ETV Bharat / politics

ଖୋର୍ଦ୍ଧା ଗଡରୁ କିଏ ଯିବ ବିଧାନସଭା ? ଜୋରଦାର ଲଢେଇ ଦେଖିବେ ଜନତା - Odisha Assembly Election 2024

author img

By ETV Bharat Odisha Team

Published : May 16, 2024, 2:15 PM IST

Odisha Assembly Election 2024: କାହାର ହେବ ଖୋର୍ଦ୍ଧା ବିଧାନସଭା ଆସନ ? ମଇଦାନରେ ବିଜେପି ଓ ବିଜେଡିର ହେଭିୱେଟ ଥିବାବେଳେ ନୂଆ ଚେହେରା ଦେଇଛି କଂଗ୍ରେସ । ଖୋର୍ଦ୍ଧା ଆସନ ବିଜେଡିର ଗଡ ଭାବେ ରହିଆସିଛି । ଏଥର ମଧ୍ୟ ଦଳ ବରିଷ୍ଠ ନେତା ରାଜେନ୍ଦ୍ର ସାହୁଙ୍କ ପ୍ରାର୍ଥୀ କରି ଗଡ ବଞ୍ଚାଇବା ଚେଷ୍ଟାରେ ଥିବାବେଳେ ତାଙ୍କୁ ଟକ୍କର ଦେବାକୁ ବାହୁବଳୀ ନେତା ଜଗଦ୍ଦେବଙ୍କୁ ଛିଡା କରିଛି ବିଜେପି । କଂଗ୍ରେସ ବି ନୂଆ ଚେହେରା ଦେଇ ଜନତାଙ୍କ ବିଶ୍ବାସଭାଜନ ହେବା ଚେଷ୍ଟାରେ ରହିଛି । ଅଧିକ ପଢନ୍ତୁ

ଖୋର୍ଦ୍ଧା ଗଡରୁ କିଏ ଯିବ ବିଧାନସଭା ? ଜୋରଦାର ଲଢେଇ ଦେଖିବେ ଜନତା
ଖୋର୍ଦ୍ଧା ଗଡରୁ କିଏ ଯିବ ବିଧାନସଭା ? ଜୋରଦାର ଲଢେଇ ଦେଖିବେ ଜନତା (ETV Bharat Odisha)

ଜୋରଦାର ଲଢେଇ ଦେଖିବେ ଜନତା (ETV Bharat Odisha)


ଖୋର୍ଦ୍ଧା: ଲୋକସଭା ଓ ବିଧାନସଭା ନିର୍ବାଚନକୁ ନେଇ ସରଗରମ ରହିଛି ରାଜ୍ୟ ରାଜନୀତି । ପ୍ରାର୍ଥୀମାନେ ଦିନରାତି ଏକ କରି ଭୋଟ ହାତେଇବା ପାଇଁ କସରତ ଆରମ୍ଭ କରିଦେଇଛନ୍ତି । ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ଚାଲିଛି ଧୂଆଁଧାର ପ୍ରଚାର । ଭୋଟରଙ୍କ ଆଗରେ ବିକାଶର ମୁବ୍ଦା ରଖି ଭୋଟ ହାତେଇବାକୁ ପ୍ରୟାସ କରୁଛନ୍ତି ପ୍ରାର୍ଥୀ । ବିଶେଷକରି ଏଥର ଖୋର୍ଦ୍ଧାରେ ବିଜେଡି ଓ ବିଜେପି ମଧ୍ୟରେ କଡା ପ୍ରତିଦ୍ବନ୍ଦିତା ହେବ । କାରଣ ମଇଦାନରେ ବିଜେଡିର ବରିଷ୍ଠ ନେତା ତଥା ବିଧାୟକ ରାଜେନ୍ଦ୍ର ସାହୁଙ୍କୁ ବିଜେପି ପ୍ରାର୍ଥୀ ଭାବେ ଟକ୍କର ଦେଉଛନ୍ତି ପୂର୍ବତନ ବିଜେଡି ନେତା ପ୍ରଶାନ୍ତ ଜଗଦ୍ଦେବ । ଏହି ଦୁଇ ବରିଷ୍ଠ ମଧ୍ୟରେ ଏଥର କାହାର ପଲ୍ଲା ଭାରି ରହିବ, ତା' ଉପରେ ସଭିଁଙ୍କ ନଜର ।

ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ସାହୁ: 2009ରେ ଖୋର୍ଦ୍ଧା ଆସନରୁ ରାଜେନ୍ଦ୍ର କୁମାର ସାହୁ ସ୍ୱାଧୀନ ଭାବେ ଲଢ଼ି 36 ହଜାର 407 ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ । 2014ରେ ସେ ବିଜେଡି ଟିକଟରେ ନିର୍ବାଚନ ଲଢି 72 ହଜାର 299 ଖଣ୍ଡ ଭୋଟ ସହ ପୁଣିଥରେ ବିଜୟୀ ହୋଇଥିଲେ । 2019 ନିର୍ବାଚନରେ ବିଜେଡି ଜ୍ୟୋତିରିନ୍ଦ୍ର ନାଥ ମିତ୍ରଙ୍କୁ ପ୍ରାର୍ଥୀ କରିଥିଲା । ଜ୍ୟୋତିରିନ୍ଦ୍ର 84 ହଜାର 553 ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ । ଏବେ ଚଳିତ ନିର୍ବାଚନରେ ବିଜେଡି ଖୋର୍ଦ୍ଧା ଆସନରେ ପୁନର୍ବାର ରାଜେନ୍ଦ୍ର ସାହୁଙ୍କୁ ପ୍ରାର୍ଥୀ କରିଛି । ରାଜେନ୍ଦ୍ର ଦୁଇଥର ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ଓ ଥରେ ବେଗୁନିଆ ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଛନ୍ତି ।

ବିଜେପିରୁ ଲଢୁଛନ୍ତି ଜଗଦ୍ଦେବ: ଖୋର୍ଦ୍ଧା ଆସନରେ ରାଜେନ୍ଦ୍ରଙ୍କ ବିପକ୍ଷରେ ବାହୁବଳୀ ନେତା ଭାବେ ଜଣାଶୁଣା ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିଛି ବିଜେପି । ପ୍ରଶାନ୍ତ 2014ରେ ବିଜେଡି ପ୍ରାର୍ଥୀ ଭାବେ ବେଗୁନିଆ ଏବଂ 2019ରେ ଚିଲିକା ନିର୍ବାଚନ ମଣ୍ଡଳୀରୁ ବିଧାୟକ ନିର୍ବାଚିତ ହୋଇଥିଲେ । ହେଲେ ଦଳ ତାଙ୍କୁ ବହିଷ୍କୃତ କରିବା ପରେ ଚଳିତ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଜଗଦ୍ଦେବ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ । ପରବର୍ତ୍ତୀ ସମୟରେ ବିଜେପି ତାଙ୍କୁ ଖୋର୍ଦ୍ଧାରୁ ବିଧାୟକ ପ୍ରାର୍ଥୀ କରିଥିଲା ।

କଂଗ୍ରେସ ପ୍ରାର୍ଥୀ ସୋନାଲି ସାହୁ: ସେପଟେ ଖୋର୍ଦ୍ଧା ଆସନ ପାଇଁ କଂଗ୍ରେସ ସୋନାଲି ସାହୁଙ୍କ ଉପରେ ଆସ୍ଥା ପ୍ରକଟ କରିଛି । ସୋନାଲି ପୂର୍ବରୁ କେବେ ବିଧାୟକ ପଦବୀ ପାଇଁ ପ୍ରତିଦ୍ବନ୍ଦ୍ବତା କରିନାହାନ୍ତି । କିନ୍ତୁ ସେ କଂଗ୍ରେସରୁ ରାଜନୈତିକ ଜୀବନ ଆରମ୍ଭ କରି ମୁଖପାତ୍ର ଥିଲେ । ପରେ ବିଜେପିରେ ଯୋଗ ଦେଇଥିଲେ । ହେଲେ ସେ ପୁନର୍ବାର କଂଗ୍ରେସକୁ ଫେରି ଖୋର୍ଦ୍ଧା ଟିକଟ ହାତେଇଛନ୍ତି । ତେଣୁ ପ୍ରତ୍ୟକ୍ଷ ରାଜନୀତିରେ ସେ ନବାଗତା ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

ସେହିଭଳି ଗତ 2019 ସାଧାରଣ ନିର୍ବାଚନରେ ବିଜେପି ଟିକଟରୁ ଲଢ଼ିଥିବା କାଳୁ ଚରଣ ଖଣ୍ଡେଇତରାୟଙ୍କୁ ଦଳ ଟିକଟ ନଦେବାକୁ ସେ ଏବେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି । ଗତ ନିର୍ବାଚନରେ କାଳୁ 74 ହଜାର 510ଖଣ୍ଡ ଭୋଟ ପାଇଥିଲେ । ଏଥର ସେ ପୁଣିଥରେ ଟିକଟ ଆଶାୟୀ ଥିବାବେଳେ ବିଜେପି କିନ୍ତୁ ବିଜେଡିରୁ ବହିଷ୍କୃତ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଭରସା କରିଥିଲା । ଏଥିରେ କ୍ଷୁବ୍ଧ ହୋଇ ସ୍ବାଧୀନ ଭାବେ ଲଢେଇ କରିବାକୁ ମଇଦାନକୁ ଓହ୍ଲାଇଛନ୍ତି ।

ଖୋର୍ଦ୍ଧାରେ ପ୍ରଶାନ୍ତ ବନାମ ରାଜେନ୍ଦ୍ର: ଅପରପକ୍ଷରେ ରାଜେନ୍ଦ୍ର 2009ରେ ଖୋର୍ଦ୍ଧାରୁ ସ୍ଵାଧୀନ ବିଧାୟକ ଭାବେ ନିର୍ବାଚନ ଲଢ଼ିଥିଲେ । 2014ରେ ବିଜେଡି ଟିକଟରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରୁ ପୁନର୍ବାର ବିଜୟୀ ହୋଇଥିଲେ । ପରେ 2019ରେ ତାଙ୍କୁ ବିଜେଡି ବେଗୁନିଆ ନିର୍ବାଚନ ମଣ୍ଡଳୀ ପାଇଁ ଟିକଟ ଦେଇଥିଲା ସେଠାରେ ମଧ୍ୟ ସେ ବିଜୟୀ ହୋଇଥିଲେ । 2009ରେ ପ୍ରଥମେ ବିଧାୟକ ହେବା ପୂର୍ବରୁ ସେ ଖୋର୍ଦ୍ଧା ନଗରପାଳ ଥିଲେ । ତେଣୁ ଖୋର୍ଦ୍ଧାରେ ତାଙ୍କର ସଙ୍ଗଠନ ସୁଦୃଢ଼ ରହିଛି । ସେହିପରି ପ୍ରଶାନ୍ତ 2014ରେ ବେଗୁନିଆ ନିର୍ବାଚନ ମଣ୍ଡଳୀରୁ ବିଜେଡି ଟିକଟରେ ବିଜୟୀ ହୋଇଥିଲେ । 2019ରେ ବିଜେଡି ତାଙ୍କୁ ଚିଲିକା ନିର୍ବାଚନମଣ୍ଡୀରେ ଟିକଟ ଦେଇଥିଲା । ସେଠାରେ ମଧ୍ୟ ସେ ବିଜୟୀ ହୋଇଥିଲେ । ଏବେ ସେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି । ବିଜେପି ତାଙ୍କୁ ଖୋର୍ଦ୍ଧା ଆସନ ଦେଇଛି । ତେଣୁ ଦୁଇ ଅଭିଜ୍ଞ ରାଜେନତାଙ୍କ ମଧ୍ୟରେ କଡା ଟକ୍କର ହେବ ବୋଲି ଚର୍ଚ୍ଚା ହେଉଛି ।

ଜୁନ ୪ରେ ଫଇସଲା: ଆସନ୍ତା ୨୫ ତାରିଖରେ ଖୋର୍ଦ୍ଧା ଆସନରେ ତୃତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ହାତରେ ଆଉ ସମୟ କମ୍ ଥିବାରୁ ଧୂଆଁଧାର ପ୍ରଚାରରେ ମାତିଛନ୍ତି ୩ଟି ଯାକ ଦଳର ପ୍ରାର୍ଥୀ । ଗାଁ ଗାଁ, ବଜାରଘାଟ ବୁଲି ଭୋଟରଙ୍କୁ ବଡ ବଡ ପ୍ରତିଶ୍ରୁତି ଦେଇ ନିଜ ଆଡକୁ ଟାଣିବାକୁ ପ୍ରଚେଷ୍ଟା କରୁଛନ୍ତି । ତେବେ ଏହି ତ୍ରିମୁଖୀ ଲଢେଇ କିଏ ଭୋଟରଙ୍କ ଆସ୍ଥାଭାଜନ ହେବ ଏବଂ ଖୋର୍ଦ୍ଧାରେ ବିଜୟ ବାନା ଉଡାଇବା ତାହା ଜୁନ ୪ରେ ଫଇସଲା ହେବ ।

ଏହା ମଧ୍ୟ ପଢନ୍ତୁ: ସରିଲା ନାମାଙ୍କନ ପ୍ରକ୍ରିୟା; ଯାଜପୁରରେ ୮୩ ପ୍ରାର୍ଥୀଙ୍କ ନାମାଙ୍କନ, ବିଜେଡି ପୁଣି କ୍ଲିନସ୍ବିପ୍ କରିବ ନା ପରିବର୍ତ୍ତନ ହାୱା ବହିବ ? - Lok Sabha Election 2024

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.