ହନୁମାନ ଜୟନ୍ତୀରେ ଗୋଷ୍ଠୀ ସଂଘର୍ଷ; 5 ଆହତ, ଭାଙ୍ଗିଲା ଏସପିଙ୍କ ଗାଡ଼ି - Group Clash In Balasore

By ETV Bharat Odisha Team

Published : Apr 14, 2024, 11:02 PM IST

thumbnail

Group Clash In Balasore ବାଲେଶ୍ୱର: ହନୁମାନ ଜୟନ୍ତୀରେ ଗୋଷ୍ଠୀ ସଂଘର୍ଷ । ଶୋଭାଯାତ୍ରା ଚାଲିଥିବା ବେଳେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମୁହାଁମୁହିଁ । ଏଥିରେ 5 ଜଣ ଆହତ ହୋଇଥିବା ବେଳେ ପୋଲିସ ଗାଡିକୁ ମଧ୍ୟ ଭଙ୍ଗାରୁଜା କରାଯାଇଥିବା ଦେଖିବାକୁ ମିଳିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ରେମୁଣା ଅଞ୍ଚଳରେ । 

ଗତବର୍ଷ ହନୁମାନ ଜୟନ୍ତୀରେ ସମ୍ବଲପୁରରେ ସାମ୍ପ୍ରଦାୟିକ ହିଂସା ଦେଖିବାକୁ ମିଳିଥିବା ବେଳେ ଏଥର ଏହାର ପୁନରାବୃତ୍ତି ଦେଖିବାକୁ ମିଳିଛି ବାଲେଶ୍ବର ରେମୁଣା ଅଞ୍ଚଳରେ । ଆଜି ସନ୍ଧ୍ୟା ସମୟରେ ଗନିପୁର ଅଞ୍ଚଳରେ ବଜରଙ୍ଗ ଦଳ ପକ୍ଷରୁ ହନୁମାନ ଜୟନ୍ତୀ ଅବସରରେ ଏକ ଶୋଭାଯାତ୍ରା ବାହାରିଥିଲା । ଏହି ସମୟରେ କୌଣସି କଥାକୁ ନେଇ ଅନ୍ୟ ଏକ ସମ୍ପ୍ରଦାୟ ଗୋଷ୍ଠୀ ପକ୍ଷରୁ ଶୋଭାଯାତ୍ରା ଉପରକୁ ପଥର ମାଡ଼ କରାଯାଇଥିଲା । ପରେ ଦୁଇ ଗୋଷ୍ଠୀ ମଧ୍ୟରେ ଜୋରଦାର ଗଣ୍ଡଗୋଳ ଏବଂ ସଂଘର୍ଷ ଲାଗିଥିଲା । ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇଥିବା ପୋଲିସଙ୍କ ଉପରକୁ ମଧ୍ୟ ପଥର ମାଡ଼ କରାଯାଇଥିଲା । ଏପରିକି ବାଲେଶ୍ୱର ଏସପି ସାଗରିକା ନାଥ ଘଟଣାସ୍ଥଳରେ ଥିବା ବେଳେ ତାଙ୍କ ଗାଡି ଉପରକୁ ଆକ୍ରମଣ କରାଯାଇଥିଲା । ଆକ୍ରମଣରେ ଏସପିଙ୍କ ଗାଡି ଭାଙ୍ଗିରୁଜି ଯାଇଥିବା ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ...ସୁଧ କାରବାର ନେଇ ପଦ୍ମକେଶରୀପୁରରେ ମରଣାତ୍ମକ ଆକ୍ରମଣ, ଆଗକୁ ଆସିଲା ଆଉ ଏକ ଧାରକର୍ତ୍ତାଙ୍କ ଦୁଃଖ କାହାଣୀ - GROUP CLASH IN BHUBANESWAR

ସେପଟେ ପଥର ମାଡରେ ୫ ଜଣ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଏବଂ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏନେଇ ବିଭିନ୍ନ ସ୍ଥାନରେ ଏସପି ସାଗରିକା ନାଥଙ୍କ ନେତୃତ୍ୱରେ ପୋଲିସ ଫୋର୍ସ ଫ୍ଲାଗ ମାର୍ଚ୍ଚ କରିଛି । ବର୍ତ୍ତମାନ ସମୟରେ ସ୍ଥିତି ନିୟନ୍ତ୍ରଣରେ ଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଘଟଣାରେ କେହି ଗିରଫ କିମ୍ବା ଅଟକ ଥିବା ନେଇ କୌଣସି ସୂଚନା ମିଳିନାହିଁ ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.