ପ୍ରବଳ ବର୍ଷାରେ ଜିଲ୍ଲାର ବିଭିନ୍ନ ସ୍ଥାନ ଜଳମଗ୍ନ, ମୁକାବିଲା ପାଇଁ ପ୍ରଶାସନ ସଜାଗ

By

Published : Aug 2, 2023, 6:26 PM IST

thumbnail

କେନ୍ଦୁଝର: ଗତକାଲି ରାତିରୁ କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି । ପାଣିପାଗ ବିଭାଗ ପକ୍ଷରୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ଆଜି ସକାଳୁ ମଧ୍ୟ ବର୍ଷା ଲାଗି ରହିଥିବା ଯୋଗୁଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଥିଲେ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ଦିଆଯାଇଥିଲା । ସେହିପରି ଲଗାଣ ବର୍ଷାରେ ତେଲକୋଇ ବେହାଲ ହୋଇଛି । ସମାକୋଇ ନଦୀ ପୋଲ ଉପରେ ୪ ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଛି । ତେଲକୋଇ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଲଗାଣ ବର୍ଷାରେ ଉବୁଟୁବୁ ସୁବର୍ଣ୍ଣପୁର ସହର; ଘରେ ପଶିଲା ପାଣି, ରାସ୍ତାଘାଟ ଜଳମଗ୍ନ

ଗତକାଲି ଅପରାହ୍ନରେ ବର୍ଷା ଆରମ୍ଭ ହୋଇଥିଲା । ସନ୍ଧ୍ୟା ୫ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ୧୭୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଭୋର ୪ଟାରୁ ସମାକୋଇ ନଦୀର ଦୁଇ ମୁଣ୍ତରେ ଯାତ୍ରୀବାହୀ ଓ ଅନ୍ୟାନ୍ୟ ଗାଡିମଟର ଅଟକି ରହିଛି । ଲଘୁଚାପ ଜନିତ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖାଯାଇଛି । ତେଲକୋଇର ସମାକୋଇ ନଦୀ, ଘୁରୁଡିଆ ନାଳ ପ୍ରଭୃତି ସ୍ଥାନରେ ବନ୍ୟାଜଳ ପ୍ରବାହିତ ହେଉଛି । ଆଜି ପ୍ରବଳ ବର୍ଷା ଯୋଗୁଁ କେନ୍ଦୁଝର ସହର ନିକଟସ୍ଥ ଜୁଡ଼ିଆ ଘାଟି ନିକଟରେ ପଥର ଖସି ରାସ୍ତା ଅବରୋଧ ହୋଇଛି । ଏହି ପଥର ଖସିବା ଯୋଗୁଁ କିଛି ଗାଡି କ୍ଷତିଗ୍ରସ୍ତ ହୋଇଥିବା ମଧ୍ୟ ସୂଚନା ମିଳିଛି । ସେହିପରି ପାଟଣା, ସାହରପଡା, ଚମ୍ପୁଆ ଆଦି ବ୍ଲକଗୁଡ଼ିକରେ କିଛି ସ୍ଥାନରେ ପୋଲ ଉପରେ ପାଣି ଚାଲିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । କେନ୍ଦୁଝର ଜିଲ୍ଲାର ଉପରମୁଣ୍ଡରେ ବର୍ଷା ଯୋଗୁଁ ତଳ ଆନନ୍ଦପୁର ବୈତରଣୀ ନଦୀରେ ବନ୍ୟା ଆଶଙ୍କା ପ୍ରକାଶ ପାଇଛି । ଏହି ବର୍ଷା ଯୋଗୁଁ କ୍ଷୟକ୍ଷତିକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ନିଶ୍ଚିତ କରାଯାଇଛି । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇଥିଲାବେଳେ କିପରି କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତା ପ୍ରଦାନ କରାଯାଇ ପାରିବ, ସେନେଇ ସଜାଗ ହୋଇଛି ପ୍ରଶାସନ । 

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.