଧାନମନ୍ତ୍ରୀ ରବର୍ଟ ଫିକୋଙ୍କ ଉପରେ ହୋଇଥିବା ଆକ୍ରମଣ ସମ୍ପର୍କରେ ଜାଣିବା ପରେ ମୁଁ ଅତ୍ୟନ୍ତ ମର୍ମାହତ । ଏପ୍ରକାର କାର୍ଯ୍ୟକଳାପକୁ ମୁଁ ଦୃଢ ଭାବେ ନିନ୍ଦା କରୁଛି । ପ୍ରଧାନମନ୍ତ୍ରୀ ଫିକୋଙ୍କ ଆଶୁଆରୋଗ୍ୟ କାମନା କରୁଛି । ଏପରି ସମୟରେ ଭାରତ ସ୍ଲୋଭାକିଆ ସହ ଦୃଢତାର ସହ ଛିଡା ହୋଇଛି ।’’

ସ୍ଲୋଭାକିଆ ରାଜଧାନୀ ବ୍ରାଟିସ୍ଲାଭା ଠାରୁ ଉତ୍ତର ପଶ୍ଚିମରେ ୯୦ ମାଇଲ ଦୂର ଥିବା ହାଣ୍ଡଲୋଭା ସହରରେ 59 ବର୍ଷୀୟ ପ୍ରଧାନମନ୍ତ୍ରୀ ଫିକୋଙ୍କ ଉପରେ ଏହି ଆକ୍ରମଣ ହୋଇଥିଲା । ଏକାଧିକ ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରସାରିତ ସୂଚନା ଅନୁସାରେ ସ୍ଲୋଭାକିଆର ଆଭ୍ୟନ୍ତରୀଣ ମନ୍ତ୍ରାଳୟର ମୁଖପାତ୍ର ଏହି ଆକ୍ରମଣକୁ ସ୍ପଷ୍ଟ କରିଛନ୍ତି । ଜଣେ ଆକ୍ରମଣକାରୀ ଗିରଫ ହୋଇଛି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଜାରି ରହିଛି । କେଉଁ କାରଣ ପାଇଁ ଏହି ହତ୍ୟା ଉଦ୍ୟମ କରାଯାଇଛି, ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇପାରିନି ।

ଏହା ମଧ୍ୟ ପଢନ୍ତୁ:- ସ୍ଲୋଭାକିଆ ପ୍ରଧାନମନ୍ତ୍ରୀଙ୍କୁ ଆତତାୟୀଙ୍କ ଗୁଳିମାଡ, ସ୍ଥିତି ସଙ୍କଟାପନ୍ନ ! - Slovakia PM Injured In Shooting

ତେବେ ଏହି ଘଟଣା ସହ ସ୍ମରଣ କରାଯାଇପାରେ ଯେ, ବର୍ଷ 2022 ଜୁଲାଇ 8 ତାରିଖରେ ପୂର୍ବତନ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ମଧ୍ୟ ସମାନ ଢଙ୍ଗରେ ଗୁଳି କରି ହତ୍ୟା କରିଥିଲା ଆତତାୟୀ । ଏକ ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମରେ ସେ ଭାଷଣ ଦେଉଥିବା ବେଳେ ତାଙ୍କୁ ପଏଣ୍ଟ ବ୍ଲାଙ୍କ ରେଞ୍ଜରୁ ଗୁଳିମାଡ କରିଥିଲା ଜଣେ ଆତତାୟୀ । ତାଙ୍କୁ ହେଲିକପ୍ଟରରେ ଏୟାରଲିଫ୍ଟ କରିବା ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଜାପାନ ପରି ଏକ ଶକ୍ତିଶାଳୀ ଦେଶର ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ଓ ହତ୍ୟାକୁ ନେଇ ସାରା ବିଶ୍ବରେ ଆଲୋଡନ ସୃଷ୍ଟି ହୋଇଥିଲା । ଏହାକୁ ବିଭିନ୍ନ ରାଷ୍ଟ୍ରସମୂହ ନିନ୍ଦା ମଧ୍ୟ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.