ETV Bharat / state

ଶେଷ ଦିନରେ ପୁରୀରେ ଧୂଆଁଧାର ପ୍ରଚାର, ଦିନକ ପରେ ପଡିବ ଭୋଟ - Campaigning concludes for Election

author img

By ETV Bharat Odisha Team

Published : May 23, 2024, 10:51 PM IST

Odisha Election 2024: ସରିଲା ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର । ଦିନକ ପରେ ପଡ଼ିବ ଭୋଟ, ଉତ୍ସାହିତ ପୁରୀ ଭୋଟର । ଅଧିକ ପଢ଼ନ୍ତୁ

Odisha Election 2024
Odisha Election 2024 (ETV Bharat Odisha)

ପୁରୀ: ନିର୍ବାଚନ ପ୍ରଚାରର ଶେଷ ଦିବସରେ ଜମିଲା ପ୍ରଚାର । ଶେଷ ଦିନରେ ପ୍ରଚାର ମୈଦାନକୁ ଓହ୍ଲାଇଲେ ସ୍ବର୍ଗତ ମହେଶ୍ବର ମହାନ୍ତିଙ୍କ ପତ୍ନୀ ବିଷ୍ଣୁପ୍ରିୟା ମହାନ୍ତି । ବିଜେଡିର ଶହ ଶହ ମହିଳା କର୍ମୀଙ୍କୁ ନେଇ ପୁରୀ ସହରର ସମସ୍ତ ସାହିରେ ପ୍ରଚାର କରିଛନ୍ତି ବିଷ୍ଣୁପ୍ରିୟା । ପୁଅ ସୁନିଲ୍ ମହାନ୍ତିଙ୍କୁ ଶଙ୍ଖ ଚିହ୍ନରେ ବିପୁଳ ଭୋଟ ଦେଇ ଜୟଯୁକ୍ତ କରିବାକୁ ପୁରୀ ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟରଙ୍କୁ ଅନୁରୋଧ କରିଛନ୍ତି ବିଷ୍ଣୁପ୍ରିୟା ।

Odisha Election 2024 (ETV Bharat Odisha)

ବିଜେଡିର ବରିଷ୍ଠ ନେତା ସ୍ବର୍ଗତ ମହେଶ୍ବର ମହାନ୍ତିଙ୍କ ବିୟୋଗ ପରେ ତାଙ୍କ ପୁଅ ସୁନିଲ୍ ମହାନ୍ତିଙ୍କୁ ବିଜେଡି ପୁରୀ ସଦର‌ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ନିର୍ମଳ ଓ ବିକାଶମୂଳକ ଶାସନ ଏବଂ ସ୍ବର୍ଗତ ମହେଶ୍ବର ମହାନ୍ତିଙ୍କ ପୁରୀ ସହର ପ୍ରତି ଥିବା ଅବଦାନ ପ୍ରସଙ୍ଗକୁ ନେଇ ମହେଶ୍ବର ମହାନ୍ତିଙ୍କ ପୁଅ ସୁନିଲ୍ ମହାନ୍ତି ନିର୍ବାଚନ ଲଢ଼ୁଥିବା କହିଛନ୍ତି ।

ସେପଟେ ପୁରୀ ବିଧାୟକ ତଥା ପୁରୀ ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଜୟନ୍ତ କୁମାର ଷଡଙ୍ଗୀ ମଧ୍ୟ ପ୍ରଚାରର ଶେଷ ଦିନରେ ଦଳୀୟ କର୍ମୀଙ୍କୁ ନେଇ ଜୋରଦାର ପ୍ରଚାର କରିଛନ୍ତି । ନରେନ୍ଦ୍ର ମୋଦିଙ୍କ ଗ୍ୟାରେଣ୍ଟି ଏବଂ ତାଙ୍କ କାର୍ଯ୍ୟକାଳ ସମୟରେ ହୋଇଥିବା ପୁରୀ ସହରର ବିକାଶ ପ୍ରସଙ୍ଗକୁ ନେଇ ଜୟନ୍ତ ଭୋଟ ଭିକ୍ଷା କରୁଛନ୍ତି । ତେବେ ତାଙ୍କର ଟକ୍କର ବିଜେଡି ସହିତ ହେବାକୁ ଥିବାବେଳେ ସେ ନିଶ୍ଚିତ ଜିତିବେ ବୋଲି ଆଶା ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.. ଖୋର୍ଦ୍ଧା ରାଜନୀତିରେ ନୂଆ ମୋଡ଼, ବିଜେପି ପାଇଁ ପ୍ରଚାର କଲେ ଜିତୁ ମିତ୍ର - Jitu Mitra Campaign For BJP

ପୁରୀ ଲୋକସଭା ଏବଂ ଏହା ଅଧିନରେ ଥିବା ଜିଲ୍ଲାର ୪ଟି ନିର୍ବାଚନ ମଣ୍ଡଳୀ ପୁରୀ ସଦର, ବ୍ରହ୍ମଗିରି, ସତ୍ୟବାଦୀ ଓ ପିପିଲି ନିର୍ବାଚନ ମଣ୍ଡଳୀରେ ଆସନ୍ତା ୨୫ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ତେବେ ସବୁ ବୁଥରେ କିଭଳି ପୋଲିଂ ଟିମ୍ ସୁରୁଖୁରୁରେ ପହଞ୍ଚି ପାରିବେ ସେନେଇ ସମସ୍ତ ପ୍ରସ୍ତୁତି ହୋଇଛି । ତେବେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ଗମନାଗମନକୁ ନେଇ କିଛି ଅସୁବିଧା ଥିବାରୁ ଆଜିଠାରୁ ପୁଲିଂ ପାର୍ଟି ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଆସନ୍ତାକାଲି ପୁରୀ, ସତ୍ୟବାଦୀ ଓ ପିପିଲି ନିର୍ବାଚନ ମଣ୍ଡଳୀର ବିଭିନ୍ନ ବୁଥକୁ ପୋଲିଂ ପାର୍ଟି ଯାତ୍ରା କରିବେ ବୋଲି ସୂଚନା ମିଳିଛି। ସେମାନଙ୍କ ସୁରକ୍ଷା ପାଇଁ ପ୍ରତ୍ୟେକ ପୋଲିଂ ଟିମରେ ଜଣେ ପୋଲିସ କର୍ମଚାରୀ ଦିଆଯାଇଥିବା ବେଳେ ବୁଥ୍ ଗୁଡ଼ିକରେ ମଧ୍ୟ ପୋଲିସ ସୁରକ୍ଷା ସହିତ ସିସିଟିଭି କ୍ୟାମେରା ବ୍ୟବସ୍ଥା ହୋଇଛି ।

ଗଣତନ୍ତ୍ରର ଏହି ମହାନ୍ ପର୍ବରେ ପୁରୀ ଜିଲ୍ଲାର ଭୋଟରମାନେ ସାମିଲ ହୋଇ ଉପଯୁକ୍ତ ପ୍ରାର୍ଥୀ ବାଛିବାକୁ ପୁରୀ ଜିଲ୍ଲାପାଳ ଅନୁରୋଧ କରିଛନ୍ତି । ନିର୍ବାଚନ କମିଶନଙ୍କ ଗାଇଡ ଲାଇନ ଅନୁଯାୟୀ ପୁରୀ ଲୋକସଭା ଏବଂ ଏହା ଅଧିନରେ ଥିବା ବିଧାନସଭା ଅଞ୍ଚଳରେ ଆଜି ସନ୍ଧ୍ୟାରେ ନିର୍ବାଚନ ପ୍ରଚାର ଶେଷ ହୋଇଛି । ଆଉ ଦିନକ ପରେ ଅର୍ଥାତ୍ ଆଗାମୀ ୨୫ରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ତେବେ ଆଗାମୀ ୨୫ରେ ନିଜ ନିଜର ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଭୋଟର ମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.