ETV Bharat / bharat

କାଟିବାକୁ ଯାଇଥିଲେ ଶିଶୁକନ୍ୟାର 6ନଂ ଆଙ୍ଗୁଠି, ଜିଭ କାଟିଲେ ଡାକ୍ତର - MEDICAL NEGLIGENCE

author img

By ETV Bharat Odisha Team

Published : May 16, 2024, 5:46 PM IST

Medical Negligence: କେରଳ କୋଝିକୋଡ ମେଡିକାଲରେ ବଡ଼ ଧରଣର ଚିକିତ୍ସା ଅବହେଳା । କାଟିବାକୁ ଯାଇଥିଲେ ଶିଶୁକନ୍ୟାର 6ନଂ ଆଙ୍ଗୁଠି, ଜିଭ କାଟିଲେ ଡାକ୍ତର । ଅଧିକ ପଢନ୍ତୁ

KOZHIKODE MEDICAL COLLEGE
KOZHIKODE MEDICAL COLLEGE (ETV Bharat)

ଥିରୁଅନନ୍ତପୁରମ: କେରଳର କୋଝିକୋଡ଼ରେ ଚିକିତ୍ସାରେ ବଡ଼ ଧରଣର ଅବହେଳା । ଡାକ୍ତରଙ୍କ ଛୋଟ ଭୁଲ ବୁଝାମଣା ଲାଗି କଷ୍ଟ ଭୋଗୁଛି 4ବର୍ଷର ଶିଶୁକନ୍ୟା । କୁନି ଝିଅର ପିତାମାତା ତାର 6 ନଂ ହାତ ଆଙ୍ଗୁଠିକୁ ସର୍ଜରୀ ପାଇଁ ମେଡିକାଲକୁ ନେଇ ଯାଇଥିବା ବେଳେ ଡାକ୍ତର କାଟିଛନ୍ତି ଜିଭ । ପରିବାର ପକ୍ଷରୁ ଏଭଳି ସାଙ୍ଘାତିକ ଅଭିଯୋଗ ଆସିଥିବା ବେଳେ ନିଜ ଭୁଲ ମଧ୍ୟ ସ୍ବୀକାର କରିଛନ୍ତି ଡାକ୍ତର । କୋଝିକୋଡ ମେଡିକାଲ କଲେଜରେ କାର୍ଯ୍ୟରତ ଜଣେ ଡାକ୍ତରଙ୍କ ଦ୍ବାରା ଏଭଳି ଭୁଲ ହୋଇଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ, ଚେରୁଭାନ୍ନୁର ଅଧିବାସୀ ଆଈଶା ରୁଭା (4)ଙ୍କ ପିତାମାତା ଆଜି ସକାଳେ ତାଙ୍କୁ କୋଝିକୋଡ ମେଡିକାଲକୁ ନେଇ ଯାଇଥିଲେ । କୁନି ଝିଅର 6 ନମ୍ବର ଆଙ୍ଗୁଠିକୁ ହଟାଇବାର ଥିଲା । କୁନି ଝିଅଟିର କେଶରେ 6 ନଂ ଆଙ୍ଗୁଠିଟି ଲାଖି ଯାଇ ଆଘାତ ପାଇବା ପରେ ଏହାକୁ ଝିଅର ଶରୀରରୁ ହଟାଇବା ଲାଗି ପିତାମାତା ମନସ୍ଥ କରିଥିଲେ । ଏହାପରେ ସେ କୁନିଝିଅକୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସକାଳ ପ୍ରାୟ 9ଟାରେ ଅପରେସନ ଥିଏଟର ଭିତରକୁ ଯାଇଥିଲା ଆଈଶା ।

ହେଲେ ଯେତେବେଳେ ଶିଶୁକନ୍ୟାଟି ଓଟିରୁ ବାହାରକୁ ଆସିଥିଲା, ସେତେବେଳେ ପିତାମାତା ହତବାକ୍‌ ହୋଇପଡ଼ିଥିଲେ । ଝିଅର ଆଙ୍ଗୁଠିରେ ତୁଳା ଲାଗିବା ପରିବର୍ତ୍ତେ ପାଟିରେ ଲାଗିଥିଲା । ଏନେଇ ନର୍ସଙ୍କୁ ଶିଶୁର ପିତାମାତା ପଚାରିବା ପରେ ସେ ଜିଭରେ ସର୍ଜରୀ ହୋଇଥିବା କହିଥିଲେ । ଜିଭ ଭଲ ଭାବେ ସଞ୍ଚାଳିତ ହୋଇପାରୁନଥିବାରୁ ଏହି ସର୍ଜରୀ ହୋଇଥିବା ନର୍ସ କହିଥିଲେ । ଏହା ଶୁଣି ଆଈଶାକୁ ଜିଭରେ କୌଣସି ସମସ୍ୟା ନାହିଁ ବୋଲି ପିତାମାତା ସ୍ପଷ୍ଟ କରିଥିଲେ । ପିତାମାତା ଏହି ଭୁଲ ବୁଝାମଣା ନେଇ ସ୍ପଷ୍ଟ କରିବା ପରେ ତୁରନ୍ତ ଅପରେସନ କରିଥିବା ଡାକ୍ତର କ୍ଷମା ପ୍ରାର୍ଥନା କରିଥିଲେ ।

ଏହା ବି ପଢନ୍ତୁ- ଡାକ୍ତରଙ୍କ ଦୋସା ପ୍ରେମ: ଅପରେସନ ଅଧାରୁ ଖାଇବାକୁ ଚାଲିଗଲେ, ମହିଳାଙ୍କୁ ଆଙ୍ଗୁଳି ହୋଇଗଲା ବଙ୍କା

ଏହି ଘଟଣା ସାମ୍ନାକୁ ଆସିବା ପରେ ମେଡିକାଲ କର୍ତ୍ତୃପକ୍ଷ ଏନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ମେଡିକାଲ ସୁପରିଟେଣ୍ଡେଣ୍ଟ କହିଛନ୍ତି, " ଶିଶୁକନ୍ୟାର ଜିଭ ସର୍ଜରୀ ହୋଇଛି । କିନ୍ତୁ ଶିଶୁକନ୍ୟାର ପିତାମାତା କହିଛନ୍ତି ଯେ ତାକୁ ଜିଭରେ କୌଣସି ସମସ୍ୟା ନଥିଲା । ଶିଶୁର 6 ନମ୍ବର ଆଙ୍ଗୁଠିରେ ସମସ୍ୟା ଥିଲା ବୋଲି ପରିବାର କହିଛି । ଏନେଇ ତଦନ୍ତ ଜାରି ରହିଛି ।"

ସୂଚନା ଥାଉ କି ଗତ 2017 ମସିହାରେ ମଧ୍ୟ କୋଝିକୋଡ ମେଡିକାଲ କଲେଜରେ ଏକ ବଡ଼ ଧରଣର ଅବହେଳା ନେଇ ଅଭିଯୋଗ ହୋଇଥିଲା । ଜଣେ ମହିଳାଙ୍କ ପେଟରେ ଏକ କଇଁଚି ଛାଡି ଦେଇଥିଲେ । ମହିଳାଙ୍କ ସିଜରିଆନ ସେକ୍ସନରେ ଏହି ଧାରୁଆ ଅସ୍ତ୍ରଟି ରହିଥିଲା । ଏନେଇ ମହିଳା ଜଣକ ଏବେ ବି ନ୍ୟାୟ ଦାବି କରି ଆଇନଗତ ଲଢେଇ ଜାରି ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.