ETV Bharat / state

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ, ନୂଆ ଖାଇବେ କଳାହାଣ୍ଡିବାସୀ

author img

By ETV Bharat Odisha Team

Published : Sep 16, 2023, 3:29 PM IST

ଦିନ କେଇଟା ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ । ସପ୍ତପୁରୀ ଅମବାସ୍ୟା ପରଦିନ ତଥା ଗତକାଲି କଳାହାଣ୍ଡି ଜିଲ୍ଲାର କେସିଙ୍ଗା ବ୍ଲକରେ ବେଶ ଧୁମଧାମରେ ନୂଆଖାଇ ପାଳନ ହୋଇଛି । ଅଧିକ ପଢନ୍ତୁ

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ
ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ

ଭବାନୀପାଟଣା: "ଜୁହାର ଦାଦା ଜୁହାର, ଆଏଲା ଆମର ବଡ଼ଖା ତିହାର" । ପାଖେଇ ଆସୁଛି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ଏନେଇ ଚଳଚଞ୍ଚଳ ପୁରପଲ୍ଲୀ । ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲାରେ ନୂଆଁଖାଇ ବେଶ ଆଡ଼ମ୍ବର ଭାବେ ପାଳନ କରାଯାଉ ଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ଏକ ଭିନ୍ନ ସ୍ବତନ୍ତ୍ରତା ରହିଛି । ଚାରିଆଡ଼େ କେବଳ ଗୋଟିଏ ଦିନ ନୂଆଁଖାଇ ହୋଇଥାଏ । କିନ୍ତୁ କଳାହାଣ୍ଡିରେ ପର୍ଯ୍ୟାୟକ୍ରମେ ପାଳନ ହୋଇଥାଏ ନୂଆଁଖାଇ । ଉତ୍ସବ ପାଳନରେ ବିଭିନ୍ନତା ଥିଲେ ମଧ୍ୟ ସମସ୍ତଙ୍କୁ ଏକାଠି ବାନ୍ଧି ରଖେ ନୂଆଖାଇ ।

ନୂଆଖାଇ ସପ୍ତପୁରୀ ଅମବାସ୍ୟାଠାରୁ ଆରମ୍ଭ ହୋଇ ଦଶହରା ଦଶମୀରେ ଶେଷ ହୁଏ । ପ୍ରଥମେ ଗ୍ରାମରେ ସଭାହୋଇ ନବାନ୍ନ ପାଇଁ ସମୟ ନିର୍ଘଣ୍ଟ ସ୍ଥିର ହୁଏ । ଏହାପରେ ଅମବାସ୍ୟା ପରଦିନ ଜିଲ୍ଲାର କେସିଙ୍ଗା ବ୍ଲକ ପଥର୍ଲା, ବାହାଦୂର ପଦର ପଲସାପଡା ଅଞ୍ଚଳର ୫ ହଜାରରୁ ଊର୍ଦ୍ଧ୍ବ ଲୋକେ ନୂଆ ଖାଇଥାନ୍ତି। ନୂଆଖାଇ ଆସିଲେ ଘରେ ଘରେ କୁଣିଆଙ୍କ ଭିଡ଼ ଦେଖିବାକୁ ମିଳେ । ଘର ଲିପାପୋଛା କରି ସପରିବାର ନୂଆ ବସ୍ତ୍ର ପରିଧାନ କରନ୍ତି । ବିଭିନ୍ନ ପ୍ରକାର ପିଠାପଣା ସାଙ୍ଗକୁ ସ୍ବତନ୍ତ୍ର ବ୍ୟଞ୍ଜନ ତିଆରି ହୋଇଥାଏ । ଶାଳ ଓ କୁରେଇ ପତ୍ରରେ ଖଲି ଠୋଲା ତିଆରି କରାଯାଇ ଥାଏ ।

କିମ୍ବଦନ୍ତୀ ଅନୁଯାୟୀ , ନାଗବଂଶ ରାଜାଙ୍କ ସମୟର ଗଙ୍ଗବଂଶ ସହ ଯୁଦ୍ଧ ହୋଇଥିଲା । ଆଉ ସେହି ସମୟରେ ପଥର୍ଲା ଗାଁର ଗନ୍ତିଆ ଯୁଦ୍ଧରେ ନାଗବାଂଶ ରାଜାଙ୍କୁ ସାହାଯ୍ୟ କରିଥିଲେ। ଫଳରେ ରାଜ ଯୁଦ୍ଧରେ ବିଜୟ ଲାଭ କରିଥିଲେ । ପରେ ମହାରାଜ ଗନ୍ତିଆଙ୍କୁ ପୁରସ୍କାର ଦେବା ପାଇଁ ଘୋଷଣା କରିବା ସହ ଗନ୍ତିଆଙ୍କୁ ମନ ପସନ୍ଦର ପୁରସ୍କାର ମାଗିବା ପାଇଁ କହିଥିଲେ । ଆଉ ସେହି ସମୟରେ ଗନ୍ତିଆ ସର୍ବାଗ୍ରେ ନୂଆଖାଇବା ପାଇଁ ରାଜାଙ୍କୁ ମାଗି ଥିଲେ । ଆଉ ସେହି ଦିନ ଠାରୁ ପଥର୍ଲା , ବାହାଦୁର ପଦର, ପଲକା ପଡ଼ା ଆଦି ତିନୋଟି ଗାଁର ଲୋକେ ସର୍ବାଗ୍ରେ ନୂଆଖାଇ ପାଳନ କରି ଆସୁଛନ୍ତି ।

ଏହା ମଧ୍ୟ ପଢନ୍ତୁ- ମା' ମାଣିକେଶ୍ବରୀଙ୍କ ନବାନ୍ନ ଲାଗି ଲଗ୍ନ ଧାର୍ଯ୍ୟ, ଚଳଚଞ୍ଚଳ କଳାହାଣ୍ଡି ଜିଲ୍ଲା

ନୂଆ ଚୁଡା, ଗୁଡ, ଧାନ ସଂଗ୍ରହ କରି ସପ୍ତପୂରୀ ଅମାବାସ୍ୟା ପରଦିନ ନିଜ ଗ୍ରାମର ଇଷ୍ଟ ଦେବୀଙ୍କ ନିକଟରେ ପୂଜାପାଠ ପରେ ନବାନ୍ନ ଲାଗି କରାଯାଏ । ଏହାପରେ ଗାଁରେ ପାଳିତ ହୁଏ ନୂଆଁଖାଇ । ଆରମ୍ଭ ହୁଏ ଜୁହାର ଭେଟର ପର୍ବ । ସାନମାନେ ମୁଣ୍ଡିଆମାରି ବଡ଼ମାନଙ୍କ ଠାରୁ ଆଶୀର୍ବାଦ ନେଇଥାନ୍ତି । ଏହାପରେ ଜମେ ନାଚଗୀତର ଆସର । ଢୋଲ,ନିଶାନ ତାସା ସହ କଳାହାଣ୍ଡିର ବୀରବାଦ୍ୟ ଘୁମୁରାର ଘୁମ୍‍ ଘୁମ୍‍ ଶବ୍ଦରେ ଦୁଲୁକି ଉଠେ ଗାଁ ମାଟି ।

ଏନେଇ ପଥର୍ଲା ଗ୍ରାମବାସୀ କହିଛନ୍ତି, "ବହୁତ ଉତ୍ସାହର ସହ ନୂଆଖାଇ ପାଳନ କରିଛୁ । ସମସ୍ତେ ଯେତେ ଦୂରରେ ଥିଲେ ମଧ୍ୟ ନୂଆଖାଇ ପାଇଁ ସମସ୍ତେ ଏକାଠି ହୋଇଥାନ୍ତି । ଏହା ଏକ ଭାଇଚାରାର ପର୍ବ । ଏକାଠି ନବାନ୍ନ ଖାଇବା ପରେ ସାନମାନେ ମୁଣ୍ଡିଆମାରି ବଡ଼ମାନଙ୍କ ଠାରୁ ଆଶୀର୍ବାଦ ନେଲେ ।"

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.