ETV Bharat / state

ବୌଦ୍ଧରେ ପ୍ରତିଷ୍ଠା ହେଲା ଇନଟାକ, ଜିଲ୍ଲାର ଐତିହ୍ୟକୁ ମିଳିବ ସୁରକ୍ଷା - INTACH BOUDH CHAPTER

author img

By ETV Bharat Odisha Team

Published : May 16, 2024, 6:53 PM IST

INTACH in Boudh: ବୌଦ୍ଧ ଜିଲ୍ଲାର ଅବହେଳିତ ଐତିହ୍ୟ ସ୍ଥାନକୁ ସୁରକ୍ଷା ଦେବା ପାଇଁ ପ୍ରତିଷ୍ଠା ହେଲା ଇଣ୍ଡିଆନ ନ୍ୟାସନାଲ ଟ୍ରଷ୍ଟ ଫର ଆର୍ଟ ଆଣ୍ଡ କଲଚରାଲ ହେରିଟେଜ । ଅଧିକ ପଢ଼ନ୍ତୁ

INTACH established in Boudh
INTACH established in Boudh (ETV Bharat Odisha)

INTACH established in Boudh (ETV Bharat Odisha)

ବୌଦ୍ଧ: ଜିଲ୍ଲାରେ ପ୍ରତିଷ୍ଠା ହେଲା ଇଣ୍ଡିଆନ ନ୍ୟାସନାଲ ଟ୍ରଷ୍ଟ ଫର ଆର୍ଟ ଆଣ୍ଡ କଲଚରାଲ ହେରିଟେଜ । ଜିଲ୍ଲାରେ ଥିବା ଅବହେଳିତ ଐତିହ୍ୟର ସୁରକ୍ଷା କରିବା ପାଇଁ ଗତକାଲି ଇନଟାକକୁ ପ୍ରତିଷ୍ଠା କରାଯାଇଛି । ସ୍ବାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ବୌଦ୍ଧ ଜିଲ୍ଲାର ଶତାଧିକ ବର୍ଷର ସ୍ମାରକୀ ଗୁଡ଼ିକ ଅବହେଳିତ ହୋଇ ରହିଥିଲା । ତେବେ ବର୍ତ୍ତମାନ ଏଭଳି ଐତିହ୍ୟର ଚିହ୍ନଟ କରାଯାଇ ସୁରକ୍ଷା ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି । ଇନଟାକ ପାଇଁ ବୌଦ୍ଧ ଜିଲ୍ଲାର ଆବାହକ ହୋଇଛନ୍ତି ବିଶେଶ୍ୱର ପୃଷ୍ଟି । ବୌଦ୍ଧ ଜିଲ୍ଲାରେ ଇନଟାକ ପ୍ରତିଷ୍ଠା ହେବା ପରେ ଜିଲ୍ଲାର ଅବହେଳିତ ଅବସ୍ଥାରେ ରହିଥିବା ଐତିହ୍ୟ ସ୍ଥଳୀର ସୁରକ୍ଷା ପାଇଁ ଉଦ୍ୟମ କରାଯିବ ବୋଲି ସୂଚନା ମିଳିଛି ।

ଓଡ଼ିଶାର ମଧ୍ୟ ଭାଗରେ ତଥା ମହାନଦୀ କୂଳରେ ଥିବା ଏକ ସୁବିସ୍ତୃତ ଅଞ୍ଚଳର ଇତିହାସ ତଥା ସଂସ୍କୃତି ବେଶ ପ୍ରାଚୀନ । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭରପୁର ହୋଇ ରହିଛି ଅନେକ ଐତିହାସିକ କିର୍ତ୍ତୀରାଜି । ପ୍ରାୟ ତିନି ହଜାର ବର୍ଷର ପ୍ରାଚୀନ ଇତିହାସକୁ ନିଜ ବକ୍ଷରେ ସାଉଁଟି ରଖିଥିବା ମନମୁଣ୍ଡା, ବାଉଶୁଣି, ଜଗତୀ, ବୌଦ୍ଧ, କରଡ଼ି, ରାମଗଡ, ହରଭଙ୍ଗା ଭଳି ଅନେକ ସ୍ଥାନରେ ରହିଛି ଶତାଧିକ ଐତିହ୍ୟ ସଂସ୍କୃତିରେ ଭରପୁର ସ୍ଥାନ । ବୌଦ୍ଧ ଧର୍ମରେ ପ୍ଲାବିତ ଏହି ଅଞ୍ଚଳର ନାମର ସାର୍ଥକତା ପ୍ରତିପାଦନ କରୁଥିବା ବେଳେ ଜିଲ୍ଲାର ରାମେଶ୍ବର ମନ୍ଦିର ସମୂହ ଓ ଗନ୍ଧରାଡ଼ିର ହରିହର ମନ୍ଦିର ଜାତୀୟ ଐତିହ୍ୟ ସ୍ମାରକ ଭାବରେ ଅଦ୍ୟାବଧି ଦଣ୍ଡାୟମାନ । ବୌଦ୍ଧ ଜିଲ୍ଲାର କଳା, ସଂସ୍କୃତି, ପରମ୍ପରା ଓ ଐତିହ୍ୟ କେବଳ ରାଜ୍ୟରେ ନୁହେଁ ସାରା ଦେଶରେ ବେଶ ପରିଚିତ । ତେବେ ସ୍ବାଧୀନତାର ପରବର୍ତ୍ତୀ ସମୟରେ ଅତ୍ୟନ୍ତ ଅବହେଳିତ ହୋଇ ରହିଛି ଜିଲ୍ଲାର ଐତିହ୍ୟ ।

ଏହା ମଧ୍ୟ ପଢ଼ନ୍ତୁ.. ଆଦିବାସୀ କିଶୋରୀ ବାଳିକା ହେବେ ପାରମ୍ପରିକ ବିହନ ସଂରକ୍ଷଣର ବାର୍ତ୍ତାବାହକ - Tribal Girls Selfempowerment

ବୌଦ୍ଧ ଜିଲ୍ଲାର ଏଭଳି ଐତିହ୍ୟ ସ୍ମାରକ ଦେଖି ଅନେକ ଜାତୀୟ ତଥା ଆନ୍ତର୍ଜାତିକ ବ୍ୟକ୍ତିତ୍ଵ ଅନେକ ପ୍ରଶଂସା କରିବା ସହିତ ବିଭିନ୍ନ ସମୟରେ ରାଜନୈତିକ ବ୍ୟକ୍ତି ବିଶେଷ ଓ ଅଧିକାରୀ ଏସବୁ ଐତିହ୍ୟ ସ୍ଥଳ ପରିଦର୍ଶନରେ ଆସିଛନ୍ତି । ହେଲେ ଅଦ୍ୟାବଧି ଏସବୁ ଐତିହ୍ୟ ସଂସ୍କୃତିର ପତନ ହେବାରେ ଲାଗିଛି । ତେଣୁ ବୁଧବାର ସଂଧ୍ୟାରେ ବୌଦ୍ଧ ଜିଲ୍ଲାରେ ପ୍ରତିଷ୍ଠା ହୋଇଛି ଇନଟାକ ବା ଇଣ୍ଡିଆନ ନ୍ୟାସନାଲ ଟ୍ରଷ୍ଟ ଫର ଆର୍ଟ ଆଣ୍ଡ କଲଚରାଲ ହେରିଟେଜ । ପ୍ରତିଷ୍ଠା ଦିବସରେ ପନ୍ଦର ଜଣ ସଦସ୍ୟଙ୍କୁ ନେଇ ଏହାର ଅରମ୍ଭ ହୋଇଥିଲା । ରାଜ୍ୟ ସହଆବାହକ ଅନୀଲ ଧିରଙ୍କ ଉପସ୍ଥିତିରେ ଜିଲ୍ଲା ଇନଟାକ ପ୍ରତିଷ୍ଠା କରାଯାଇଥିଲା। ଏହି ସମାରୋହରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ବୁଦ୍ଧିଜୀବୀ, ସଂସ୍କୃତି ପ୍ରେମୀ, ଐତିହାସିକଙ୍କ ସମେତ ସମ୍ବଲପୁର, ସୋନପୁର ଓ ବଲାଙ୍ଗୀର ଜିଲ୍ଲାର ଇନଟାକ କର୍ମକର୍ତ୍ତା ମାନେ ଯୋଗଦାନ କରିଥିଲେ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.