ଆସୁଛି ନୂଆଁଖାଇ, ପାରମ୍ପରିକ ନୃତ୍ୟ ଗୀତରେ ଦୁଲୁକିବ ପଶ୍ଚିମ ଓଡିଶା

By ETV Bharat Odisha Team

Published : Sep 19, 2023, 11:35 AM IST

thumbnail

ଭବାନୀପାଟଣା: ରାତି ପାହିଲେ ନୂଆଁଖାଇ । ପାରମ୍ପରିକ ବାଦ୍ୟ ସହ ନୃତ୍ୟ ଗୀତରେ ଦୁଲୁକିବ ପଶ୍ଚିମ ଓଡିଶା । ପଶ୍ଚିମଓଡ଼ିଶାର କୃଷିଭିତ୍ତିକ ଗଣପର୍ବକୁ ନେଇ ଉତ୍ସବମୁଖର ପୁରପଲ୍ଲୀ । ଉତ୍ସବ ପାଳନ ନେଇ ପ୍ରସ୍ତୁତି ମଧ୍ୟ ଜୋରଦାର ରହିଛି । ନୂଆଖାଇଠାରୁ ଆରମ୍ଭ କରି ଭେଟଘାଟ ପର୍ଯ୍ୟନ୍ତ ବୀରବାଦ୍ୟ ଘୁମୁରାର ଘୁମ୍‍ ଘୁମ୍‍ ଶବ୍ଦରେ ଦୁଲୁକି ଉଠିବ ମଞ୍ଚ ।

ଭେଟଘାଟରେ ରସର୍‌କଲି, ଡାଲଖାଇ, ମାଏଲାଜଡ଼, ଚୁଟୁକୁଚୁଟା ଓ ଢାପ୍ ଗୀତର ତାଳେ ତାଳେ ମତୁଆଲା ହେବେ ପଶ୍ଚିମ ଓଡ଼ିଶାବାସୀ ।  ନୂଆଁଖାଇ ପୂର୍ବରୁ ଗଣ୍ଡାବାଜା ସାଙ୍ଗକୁ ପାରମ୍ପରିକ ବେଶଭୂଷାରେ ନୃତ୍ୟ ପ୍ରସ୍ତୁତି ଚଲାଇଛନ୍ତି କଳାକାର । ନୂଆଁଖାଇରେ ନୃତ୍ୟ ପରିବେଷଣ ନେଇ କଳାକାରମାନେ ବେଶ ଉତ୍ସାହିତ ଥିବା ଦେଖିବାକୁ ମିଳିଛି । କଳାହାଣ୍ଡିର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ମାନଙ୍କରେ ନୂଆଁଖାଇ ପାଳନ ନେଇ ପ୍ରସ୍ତୁତି ଜୋରଦାର ଚାଲିଛି ।

ଏହାମଧ୍ୟ ପଢନ୍ତୁ.. ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ, ନୂଆ ଖାଇବେ କଳାହାଣ୍ଡିବାସୀ

ତେବେ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ କଳାହାଣ୍ଡି ଜିଲ୍ଲାର ଅନେକ ଅଞ୍ଚଳରେ ନୂଆଁଖାଇ ପାଳନ ହୁଏ । ପୁଣି ଦଶମୀ ତିଥିରେ ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ଵରୀଙ୍କ ନିକଟରେ ନବାନ୍ନ ଲାଗି ହୋଇ ସମସ୍ତ ଗଡ଼ଜାତ ଅଞ୍ଚଳରେ ପାଳନ ହୋଇଥାଏ ଏହି ପର୍ବ । ପ୍ରତି ଘରେ ଘରେ ପରିବାର ସଦସ୍ୟ ଏକାଠି ବସି ନୂଆ ଖାଇଥାନ୍ତି । ଏହାପରେ ଆରମ୍ଭ ହୋଇଥାଏ ଜୁହାର ଭେଟର ପର୍ବ । ସାନମାନେ ମୁଣ୍ଡିଆମାରି ବଡ଼ମାନଙ୍କ ଠାରୁ ଆଶୀର୍ବାଦ ନେଇଥାନ୍ତି । ଏହାପରେ ଜମିଥାଏ ନାଚଗୀତର ଆସର । ଢୋଲ, ନିଶାନ ତାସା ସହ କଳାହାଣ୍ଡିର ବୀରବାଦ୍ୟ ଘୁମୁରାର ଘୁମ୍ ଘୁମ୍ ଶବ୍ଦରେ ଦୁଲୁକି ଉଠେ ଗାଁ ମାଟି । ବାଦ୍ୟର ତାଳେ ତାଳେ ପାଦରେ ପାଦ ମିଳାଇ ନାଚିଥାନ୍ତି ସ୍ଥାନୀୟ ବାସିନ୍ଦା । 

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.