ETV Bharat / bharat

ଚାରିଧାମ ଯାତ୍ରା ନେଇ ଅପପ୍ରଚାର କଲେ ରୁଜୁ ହେବ ମାମଲା - Char Dham Yatra 2024

author img

By ETV Bharat Odisha Team

Published : May 16, 2024, 8:59 AM IST

Uttarakhand Govt On Char Dham Yatra: ଚାରିଧାମ ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଉତ୍ତରାଖଣ୍ଡ ସରକାରଙ୍କ ବଡ ନିଷ୍ପତ୍ତି । ନକଲି ଭିଡିଓ /ଫଟୋ କିମ୍ବା ଭୁଲ ଖବର ସେୟାର କଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ । ଅଧିକ ପଢନ୍ତୁ

Uttarakhand Govt On Char Dham Yatra
Uttarakhand Govt On Char Dham Yatra (ETV Bharat)

ଡେରାଡୁନ୍: ଏଣିକି ବଦ୍ରିନାଥ କିମ୍ବା କେଦାରନାଥ ସମ୍ପର୍କରେ ନକଲି ଭିଡିଓ /ଫଟୋ କିମ୍ବା ଭୁଲ ଖବର ସେୟାର କଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ । ଗତକାଲି(ବୁଧବାର) ଉତ୍ତରାଖଣ୍ଡ ସରକାର ଚାରିଧାମ ଯାତ୍ରାକୁ ନେଇ ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି । ବୁଧବାର ଉତ୍ତରାଖଣ୍ଡର ମୁଖ୍ୟ ଶାସନ ସଚିବ ରାଧା ରାତୁରୀଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଉଚ୍ଚସ୍ତରୀୟ କମିଟିର ବୈଠକ ରାଜ୍ୟ ସଚିବାଳୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଚାରିଧାମ ଯାତ୍ରାକୁ ନେଇ କୌଣସି ବ୍ୟକ୍ତି ନକଲି ଭିଡିଓ କିମ୍ବା ଭୁଲ ଖବର ଅପପ୍ରଚାର କଲେ ତତକ୍ଷଣାତ ମାମଲା ରୁଜୁ କରାଯିବା ନେଇ ନିଷ୍ପତ୍ତି ହୋଇଛି । ଶାସନ ସଚିବ ରାଧା ରାତୁରୀ କହିଛନ୍ତି, ଯେକୌଣସି ବ୍ୟକ୍ତି କିମ୍ବା ସଙ୍ଗଠନ ଏହି ପବିତ୍ର ଚାରିଧାମ ଯାତ୍ରାକୁ ବଦନାମ କରିବାକୁ ଚେଷ୍ଟା କରିବ ତା' ବିରୁଦ୍ଧରେ ଏଫଆଇଆର ରୁଜୁ କରାଯିବ ।

ଏହା ମଧ୍ୟ ପଢନ୍ତୁ .... ଚାରିଧାମ ଯାତ୍ରାରେ ଶ୍ରଦ୍ଧାଳୁଙ୍କ ବଢୁଛି ଭିଡ, ମେ ୧୦ରୁ ଆରମ୍ଭ ହୋଇଛି ଯାତ୍ରା - Chardham Yatra In Uttarakhand

ଗତ ମେ' ୧୦ ତାରିଖରେ କେଦାରନାଥ ଧାମ, ଗଙ୍ଗୋତ୍ରୀ ଓ ଯମୁନେତ୍ରୀ ମନ୍ଦିରରେ ଦ୍ବାର ଖୋଲିବା ସହିତ ୧୨ ତାରିଖରେ ବଦ୍ରିନାଥ ଧାମର ଦ୍ବାର ଭକ୍ତଙ୍କ ପାଇଁ ଖୋଲିଥିଲା । ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ହିନ୍ଦୁ ଧର୍ମର ମାନ୍ଯତା ମୁତାବକ ଦେଶରେ ଥିବା ଦ୍ବାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଅନ୍ୟତମ କେଦାରନାଥ ଧାମକୁ ବହୁସଂଖ୍ୟକ ଭକ୍ତଙ୍କ ଆଗମନ ହେଉଛି । ଏପର୍ଯ୍ୟନ୍ତ ୨ ଲକ୍ଷରୁ ଅଧିକ ଭକ୍ତମାନଙ୍କ ସମାଗମ ହୋଇସାରିଛି । ଶାସନ ସଚିବ ରାଧା ରାତୁରୀ ଅଧିକାରୀମାନଙ୍କୁ ଦିନକୁ 24 ଘଣ୍ଟା ମୋବାଇଲ୍ ଫୋନ୍ କାର୍ଯ୍ୟକ୍ଷମ ରଖିବାକୁ ଏବଂ ତୀର୍ଥଯାତ୍ରୀଙ୍କ ଦ୍ୱାରା କରାଯାଇଥିବା ଯାତ୍ରା ସମ୍ବନ୍ଧୀୟ ଅଭିଯୋଗ ପ୍ରତି ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟତୀତ ଜିଲ୍ଲାରେ ପୋଷ୍ଟିଂ କରାଯାଇଥିବା ସଚିବମାନଙ୍କୁ ଯାତ୍ରାର ଟିିକନିକ୍ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହି ସମୟରେ ସ୍ୱାସ୍ଥ୍ୟ ସଚିବ ସୂଚନା ଦେଇଛନ୍ତି ଯେ, ଚାରିଧାମ ଯାତ୍ରା ପାଇଁ ପ୍ରଯୁଜ୍ୟ ଯାତ୍ରୀ ମାର୍ଗରେ 184 ଜଣ ଡାକ୍ତର ନିୟୋଜିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 44 ଜଣ ବିଶେଷଜ୍ଞ ସାମିଲ ଅଛନ୍ତି । ଏଥର ଶ୍ରୀନଗର ମେଡିକାଲ କଲେଜରେ କ୍ୟାଥ ଲ୍ୟାବ ପ୍ରତିଷ୍ଠା କରାଯାଇଛି । ସମୁଦାୟ 11ଟି ଭାଷାରେ ସବିଶେଷ ଭାବେ ଭ୍ରମଣ ସମ୍ବନ୍ଧୀୟ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରଣାଳୀ (SOP) ଜାରି କରାଯାଇଛି | ସ୍ୱାସ୍ଥ୍ୟ ବିଭାଗ ଭକ୍ତମାନଙ୍କୁ ସ୍ୱାସ୍ଥ୍ୟ ଯାଞ୍ଚ ସମେତ ବିଭିନ୍ନ ମେଡିକାଲ ସୁବିଧା ଯୋଗାଇ ଦିଆଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.