ETV Bharat / business

ଲୋନ ପାଇବାରେ କ୍ରେଡିଟ ସ୍କୋର ଭୂମିକା ଗୁରୁତ୍ବପୂର୍ଣ୍ଣ, ଜାଣନ୍ତୁ କେମିତି

author img

By

Published : Dec 24, 2022, 1:06 PM IST

କ୍ରେଡିଟ ସ୍କୋର
କ୍ରେଡିଟ ସ୍କୋର

ଲୋନ କ୍ଷେତ୍ରରେ କ୍ରେଡିଟ ସ୍କୋର ଭୂମିକା ଅତି ଗୁରୁତ୍ବପୂର୍ଣ୍ଣ । ଯଦି ଆପଣଙ୍କ କ୍ରେଡିଟ ସ୍କୋର ଉନ୍ନତ ତେବେ ଲୋନ ମିଳିବାର ସମ୍ଭାବନା ଅଧିକ । ଯଦି ସ୍କୋର ଖରାପ ତାହା ହେଲେ ବ୍ୟାଙ୍କ ଆପଣଙ୍କ ଲୋନ ଆବେଦନକୁ ଗ୍ରହଣ କରିନପାରେ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଲୋନ ମିଳିବାରେ କ୍ରେଡିଟ ସ୍କୋର ମହତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରେ । କୌଣସି ବ୍ୟକ୍ତି ଲୋନ ଆବେଦନ କଲେ, ବ୍ୟାଙ୍କ ଏବଂ ଅନ୍ୟାନ୍ୟ ବିତ୍ତୀୟ ଅନୁଷ୍ଠାନ ତାଙ୍କର କ୍ରେଡିଟ ସ୍କୋର ଯାଞ୍ଚ କରିଥାନ୍ତି । ଏହି ସ୍କୋର ଜରିଆରେ ସହଜରେ ଲୋନ ମଞ୍ଜୁର ହୋଇପାରେ, ନାମଞ୍ଜୁର ମଧ୍ୟ ହୋଇପାରେ (Credit score can make or break your loan) । ଏପରିକି ଅଧିକାଂଶ କମ୍ପାନୀ ମଧ୍ୟ ନିଯୁକ୍ତି ସମୟରେ କ୍ରେଡିଟ ସ୍କୋର ଚେକ୍ କରୁଥିବା ଦେଖାଯାଏ । ୩ ଅଙ୍କ ବିଶିଷ୍ଟ ସ୍କୋର ଆପଣଙ୍କ ଆର୍ଥିକ ସ୍ଥିତି ଦର୍ଶାଏ ଏବଂ ଲୋନ କ୍ଷେତ୍ରରେ ପ୍ରମୁଖ ଭୂମିକା ନିର୍ବାହ କରେ । ତେବେ ଜାଣନ୍ତି କି, ସାମାନ୍ୟ ତ୍ରୁଟି ଆପଣଙ୍କ କ୍ରେଡିଟ ସ୍କୋର ନଷ୍ଟ କରିଥାଏ । ଏଥିପାଇଁ ସର୍ବଦା ଉଚ୍ଚ କ୍ରେଡିଟ ସ୍କୋର ବଜାୟ ରଖିବା ଦିଗରେ ଯତ୍ନବାନ ହେବା ଜରୁରୀ ।

ଯଦି ଆପଣଙ୍କ କ୍ରେଡିଟ ସ୍କୋର(Credit score) ଖୁବ୍ କମ୍ ରହିଛି, ତାହାହେଲେ ତୁରନ୍ତ ଏହାର କାରଣ ବିଶ୍ଲେଷଣ କରନ୍ତୁ । ବେଳେବେଳେ କ୍ରେଡିଟ ରିପୋର୍ଟରେ ଛୋଟ ଭୁଲ୍ ଆପଣଙ୍କ ସ୍କୋର ହ୍ରାସ କରିଥାଏ । ରେଟିଂ ଏଜେନ୍ସି ସହ ଯୋଗାଯୋଗ କରି ଏହାକୁ ସଂଶୋଧନ କରାଯାଇ ପାରିବ । ସେହିପରି ଆବଶ୍ୟକ ନଥାଇ ମଧ୍ୟ ଲୋନ ଆବେଦନ କରିବା ଦ୍ବାରା କ୍ରେଡିଟ ସ୍କୋର ଖରାପ ହୋଇଥାଏ । ତେଣୁ ଏଥିପ୍ରତି ସଜାଗ ରୁହନ୍ତୁ । ସାଧାରଣତଃ ଲୋନଦାତା ଲୋନ ଆବେଦନ ବିଚାର କରିବା ସମୟରେ ଆବେଦନକାରୀଙ୍କ ୭୫୦ରୁ ଅଧିକ କ୍ରେଡିଟ ସ୍କୋର ଦେଖିଥାନ୍ତି । ଯଦି ଆବେଦନକାରୀଙ୍କ ସ୍କୋର କମ୍ ଥାଏ, ସେ ଏହାକୁ ଖାରଜ କରିଦେଇଥାନ୍ତି ।

୩୦୦ରୁ ୯୦୦ ପର୍ଯ୍ୟନ୍ତ କ୍ରେଡିଟ୍‌ ସ୍କୋର୍‌ ଆପଣଙ୍କ ଋଣ ପରିଶୋଧ କ୍ଷମତାକୁ ଦର୍ଶାଇଥାଏ । ଯଦି କ୍ରେଡିଟ୍‌ ସ୍କୋର୍‌ ୭୫୦ରୁ ଅଧିକ, ତା'ହେଲେ ଆର୍ଥିକ ସଂସ୍ଥାଗୁଡିକ ଆପଣଙ୍କୁ ବିଶ୍ବାସଯୋଗ୍ୟ ଋଣକର୍ତ୍ତା ବିବେଚିତ ହୁଅନ୍ତି । କିନ୍ତୁ ଯଦି ଆପଣଙ୍କ କ୍ରେଡିଟ୍ ସ୍କୋର୍‌ ମାର୍କ ୭୦୦ରୁ କମ୍, ଏ କ୍ଷେତ୍ରରେ ବ୍ୟାଙ୍କ ଓ ଅନ୍ୟାନ୍ୟ ଆର୍ଥିକ ଅନୁଷ୍ଠାନଗୁଡିକ ଆପଣଙ୍କ ଲୋନ୍ ଆବେଦନ ନାମଞ୍ଜୁର କରିବାର ସମ୍ଭାବନା ଅଧିକ ।

କ୍ରେଡିଟ ରେଟିଂରେ ସୁଧାର ପାଇଁ ଅଯଥା ଲୋନ ଉପରେ ନିୟନ୍ତ୍ରଣ ରଖନ୍ତୁ । ନିୟମିତ ଭାବେ ଲୋନ ଓ କ୍ରେଡିଟ ବିଲ୍ ପୈଠ କରିବାକୁ ଚେଷ୍ଟା କରନ୍ତୁ । ବିଶେଷକରି ଅଧିକ ସୁଧ ବିଶିଷ୍ଟ ଲୋନଗୁଡିକୁ ଯଥାସମ୍ଭବ ବନ୍ଦ କରିବା ଉପରେ ଧ୍ୟାନ ଦିଅନ୍ତୁ । ଏହାଦ୍ବାରା ଆପଣ ନିଜର ଅନ୍ୟାନ୍ୟ ଲୋନ ଉପରେ ନିୟନ୍ତ୍ରଣ ହାସଲ କରିପାରିବେ ଓ କ୍ରେଡିଟ ସ୍କୋର ବୃଦ୍ଧି କରିବା ମଧ୍ୟ ସହଜ ହେବ । ସେହିପରି କ୍ରେଡିଟ କାର୍ଡ ବ୍ୟବହାର କମ୍ କରିବାକୁ ଚେଷ୍ଟା କରନ୍ତୁ । କ୍ରେଡିଟ ଲିମିଟର ୩୦ରୁ ୪୦ ପ୍ରତିଶତ ଠାରୁ ଅଧିକ କାର୍ଡ ବ୍ୟବହାର କରିବା ଅନୁଚିତ୍ ।

ଠିକ୍ ସମୟରେ ଲୋନ କିସ୍ତି ଓ କାର୍ଡ ବିଲ୍ ପେମେଣ୍ଟ କରିବା ଅଭ୍ୟାସରେ ପକାନ୍ତୁ । ଆପଣଙ୍କ କ୍ରେଡିଟ ସ୍କୋର ହ୍ରାସ ଓ ବୃଦ୍ଧି କରିବାରେ ଏହା ଅନ୍ୟତମ ଫ୍ୟାକ୍ଟର ଅଟେ । କିସ୍ତି କିମ୍ବା କାର୍ଡର ଥରେମାତ୍ର ବିଳମ୍ବ ପେମେଣ୍ଟ ଆପଣଙ୍କ ବର୍ଷ ବର୍ଷର ସ୍କୋରକୁ ପ୍ରଭାବିତ କରିଥାଏ । ସିଧାସଳଖ ନିଜ ବ୍ୟାଙ୍କ ଆକାଉଣ୍ଟରୁ କ୍ରେଡିଟ କାର୍ଡ ବିଲ୍ ପେମେଣ୍ଟ କରିବାକୁ ଚେଷ୍ଟା କରନ୍ତୁ । ଯଦି ଆପଣ ଅନେକ ଗୁଡିଏ zero-security loans ନେଇଛନ୍ତି, ଏହା ଆପଣଙ୍କ କ୍ରେଡିଟ ସ୍କୋର ଉପରେ ନକରାତ୍ମକ ପ୍ରଭାବ ପକାଇପାରେ । ଏହା ବଦଳରେ ଆପଣ ହୋମ୍ ଲୋନ ନଚେତ୍ ଗୋଲ୍ଡ ବଦଳରେ ଲୋନ ନେଇପାରିବେ । ଲୋନ ଅବଧି ଅଧିକ ଥିଲେ, ଆପଣ କିସ୍ତି ରାଶି ବୃଦ୍ଧି କରି ଏହାକୁ ହ୍ରାସ କରିପାରିବେ ।

ସମସ୍ତଙ୍କ ଜୀବନରେ ଆର୍ଥିକ ଅନୁଶାସନ ଜରୁରୀ । ଏକାସାଙ୍ଗରେ ଏକାଧିକ ଲୋନ ପାଇଁ ଆବେଦନ କରନ୍ତୁ ନାହିଁ । ଏପରି କରିବା ଦ୍ବାରା ଆପଣ ଲୋନ ପାଇଁ ଅଧିକ ଉତ୍ସୁକ ବୋଲି ବ୍ୟାଙ୍କ ଭାବିଥାନ୍ତି । ଏହାଦ୍ବାରା କ୍ରେଡିଟ ସ୍କୋର ପ୍ରଭାବିତ ହୋଇଥାଏ । ଯଦି ଆପଣଙ୍କ କ୍ରେଡିଟ ସ୍କୋର କମ୍ ଥାଏ, ତେବେ ନୂଆ ଲୋନ ଆବେଦନ କରିବା ଅନୁଚିତ୍ । ନିୟମିତ ଭାବେ ନିଜର କ୍ରେଡିଟ ରିପୋର୍ଟ ଯାଞ୍ଚ କରନ୍ତୁ । ଏହାଦ୍ବାରା କ୍ରେଡିଟ ରିପୋର୍ଟରେ କୌଣସି ତ୍ରୁଟି ଥିଲେ ଆପଣ ଜାଣିପାରିବେ ଓ ଏଜେନ୍ସି ସହ ଯୋଗାଯୋଗ କରି ଏହାକୁ ସଂଶୋଧନ କରିପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.