ETV Bharat / politics

ସମ୍ବଲପୁରରେ ବାଚସ୍ପତି ଓମ ବିର୍ଲା: ‘ଓଡିଶା ଚାହୁଁଛି ବିଜେପି ସରକାର, ସବୁ ଲୋକସଭା ଆସନ ଜିତିବୁ’ - Om Birla in Sambalpur

author img

By ETV Bharat Odisha Team

Published : May 16, 2024, 10:07 AM IST

lok sabha election 2024: ସମ୍ବଲପୁରରେ ଓମ ବିର୍ଲା । ‘ମିଶନ ଫର ନେସନ’ କାର୍ଯ୍ୟକ୍ରମକୁ କଲେ ସମ୍ବୋଧିତ । କହିଲେ ରାଜ୍ୟବାସୀ ଏଥର ବିଜେପି ସରକାର ଚାହାନ୍ତି । ବିଭିନ୍ନ ପ୍ରସଙ୍ଗରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଲେ ପ୍ରଶଂସା । ଅଧିକ ପଢନ୍ତୁ

ସମ୍ବଲପୁରରେ ବାଚସ୍ପତି ଓମ ବିର୍ଲା: ‘ଓଡିଶା ଚାହୁଁଛି ବିଜେପି ସରକାର, ସବୁ ଲୋକସଭା ଆସନ ଜିତିବୁ’
ସମ୍ବଲପୁରରେ ବାଚସ୍ପତି ଓମ ବିର୍ଲା: ‘ଓଡିଶା ଚାହୁଁଛି ବିଜେପି ସରକାର, ସବୁ ଲୋକସଭା ଆସନ ଜିତିବୁ’ (PIC-ETV Bharat Odisha)

ସମ୍ବଲପୁରରେ ବାଚସ୍ପତି ଓମ ବିର୍ଲା: ‘ଓଡିଶା ଚାହୁଁଛି ବିଜେପି ସରକାର, ସବୁ ଲୋକସଭା ଆସନ ଜିତିବୁ’ (PIC-ETV Bharat Odisha)

ସମ୍ବଲପୁର: ଚଳିତମାସ ୨୫ ତାରିଖରେ ପଶ୍ଚିମ ଓଡିଶାର ହାଇପ୍ରୋଫାଇଲ ସଂସଦୀୟ ଆସନ ସମ୍ବଲପୁରରେ ହେବାକୁ ଯାଉଛି ମତଦାନ । ସମୟ ପାଖେଇ ଆସୁଥିବା ବେଳେ ସଂସଦୀୟ କ୍ଷେତ୍ର ଅଞ୍ଚଳରେ ବିଜେପି ପକ୍ଷରୁ ଏକାଧିକ କେନ୍ଦ୍ରୀୟ ନେତା ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଏହିକ୍ରମରେ ଗତକାଲି (ବୁଧବାର) ସନ୍ଧ୍ୟାରେ ସ୍ଥାନୀୟ କ୍ଷେତରାଜପୁରର ଦୁର୍ଗାମଙ୍ଗଳମ ମଣ୍ଡପରେ ‘ବିକଶିତ ଭାରତ ଅଭିଯାନ’ ପକ୍ଷରୁ ‘ମିଶନ-ଫର-ନେସନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜେପିର ବରିଷ୍ଠ ନେତା ତଥା ଲୋକସଭା ବାଚସ୍ପତି ଓମ ବିର୍ଲା ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ବିର୍ଲା କହିଛନ୍ତି, ରାଜ୍ୟରେ ଏଥର ପରିବର୍ତ୍ତନ ହେବାକୁ ଯାଉଛି । ରାଜ୍ୟବାସୀ ଭାରତୀୟ ଜନତା ପାର୍ଟି ସରକାର ଚାହାନ୍ତି । ଏଥର ବିଜେପି ନିର୍ବାଚନର ଭଲ ପ୍ରଦର୍ଶନ କରିବାକୁ ଯାଉଛି ।

ବିଜୟ କେଡିଆଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ତଥା ଚଳିତଥରର ସ୍ଥାନୀୟ ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ନୀ ମୃଦୁଳା ଠାକୁର ପ୍ରଧାନ ସମ୍ବଲପୁରକୁ ଦେଶର ଏକ ପ୍ରମୁଖ ସହର ଭାବେ ବିକଶିତ କରିବା ପାଇଁ ସମର୍ଥନ ଦେବାକୁ ଉପସ୍ଥିତ ଲୋକଙ୍କୁ ଅନୁରୋଧ କରିଥିଲେ । ନରେନ୍ଦ୍ର ମୋଦି ତୃତୀୟ ଥର ପ୍ରଧାନମନ୍ତ୍ରୀ ହେଲେ ବିକଶିତ ଭାରତ ଏବଂ ବିକଶିତ ଓଡ଼ିଶା ଗଠନ ହେବ ବୋଲି କହିଥିଲେ ମୃଦୁଳା ।



କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଓମ ବିର୍ଲା ତାଙ୍କର ଅଭିଭାଷଣରେ କହିଥିଲେ, ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶାରେ ବିକାଶର ଯଥେଷ୍ଟ ସମ୍ଭାବନା ରହିଛି । ରାଜ୍ୟ ସରକାର ୨୫ବର୍ଷ କାଳ ଧରି ଶାସନରେ ରହି ସୁଦ୍ଧା ଲୋକଙ୍କ ପାଇଁ କିଛି କରିନାହାନ୍ତି । ‘ଭାଜପା’ ବିକଶିତ ଓଡ଼ିଶା ତିଆରି ସଂକଳ୍ପ ନେଇଛି । କାରଣ ‘ବିକଶିତ ଭାରତ’ର ପରିକଳ୍ପନାକୁ ସଫଳ କରିବା ପାଇଁ ଓଡିଶା ବିକଶିତ ହେବାର ଆବଶ୍ୟକତା ରହିଛି । ମୋଦିଜୀଙ୍କ ନେତୃତ୍ୱରେ ୧୦ବର୍ଷରେ ଦେଶ ତୀବ୍ର ଗତିରେ ଆଗକୁ ବଢିଛି । ଆଗରୁ ପ୍ରତିରକ୍ଷା ଓ ପ୍ରଯୁକ୍ତିବିଦ୍ୟା ପାଇଁ ବିକଶିତ ଦେଶ ଉପରେ ଆମେ ନିର୍ଭର କରୁଥିଲୁ । କିନ୍ତୁ ଏବେ ବିଦେଶକୁ ଟେକ୍ନୋଲୋଜି ପ୍ରଦାନ କରୁଛି । ସାରା ବିଶ୍ବରେ ଭାରତୀୟମାନେ ନିଜର କାର୍ଯ୍ୟକୁଶଳୀ ପ୍ରତିଭାକୁ ପ୍ରଦର୍ଶିତ କରୁଛନ୍ତି । ଜି-୨୦ରେ ବିଶ୍ବକୁ ଭାରତର ଭାଷା ସାହିତ୍ୟ କଳା ସଂସ୍କୃତି ପରମ୍ପରା ଐତିହ୍ୟକୁ ଆଗକୁ ଅଣାଯାଇଥିଲା । ମୋଦିଜୀଙ୍କ ନେତୃତ୍ୱରେ ଚାଲିଥିବା ବିଜେପି ସରକାର ପାଇଁ ଦେଶର ସୁରକ୍ଷା ସର୍ବ ପ୍ରଥମ ରହିଛି । ଶହ ଶହ ବର୍ଷ ଧରି ଦେଶ ମୋଗଲ ଓ ଇଂରେଜ ଶାସନ ଅଧୀନରେ ରହିଥିଲା । ଦେଶର ସମସ୍ତ କ୍ଷେତ୍ରରେ ତାଙ୍କର ସଂସ୍କୃତିର ପ୍ରଭାବ ବିସ୍ତାର ହୋଇଥିଲା । ଓଡ଼ିଶାରେ ରାଜ୍ୟ ସରକାର ଲୋକଙ୍କ ପାଇଁ କିଛି କରିନାହିଁ, ସେଥିପାଇଁ ଯୁବକମାନେ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ଏଥର ଓଡିଶାର ସବୁ ଲୋକସଭା ସିଟ୍‌ ବିଜେପି ଜିତିବା ସହ ରାଜ୍ୟରେ ବିଜେପି ସରକାର ଗଠନ ହେବ ବୋଲି ଲୋକେ ଚାହୁଁଛନ୍ତି ବୋଲି l



ବିର୍ଲା କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭଳି ଜଣେ ଦକ୍ଷ ଓ ପ୍ରତିଭାଶାଳୀ ବ୍ୟକ୍ତିଙ୍କୁ ସମ୍ବଲପୁରବାସୀ ସାଂସଦ ପ୍ରାର୍ଥୀ ଭାବେ ପାଇଛନ୍ତି । ‘ଉଜ୍ଜଳା’ ଯୋଜନା ଓ ‘ଜାତୀୟ ଶିକ୍ଷା ନୀତି’ ଭଳି ଗୁରୁତ୍ୱପୂର୍ଣ୍ଣ ଓ ଐତିହାସିକ ପରିଯୋଜନାର ଗୁରୁଦାୟିତ୍ୱ ପ୍ରଧାନମନ୍ତ୍ରୀ ମୋଦିଜୀ ତାଙ୍କ ଉପରେ ନ୍ୟସ୍ତ କରିଛନ୍ତି, ଯାହାକୁ କି ଧର୍ମେନ୍ଦ୍ର ପ୍ରଧାନ ନିଜର ପରିଶ୍ରମ, ଦୂରଦୃଷ୍ଟି, କାର୍ଯ୍ୟଦକ୍ଷତା ଓ ବୁଦ୍ଧିମତ୍ତା ଯୋଗୁଁ ସଫଳ କରି ପାରିଛନ୍ତି । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସମ୍ବଲପୁର ବିଧାୟକ ପ୍ରାର୍ଥୀ ଜୟନାରାୟଣ ମିଶ୍ର ସହରରେ ହନୁମାନ ଶୋଭାଯାତ୍ରା କାହିଁକି କରିବାକୁ ଅନୁମତି ଦିଆଗଲା ନାହିଁ ବୋଲି ପ୍ରଶାସନକୁ ପ୍ରଶ୍ନ କରିଥିଲେ । ବିନା ଦୋଷରେ ହନୁମାନ ଭକ୍ତମାନଙ୍କୁ ଜେଲରେ ଭର୍ତ୍ତି କରାଯାଉଛି ବୋଲି ଜୟନାରାୟଣ କହିଥିଲେ ।



ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.