ETV Bharat / bharat

Year Ender: 2022 ପଲିଟିକାଲ୍ ଡାଏରୀ, ଗୁଜୁରାଟରେ ଆସିଲା ମୋଦି ସୁନାମୀ, ବିହାରରେ ଧୋକା ଖାଇଲା ବିଜେପି

author img

By

Published : Dec 26, 2022, 5:34 PM IST

Year Ender 2022
Year Ender 2022

ବର୍ଷ 2022 ଥିଲା ରାଜନୈତିକ ଘଟଣାବହୁଳ । 7ଟି ରାଜ୍ୟରେ ବିଧାନସଭା ନିର୍ବାଚନରେ ବିଭିନ୍ନ ଦଳକୁ ମିଳିଥିଲା ସଫଳତା । ସେହିପରି 25 ବର୍ଷ ପରେ କଂଗ୍ରେସକୁ ମିଳିଲେ ଅଣ ଗାନ୍ଧି ପରିବାରର ସଭାପତି । ସେହିବଳି କିଛି ଘଟଣା ନେଇ ପଢନ୍ତୁ ବର୍ଷ 2022ର ଚର୍ଚ୍ଚିତ ରାଜନୈତିକ ଘଟଣା ।

ହାଇଦ୍ରାବାଦ: ବର୍ଷ ୨୦୨୨ ଏବେ ନିଜ ଯାତ୍ରାର ଅନ୍ତିମ ସପ୍ତାହରେ । ଆଉ ଦିନ କେଇଟା ପରେ ପୃଥିବୀରେ ପ୍ରବେଶ କରିବ ଇଂରାଜୀ ନବବର୍ଷ ୨୦୨୩ । ନବବର୍ଷକୁ ସ୍ବାଗତ ପାଇଁ ପୁରା ବିଶ୍ବରେ ଚାଲିଛି ପ୍ରସ୍ତୁତି । ବର୍ଷ ୨୦୨୨ ନିଜ କାନ୍ଧରେ ନେଇ ଆସିଥିଲା ଅନେକ ଘଟଣା, ଦୁର୍ଘଟଣା ସ୍ମୃତି, ଦୁଃଖ ସୁଖ, ବିଫଳତା, ସଫଳତା, ସଂଘର୍ଷ ଆଉ ନିର୍ବାଚନ । ନିର୍ବାଚନର ବର୍ଷ ଥିଲା ୨୦୨୨ । ‘ବାଇଶ’ ରେ ଘଟିଥିଲା ଚର୍ଚ୍ଚିତ ରାଜନୈତିକ ଘଟଣା । ଦେଶର ସାତ ଟି ରାଜ୍ୟରେ ହୋଇଥିଲା ବିଧାନସଭା ନିର୍ବାଚନ । କାଶ୍ମୀରରୁ କନ୍ୟାକୁମାରୀ କଚ୍ଛରୁ କୋହିମା ଯାଏଁ ନିର୍ବାଚନକୁ ନେଇ ହୋଇଥିଲା ଚର୍ଚ୍ଚା, ଆଲୋଚନା ଓ ସମୀକ୍ଷା । ଅନେକ ଦଳ କ୍ଷମତା ପାଇଁ ସଂଘର୍ଷ କରିଥିଲେ । ନୂଆ ରାଜନୈତିକ ଦଳ ଜାତୀୟ ମାନ୍ୟତା ପାଇଥିଲେ। ନେତା ସଫଳତାର ଶୀର୍ଷ ଛୁଇଁଥିଲେ। କିଛି ନେତା ଶୀର୍ଷରୁ ଖସି ଶୁନ୍ୟରେ ପଡିଥିଲେ। ବିଶିଷ୍ଟ ରାଜନେତାଙ୍କ ଅସ୍ତିତ୍ବ ଉପରେ ପ୍ରଶ୍ନ ଉଠିଥିଲା। ଭାଙ୍ଗିଥିଲା ପୁରୁଣା ସମ୍ପର୍କ । ଯୋଡି ହୋଇଥିଲା ନୂଆ ନୂଆ ଗଠବନ୍ଧନ । ରାଜନୀତିରେ କେବେ ଘଟିନଥିବା ଘଟଣା ବି ଘଟିଥିଲା ଏହି ‘ବାଇଶି’ରେ... ଆସନ୍ତୁ ଜାଣିବା ବର୍ଷ-୨୦୨୨ ରେ ଘଟିଥିବା କିଛି ପ୍ରମୁଖ ରାଜନୀତି ଘଟଣା ଫର୍ଦ୍ଦ ୨୦୨ ରେ...

ଏହାବି ପଢନ୍ତୁ- Year Ender 2022: ପୃଥିବୀକୁ ବିପଦରୁ ବଞ୍ଚାଇଲା NASA, ଚନ୍ଦ୍ରମାରେ ସୋଡିୟମ ପାଇଲା ISRO

ବର୍ଷ ୨୦୨୨ ରେ ଦେଶର ୭ ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହୋଇଥିଲା । ନିର୍ବାଚନ ହୋଇଥିବା ରାଜ୍ୟ ଗୁଡିକ ମଧ୍ୟରେ ଥିଲା ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ମଣିପୁର, ପଞ୍ଜାବ ଓ ଗୋଆ, ଗୁଜୁରାଟ ଓ ହିମାଚଳ ପ୍ରଦେଶ । ଏତତ ବ୍ୟତୀତ ଦେଶର ଅଧିକାଂଶ ରାଜ୍ୟରେ ମଧ୍ୟ ଉପନିର୍ବାଚନ ହୋଇଥିଲା । ନିଜ ଭୋଟ ମାଧ୍ୟମରେ ଦେଶର ଜନତା ସେମାନଙ୍କ ନିଷ୍ପତ୍ତି ଜଣାଇଥିଲେ ।

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ସମୟର ଫଟୋ
ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ସମୟର ଫଟୋ

ୟୁପି, ଉତ୍ତରାଖଣ୍ଡ ଓ ଗୋଆରେ ଅପରାଜୟ ବିଜେପି

ୟୁପି, ଉତ୍ତରାଖଣ୍ଡ ଓ ଗୋଆ ବିଧାନସଭା ନିର୍ବାଚନରେ ଅପରାଜୟ ରହିଲା ବିଜେପି। ଏହି ତିନି ରାଜ୍ୟରେ ବିଜେପି କ୍ଷମତାରେ ଥିଲା। ସବୁଠାରୁ ଚର୍ଚ୍ଚାରେ ଥିଲା ଦେଶର ବଡ ରାଜ୍ୟ ଉତ୍ତର ପ୍ରଦେଶ। ରାଜ୍ୟରେ ବିଜେପି କ୍ଷମତା ବଜାୟ ରଖିବ ନା ନାହିଁ ତାହାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା। କାରଣ ୨୦୨୨ ବିଧାନସଭା ନିର୍ବାଚନ ଫଳାଫଳ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ବନାଥଙ୍କ ଦକ୍ଷତା, ଗ୍ରହଣୀୟତା ଓ ସଫଳତା ନିର୍ଭର କରୁଥିଲା । ସବୁ ଅଙ୍କ ବିଗାଡି ବିଜେପି କ୍ଷମତା ବଜାୟ ରଖିଥିଲା। ମୋଟ ୪୦୩ ଆସନରୁ ବିଜେପି ଏକାକି ୨୫୫ ଆସନ ଜିତି ଏକାଧିକ ରେକର୍ଡ ସ୍ଥାପନ କରିଥିଲା । ଦ୍ବିତୀୟ ଥର ପାଇଁ ୨୫ ମାର୍ଚ୍ଚ ୨୦୨୨ ରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ଯୋଗୀ ଆଦିତ୍ବନାଥ ।

ଏହାବି ପଢନ୍ତୁ- ହଜିଯାଉଛି କାଗଜ ମୁଖା ଓ ଗୋବର କଣ୍ଢେଇର ପରିଚୟ, ସରକାରୀ ସହାୟତା ଦାବି କଲେ କାରିଗର

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ସମୟର ଫଟୋ
ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ସମୟର ଫଟୋ

ଉତ୍ତରାଖଣ୍ଡ

ଉତ୍ତରାଖଣ୍ଡରେ ମଧ୍ୟ ବିଜେପି ସବୁ ପରମ୍ପରାଗତ ରେକର୍ଡ ଭାଙ୍ଗି କ୍ଷମତା ବଜାୟ ରଖିଥିଲା । ମୋଟ ୭୦ ଆସନରୁ ବିଜେପି ଏକାକି ୪୭ ଆସନରେ ବିଜୟୀ ହୋଇଥିଲା । ରାଜ୍ୟର ଏକାଦଶ ଓ ନିଜେ ଦ୍ବିତୀୟ ଥର ପାଇଁ ୨୩ ମାର୍ଚ୍ଚ ୨୦୨୨ ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ପୁଷ୍କର ସିଂ ଧାମୀ ।

ମଣିପୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ସମୟର ଦୃଶ୍ୟ
ମଣିପୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ସମୟର ଦୃଶ୍ୟ

ମଣିପୁର

ନର୍ଥଇଷ୍ଟ ମଣିପୁରରେ ମଧ୍ୟ ଦଳ ପଦ୍ମକୁ ମଉଳିବାକୁ ଦେଇନଥିଲା । ମୋଟ ୬୦ ଆସନରୁ ବିଜେପି ଏକାକି ୩୨ ଟି ଆସନ ପାଇବା ସହ ସହଯୋଗୀ ଦଳଙ୍କୁ ସାମିଲ କରି ସରକାର ଗଠନ କରିଛି । ୨୧ ମାର୍ଚ୍ଚରେ ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଏନ ବିରେନ ସିଂ ।

ଏହାବି ପଢନ୍ତୁ- Year Ender 2022: କର୍ପୋରେଟ ଜଗତରେ ଖେଳିଗଲା ଦୁଃଖର କଳାବାଦଲ, ଦୁନିଆ ଛାଡିିଥିଲେ ବଡ ବଡ ହସ୍ତୀ

ବର୍ଷ ୨୦୨୨ ର ଚର୍ଚିତ ରାଜନୈତିକ ଘଟଣା
ଗୋଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଉଛନ୍ତି ପ୍ରମୋଦ ସାୱନ୍ତ

ଗୋଆ

ଗୋଆରେ ମଧ୍ୟ ବିଜେପି ଜନସମର୍ଥନ ପାଇ ଲଗାତାର ଦ୍ବିତୀୟ ଥର ସରକାର ଗଠନ କରଥିଲା। ମୋଟ ୪୦ ଆସନରୁ ୨୦ ଟି ଆସନରେ ବିଜୟୀ ହୋଇ ସରକାର ଗଠନ କରିଛି ଦଳ । ପ୍ରମୋଦ ସାୱନ୍ତ ମୁଖ୍ୟମନ୍ତ୍ରୀ ଭାବେ ଶାସନ କରୁଛନ୍ତି।

ବର୍ଷ ୨୦୨୨ ର ଚର୍ଚିତ ରାଜନୈତିକ ଘଟଣା
ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଉଥିବା ବେଳେର ଫଟୋ

ପଞ୍ଜାବକୁ ପ୍ରବେଶ କଲା APP

ଦିଲ୍ଲୀ ମଡେଲକୁ ନେଇ ପଞ୍ଜାବ ଦଖଳ ପାଇଁ ରଣକୌଶଳ କରିଆସୁଥିବା ଆମ ଆଦମୀ ପାର୍ଟି (APP) ର ପରିଶ୍ରମ ୨୦୨୨ ରେ ସାର୍ଥକ ହୋଇଛି। ଦଳ କଂଗ୍ରେସକୁ କ୍ଷମତାଚ୍ୟୁତ କରି ପଞ୍ଜାବ ପାୱାରରେ ପ୍ରବେଶ କରିଛି। କ୍ଷମତାରେ ଥିବା ଏଠି କଂଗ୍ରେସ ଧରାଶାୟୀ ହୋଇଥିଲା । ମୋଟ ୧୧୭ ଆସନରୁ APP ୯୨ ଟିରେ ବିଜୟୀ ହୋଇ ଦିଲ୍ଲୀ ବାହାରେ କୌଣସି ରାଜ୍ୟରେ ପ୍ରଥମ ଥର ସରକାର ଗଠନ କରିଥିଲା । ସାଂସଦ ଥିବା ଭଗୱନ୍ତ ମାନ ହୋଇଥିଲେ ମୁଖ୍ୟମନ୍ତ୍ରୀ।

ମହାରାଷ୍ଟ୍ରରେ କ୍ଷମତା ପରିବର୍ତ୍ତନ

ବର୍ଷ ୨୦୨୨ ରେ ସବୁଠାରୁ ଚର୍ଚ୍ଚିତ ରାଜନୈତିକ ଘଟଣା ଘଟିଥିଲା ମହାରାଷ୍ଟ୍ରରେ। ଶିବସେନା ବିଦ୍ରୋହୀ ଗୋଷ୍ଠୀଙ୍କ ବିଦ୍ରୋହ ପରେ ରାଜ୍ୟରେ ଶାସନ କରୁଥିବା ମହା ବିକାଶ ଅଘାଡି (MVA) ର ସରକାର ଭାଙ୍ଗିଯାଇଥିଲା। ଏକଦା ଠାକରେ ପରିବାର ପ୍ରମୁଖ ବିଶ୍ବସ୍ତ ଥିବା ଏକନାଥ ସିନ୍ଧେ ପ୍ରଥମେ ଦଳର ୨୮ ରୁ ଅଧିକ ବିଧାୟକଙ୍କୁ ଧରି ଗୁଜୁରାଟ ପଳାଇଥିଲେ । ପରେ ଗୁଜୁରାଟରୁ ଆସାମକୁ ସ୍ଥାନାନ୍ତର ହୋଇଥିଲେ । ଗୌହ୍ବାଟିରେ କ୍ୟାମ୍ପ ପକାଇ ଗୋଟିଏ ପରେ ଗୋଟିଏ ଶିବସେନା ବିଧାୟକଙ୍କୁ ନିଜ ପକ୍ଷଙ୍କୁ ଟାଣିବାରେ ଲାଗିଲେ । ଏକନାଥ ସିନ୍ଧେଙ୍କ ଏହି ଶଣ୍ଢୁଆସି ଆକ୍ରମଣ ପରେ ଦୁଇଖଣ୍ଡ ହୋଇଯାଇଥିଲା ଶିବସେନା। ଇସ୍ତଫା ଦେଇଥିଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଭାଙ୍ଗିଯାଇଥିଲା ସରକାର। ବିଜେପି ସହଯୋଗରେ ଶିବସେନାର ବିଦ୍ରୋହୀ ଗୋଷ୍ଠୀର ନେତୃତ୍ବ ନେଉଥିବା ଏକନାଥ ସିନ୍ଧେ ହୋଇଥିଲେ ମୁଖ୍ୟମନ୍ତ୍ରୀ ।

ଏହାବି ପଢନ୍ତୁ- SIKKIM ACCIDENT: ଶହୀଦ ୧୬ଯବାନଙ୍କ ଘରକୁ ପଠାଗଲା ପାର୍ଥିବ ଶରୀର

ବିହାରରେ ବିଜେପି ପାଇଥିଲା ବଡ ଝଟକା

ଏକଦା 2020 ରେ ମେଣ୍ଟ କରି ଏକାଠି ନିର୍ବାଚନ ଲଢି ବିହାରକୁ ଶାସନ କରୁଥିବା ବିଜେପି-ଜେଡି(ୟୁ)ର ସମ୍ପର୍କ ୨୦୨୨ରେ ଭାଙ୍ଗିଯାଇଥିଲା। ବିଜେପିକୁ ବଡ ଝଟକା ଦେଇଥିଲେ ଖୋଦ ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ସରକାର ଭାଙ୍ଗିବା ପାଇଁ ନିଜେ ଇସ୍ତଫା ଦେଇଦେଇଥିଲେ । ପୁଣି ଥରେ ମହାଗଠବନ୍ଧନକୁ ଫେରି ଆରଜେଡି ସହ ମେଣ୍ଟ କରି ନୂଆ ସରକାର ଗଠନ କରିଥିଲେ। ନିଜେ ପୁଣି ମୁଖ୍ୟମନ୍ତ୍ରୀ ହେବା ସହ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଦୁଇ ପୁଅଙ୍କୁ ସରକାରରେ ସାମିଲ କରିଥିଲେ ।

ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ସମୟର ଫଟୋ
ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ସମୟର ଫଟୋ

ଗୁଜୁରାଟରେ ବିଜେପି ସୁନାମୀ ହିମାଚଳରେ ଉଠିଲା ହାତ

ବର୍ଷ ୨୦୨୨ ର ଶେଷ ମାସ ଅର୍ଥାତ ଚଳିତ ମାସରେ ଶେଷ ହୋଇଥିବା ଗୁଜୁରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ବଡ ଧରଣ ଓଲଟପାଟ ହୋଇଛି। ହିମାଚଳ ପ୍ରଦେଶରେ କ୍ଷମତାସୀନ ଥିବା ବିଜେପି ୨୦୨୨ ବିଧାନସଭା ନିର୍ବାଚନରେ କ୍ଷମତା ହରାଇଛି। କଂଗ୍ରେସ ୨୦୨୨ ରେ ଏକମାତ୍ର ରାଜ୍ୟ ଭାବେ ହିମାଚଳ ଜିତି ନିଜର ଶକ୍ତି ସଂଗ୍ରହ କରୁଛି। ହେଲେ ସେପଟେ ବିଜେପି ଗୁଜୁରାଟରେ ରେକର୍ଡ ପରେ ରେକର୍ଡ କରିଛି । ଦଳ ୨୦୧୭ ର ନିରାଶାଜନକ ପ୍ରଦର୍ଶନରୁ ବାହାରି ମୋଟ ୧୮୨ ଆସନରୁ ୧୫୭ ଟି ଆସନ ଜିତି ସପ୍ତମ ଥର ପାଇଁ ସରକାର ଗଠନ କରିଛି । ୧୨ ଡିସେମ୍ବର ୨୦୨୨ ରେ ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଭୂପେନ୍ଦ୍ର ପଟେଲ ।

କଂଗ୍ରେସ ଅଧ୍ୟକ୍ଷ ଭାବେ ଦାୟିତ୍ବ ନେବା ବେଳର ଦୃଶ୍ୟ
କଂଗ୍ରେସ ଅଧ୍ୟକ୍ଷ ଭାବେ ଦାୟିତ୍ବ ନେବା ବେଳର ଦୃଶ୍ୟ

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ

ବିରୋଧୀ ବିଜେପିର ତମାମ ସମାଲୋଚନା ଆକ୍ରମଣ ପରେ ଶେଷରେ ୨୦୨୨ ରେ କଂଗ୍ରେସ ଦଳର ଅଧ୍ୟକ୍ଷ ନିର୍ବାଚନ କରିବାରେ ସଫଳ ହୋଇଛି । ୨୫ ବର୍ଷ ପରେ ପୁଣି ଥରେ ଅଣଗାନ୍ଧୀ ହାତକୁ ଯାଇଛି କଂଗ୍ରେସ କମାଣ । ଦଳର ବରିଷ୍ଠ ନେତା ତଥା ସାଂସଦ ମଲ୍ଲିକାର୍ଜୁନ ଖଡଗେ ହୋଇଛନ୍ତି କଂଗ୍ରେସ ସଭାପତି ଭାବେ ନିର୍ବାଚିତ। ଦଳ ସଂଗଠନକୁ ସଜାଡି ସହ ଦଳକୁ ପୁଣି ଥରେ ଟ୍ରାକକୁ ଆଣିବା ପାଇଁ ରାହୁଲ ଗାନ୍ଧୀ ଆରମ୍ଭ କରିଛନ୍ତି ଭାରତ ଯୋଡ ଯାତ୍ରା। ଗତ ସେପ୍ଟେମ୍ବରରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଆସନ୍ତା ଫେବୃୟାରୀରେ ଶେଷ ହେବ ।

ଏହାବି ପଢନ୍ତୁ- ଲିଭ୍-ଇନ୍ ସମ୍ପର୍କ ପାଇଁ ବୃଢୁଛି ସର୍ଭାଇକଲ କର୍କଟ ! ଚିକିତ୍ସା ବାଟ ବତାଇଲେ ଡାକ୍ତର

ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ସମୟର ଦୃଶ୍ୟ
ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ସମୟର ଦୃଶ୍ୟ

ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି

ଗତ ୫ ଜାନୁୟାରୀ ୨୦୨୨ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଜାବ ଗସ୍ତ କରିଥିଲେ। ଗସ୍ତବେଳେ ପ୍ରଧାନମନ୍ତ୍ରୀ ସୁରକ୍ଷାରେ ବଡ ଧରଣର ତ୍ରୁଟି ହୋଇଥିଲା। ସଡକମାର୍ଗରେ ଫିରୋଜପୁର ପ୍ରଧାନମନ୍ତ୍ରୀ ଯାଉଥିବା ବେଳେ ସେହି ରାସ୍ତାରେ କିଛି ଆନ୍ଦୋଳନକାରୀ ରାସ୍ତା ଉପରକୁ ଆସିଯାଇଥିଲେ । ଯାହାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକର୍ମୀ କାର୍କେଡ ଆଗକୁ ବଢିବାକୁ ଦେଇନଥିଲେ। ଏପରିକି ଏକ ଫ୍ଲାଏଅଭର ଉପରେ ୨୦ ମିନିଟ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ଅଟକି ରହିଥିଲା। କାର୍ଯ୍ୟକ୍ରମ ବାତିଲ କରି ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ ଫେରିଆସିଥିଲେ। ଯାହାକୁ ନେଇ ବର୍ଷ ଆରମ୍ଭରୁ ଦେଶବ୍ୟାପୀ ଚାଞ୍ଚଲ୍ୟ ଖେଳିଯାଇଥିଲା ।

PFI ବିରୋଧରେ କାର୍ଯ୍ୟାନୁଷ୍ଠାନ

ଦେଶ ବିରୋଧୀ କାର୍ଯ୍ୟକ୍ରମ ଅଭିଯୋଗ ଆଧାରରେ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ ( PFI) କୁ ଗସ୍ତ ସେପ୍ଟେମ୍ବରରେ କେନ୍ଦ୍ର ସରକାର ନିଷିଧ କରିଦେଇଥିଲେ । ସଂଗଠନ ସହ ଜଡିତ ଥିବା ୧୦୦ ରୁ ଅଧିକ ସଦସ୍ୟଙ୍କୁ ଗିରଫ କରିଥିଲେ । ଆତଙ୍କବାଦୀ ଗତିବିଧି କାର୍ଯ୍ୟକ୍ରମ ଅଭିଯୋଗରେ ଏହି ସଂଗଠନ ଉପରେ କେନ୍ଦ୍ର ସରକାର କାର୍ଯ୍ୟାନୁଷ୍ଠାନ ନେଇଥିଲେ । ୨୨ ନଭେମ୍ବର ୨୦୦୬ ରେ ଏହି ସଂଗଠନ ସ୍ଥାପନ ହୋଇଥିଲା ।

ହିଜାବ ବିବାଦ

କର୍ଣ୍ଣାଟକ ଉଡ୍ଡପୀର ଏକ କଲେଜରେ ହିଜାବ ବିବାଦ ଆରମ୍ଭ ହୋଇଥିଲା । ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଛାତ୍ରୀ ହିଜାବ ପିନ୍ଧି କଲେଜ ଆସିବାରେ ଲାଗିଲେ। ଧୀରେ ଧୀରେ ଏହା ବଢିବାରେ ଲାଗିଲା। ଏହାସହ ରାଜ୍ୟର ଅନ୍ୟାନ୍ୟ ସ୍କୁଲ କଲେଜକୁ ବ୍ୟାପିଲା । ସ୍ଥିତିକୁ ଦେଖି କର୍ଣ୍ଣାଟକ ସରକାର ଫେବୃୟାରୀ ୨୦୨୨ ରେ କର୍ଣ୍ଣାଟକ ଏଜୁକେଶନ ଆକ୍ଟ ୧୯୮୩ ଧାରା ୧୩୩(୨) ଲାଗୁ କଲେ । ଏହାଦ୍ବାରା ସ୍କୁଲ କଲେଜରେ ନିର୍ଦ୍ଧାରିତ ୟୁନିଫର୍ମ ବାଧ୍ୟତାମୂଳକ କରାଗଲା । ଘଟଣାକୁ ନେଇ ବିବାଦ ବଢିଲା। ହାଇକୋର୍ଟ ପରେ ସୁପ୍ରିମକୋର୍ଟରେ ଯାଇ ମାମଲା ପଞ୍ଚିଲା ।

ଏହାବି ପଢନ୍ତୁ- ଲୋନ ପାଇବାରେ କ୍ରେଡିଟ ସ୍କୋର ଭୂମିକା ଗୁରୁତ୍ବପୂର୍ଣ୍ଣ, ଜାଣନ୍ତୁ କେମିତି

ଇଡିରେ ହାଜର ହେଲେ ଗାନ୍ଧୀପରିବାର

ନେସନାଲ ହେରାଲଡ ଅର୍ଥ ହେରଫେର ମାମଲାରେ ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୨୦୨୨ ରେ ନେଇଥିଲା ବଡ କାର୍ଯ୍ୟାନୁଷ୍ଠାନ । ଏକାଧିକ ସ୍ଥାନରେ ରେଡ କରିବା ସହ ନେସନାଲ ହେରାଲଡ ମୁଖ୍ୟାଳୟ ସିଲ କରିଥିଲା । ଏଥିସହ ମାମଲାରେ ଜଡିତ ଥିବା ସୋନିଆ ଗାନ୍ଧୀ ରାହୁଲ ଗାନ୍ଧୀଙ୍କୁ ଇଡି ଅଫିସରେ ବାରମ୍ବାର ଜେରା କରିଥିଲା ତଦନ୍ତକାରୀ ସଂସ୍ଥା । ଯାହାକୁ ନେଇ ଦେଶବ୍ୟାପୀ ହଙ୍ଗାମା କରିଥିଲା କଂଗ୍ରେସ ।

ଚର୍ଚ୍ଚାରେ ଥିଲା Investigation Agency

ବର୍ଷ ୨୦୨୨ ରେ ଦେଶର ତଦନ୍ତକାରୀ ସଂସ୍ଥା ସବୁ ଚର୍ଚ୍ଚାରେ ଥିଲେ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (Enforcement Directorate) ଜାତୀୟ ତଦନ୍ତକାରୀ ବ୍ୟୁରୋ (Central Bureau Of Investigation) ଜାତୀୟ ତଦନ୍ତକାରୀ ସଂସ୍ଥା (National Investigation Agency) ଓ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (Narcotics Control Bureau) ପ୍ରମୁଖ ତମାମ ଗଣମାଧ୍ୟମ ଖବର ଶିରୋନାମାରେ ଥିଲେ। ଇଡି ଦେଶବ୍ୟାପୀ ବେଆଇନ ଆର୍ଥିକ କାରବାରକୁ ନେଇ ରେଡ କରିବା ସହ ଅନେକ ଲୋକଙ୍କୁ ଗିରଫ କରିଛି । ଇଡିରେ ଗିରଫ ତାଲିକାରେ ଅଛନ୍ତି ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ, ଏନସିପି ନେତା ନୱାବ ମଲ୍ଲିକ, ଆପ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ, ଶିବସେନା ସାଂସଦ ସଞ୍ଜୟ ରାଉତ, ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ବିଭିନ୍ନ ରାଜ୍ୟର ଏକାଧିକ ବିଧାୟକ ମଧ୍ୟ । ସିବିଆଇ, ଏନଆଇଏ ଓ ଏନସିବି ମଧ୍ୟ ଦେଶବ୍ୟାପୀ ବିଭିନ୍ନ ଅପରେସନ ଚଳାଇ ଚର୍ଚ୍ଚାରେ ଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.