କେନ୍ଦ୍ରାପଡ଼ା: ଜିଲ୍ଲା ଗରଦପୁର ବ୍ଲକ ଅନ୍ତର୍ଗତ କୁଦାନଗରୀ ଆଦର୍ଶ ବିଦ୍ୟାଳୟରେ ଅଘଟଣ । ଅଂଶୁଘାତରେ ୬ ଛାତ୍ରଛାତ୍ରୀ ଅସୁସ୍ଥ । ପାଠ ପଢ଼ା ଚାଲିଥିବା ବେଳେ ହଠାତ୍ ୬ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିବାରୁ ସେମାନଙ୍କୁ ପାଟକୁରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସମସ୍ତ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି ।
ଏହା ମଧ୍ୟ ପଢ଼ନ୍ତୁ:କୃମି ବଟିକା ଖାଇ ପୁଣି ୫ ଛାତ୍ରୀ ଅସୁସ୍ଥ, ଡାକ୍ତଖାନାରେ ଭର୍ତ୍ତି
ସୂଚନା ଅନୁଯାୟୀ ଗରଦପୁର ବ୍ଲକ ଅନ୍ତର୍ଗତ କୁଦାନଗରୀ ଆଦର୍ଶ ବିଦ୍ୟାଳୟରେ ପାଠପଢ଼ା ଚାଲୁଥିଲା । ଫ୍ୟାନ ନଥିବାରୁ ଅସହ୍ୟ ଗୁଳୁଗୁଳିରେ ହଠାତ୍ ୬ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ଅନୁଭବ କରି ଅଚେତ ହୋଇପଡ଼ିଥିଲେ । ତୁରନ୍ତ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ପାଟକୁରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ସମସ୍ତ ଛାତ୍ରଛାତ୍ରୀ ସୁସ୍ଥ ଥିବା ଜଣାପଡ଼ିଛି । ତେବେ ଗତ ୧୨ ତାରିଖରୁ ଅଦ୍ୟାବଧି ଅସ୍ଥାୟୀ ଭାବେ ଚାଲୁଥିବା କୁଦାନଗରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟୁତ ସଂଯୋଗ କରିବା ପାଇଁ TPCODL ତତ୍ପରତା ଦେଖାଇନାହିଁ । ୧୨ ତାରିଖ ଦିନ ବଜ୍ରାଘାତରେ ବିଦ୍ୟୁତ ବଲବ ଓ ଫ୍ୟାନ ଗୁଡିକରୁ ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟୁତ ଆଘାତ ଲାଗିବା ଫଳରେ ସେମାନେ ଚେତାଶୂନ୍ୟ ହୋଇ ପଡ଼ିଥିଲେ । ଶିକ୍ଷାନୁଷ୍ଠାନ ଭଳି ସ୍ଥାନରେ ୧୦ ଦିନ ବିତି ଯାଇଥିଲେ ମଧ୍ୟ ବିଦ୍ୟୁତ ବିଭାଗ ଯେଉଁ ତତ୍ପରତା ଦେଖାଇ କାର୍ଯ୍ୟ ସମ୍ପାଦନ କରିବା କଥା ତାହା କରିନଥିବାରୁ ପୁନର୍ବାର ଏକ ଅଘଟଣ ଘଟିଲା ବୋଲି ଅଭିଭାବକ ଅଭିଯୋଗ କରିଛନ୍ତି । ଖବର ପାଇ ଗରଦପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଭୟ ମହାରାଜ ବିଦ୍ୟାଳୟକୁ ଯାଇ ସମସ୍ତ ଘଟଣା ସମ୍ପର୍କରେ ଆଲୋଚନା କରିଥିବା ବେଳେ ବିଦ୍ୟୁତ ବିଭାଗକୁ କଡା ଚେତାବନୀ ଦେଇଥିବା ସୂଚନା ମିଳିଛି ।