ସୁନା ଚେନ ଲୁଟି ଫେରାର ହେଉଥିଲେ ଲୁଟେରା, କାବୁ କଲେ ସେନା କର୍ମଚାରୀ

By ETV Bharat Odisha Team

Published : Feb 13, 2024, 7:14 AM IST

thumbnail

Loot In Kendrapara: କେନ୍ଦ୍ରାପଡ଼ା: ଆତଙ୍କ ଖେଳାଇଥିଲେ ଲୁଟେରା । ମାଡିବସିଲେ ସେନା କର୍ମଚାରୀ । ସୋମବାର ଅପରାହ୍ନରେ ଏକ ଲୁଟେରା ଗ୍ୟାଙ୍ଗ ଛିନତାଇ କରି ଫେରାର ହେଉଥିବା ବେଳେ ସେମାନଙ୍କୁ କାବୁ କରି ଥାନାରେ ଜିମା ଦେଇଛନ୍ତି କେନ୍ଦ୍ରାପଡ଼ା ଆଳି ଥାନା ଅଞ୍ଚଳର ସେନା କର୍ମଚାରୀ ଓ ଅଞ୍ଚଳବାସୀ ।  ସେନା କର୍ମଚାରୀଙ୍କ ଏହି ସାହାସିକତା ପାଇଁ ଅଞ୍ଚଳବାସୀ ପ୍ରଶଂସା କରୁଥିବା ବେଳେ ପୋଲିସ ଅଭିଯୁକ୍ତଙ୍କୁ ଅଧିକ ପଚରାଉଚରା କରି ଲୁଟ୍ ଅଳଙ୍କାର ପାଇବା ପାଇଁ ପ୍ରୟାସ ଜାରି ରଖିଛି ।  

ସୂଚନା ଅନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ପାଇକସାହି ଗ୍ରାମର ବାସନ୍ତୀ ସାହୁ ସୋମବାର ଅବସରରେ ନିକଟସ୍ଥ ଶିବ ମନ୍ଦିରକୁ ଯାଇଥିଲେ । ମନ୍ଦିରରୁ ଫେରୁଥିବା ବେଳେ ଦୁଇ ଜଣ ଲୁଟେରା ଏକ କଳା ପଲସରରେ ଆସି ପ୍ରଥମେ ଏକ ଠିକଣା ପଚାରିଥିଲେ । ବାସନ୍ତୀ ସେମାନଙ୍କୁ ଠିକଣା ଜଣାଉଥିବା ବେଳେ ହଠାତ ପଛରେ ବସିଥିବା ଯୁବକ ଜଣକ ତାଙ୍କ ବେକରୁ ସୁନା ଚେନ ଟାଣି ନେଇଥିଲେ । ଏଥିରେ ବାସନ୍ତୀ ଚିତ୍କାର କରିବାରୁ ତାଙ୍କୁ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଥିଲେ । ଏହାପରେ ଏହି ଯୁବକମାନେ ସମାନ ଢଙ୍ଗରେ ଆଳି ଥାନା ଅନ୍ତର୍ଗତ ଲୋକାପଡା ଗ୍ରାମର ସ୍ୱର୍ଣ୍ଣପ୍ରଭା ଘଡେଇଙ୍କର ସୁନା ଚେନ ନେଇ ଫେରାର ହେଉଥିବା ବେଳେ ଛୁଟିରେ ଘରକୁ ଆସିଥିବା ସେନା କର୍ମଚାରୀ ସ୍ୱର୍ଣ୍ଣପ୍ରଭାଙ୍କ ପୁଅ ବିଶ୍ୱଜିତ ଏହି ଲୁଟେରାଙ୍କୁ ଗାଡ଼ି ଯୋଗେ ଗୋଡ଼ାଇଥିଲେ । ତେବେ ଆଳି ବାଳକାଟି ନିକଟରେ ବାଟ ଜାଣିନପାରି ଲୁଟେରାମାନେ ଇତସ୍ତତଃ ହୋଇଯିବା ପରେ  ସେମାନଙ୍କୁ ଗୋଡାଉଥିବା ବିଶ୍ୱଜିତ ଲୁଟେରାଙ୍କୁ କାବୁ କରିବା ସହ ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସର ଜିମା ଦେଇଥିଲେ । ଏହାସହ ସେମାନେ ବ୍ୟବହାର କରୁଥିବା ପଲସର ବାଇକ ମଧ୍ୟ ଜବତ ହୋଇଛି । ଆଳି ପୋଲିସ ଉକ୍ତ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଅଟକଙ୍କୁ ପଚରାଉଚରା ଜାରି ରଖିଛି । ଏନେଇ ଆଳି ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.