ଖୋର୍ଦ୍ଧା ରାଜନୀତିରେ ନୂଆ ମୋଡ଼, ବିଜେପି ପାଇଁ ପ୍ରଚାର କଲେ ଜିତୁ ମିତ୍ର - Jitu Mitra Campaign For BJP

By ETV Bharat Odisha Team

Published : May 23, 2024, 9:24 PM IST

thumbnail
MLA Jitu Mitra Returns To BJP (ETV Bharat Odisha)

MLA Jitu Mitra Returns To BJP: ଖୋର୍ଦ୍ଧା: ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାରର ଆଜି ହେଉଛି ଶେଷ ଦିନ । ଆଉ ଠିକ ଶେଷ ଦିନରେ ଖୋର୍ଦ୍ଧାର ବିଜେଡି ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ବିଜେଡିକୁ ଚକମା ଦେଇ ବିଜେପିରେ ସାମିଲ ହୋଇଛନ୍ତି । ବିଜେପିର ଏକ ବାଇକ ରାଲି ଚାଲିଥିବା ବେଳେ "ବିଜେପି ଓଡିଶାରେ ସରକାର କରିବ ଏବଂ ଓଡିଶା ଏବେ ପରିବର୍ତ୍ତନ ମୁହାଁ" କହି ବିଜେପିରେ ସାମିଲ ହେଲେ ବରିଷ୍ଠ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର । 

ଆଜି ପ୍ରଚାରର ଶେଷ ଦିନ ଥିଲା ବେଳେ ବିଜେପି ପକ୍ଷରୁ ଖୋର୍ଦ୍ଧା ପୌରାଞ୍ଚଳର ଗୋଶାଳା ପଡିଆ ଠାରୁ ଏକ ବିରାଟ ଶୋଭାଯାତ୍ରା ସହର ପରିକ୍ରମା କରୁଥିଲା । ଆଉ ଠିକ ଏତିକି ବେଳେ ବିଜେଡି ବିଧାୟକ ଜିତୁ ମିତ୍ର ବେକରେ ବିଜେପି ଉତ୍ତରୀୟ ପକାଇ ପ୍ରଚାର ଗାଡି ଉପରକୁ ଚଢ଼ିଥିଲେ । ସାଙ୍ଗରେ ଥିଲେ ବିଜେପିର ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ ଏବଂ ବରିଷ୍ଠ ବିଜେପି ନେତ୍ରୀ ବାସନ୍ତୀ ମହାପାତ୍ର । ଶୋଭାଯାତ୍ରାରେ ସାମିଲ ହେଉ ହେଉ ବିଧାୟକ ମିତ୍ର ଓଡ଼ିଶାରେ ପରିବର୍ତ୍ତନର ଆଭାସ ସମ୍ପର୍କରେ ସୂଚନା ଦେବା ସହ ବିଜେପିରେ ବିଧିବଦ୍ଧ ସାମିଲ ହୋଇଥିବା କହିଥିଲେ । ସାଂସଦ ପ୍ରାର୍ଥୀ ଅପରାଜିତା ମଧ୍ୟ ଜିତୁଙ୍କୁ ସ୍ୱାଗତ କରିବା ସହ ତାଙ୍କର ଅଭିଜ୍ଞତା ଓ ସଂଗଠନ ବିଜେପିକୁ ଖୋର୍ଦ୍ଧାରେ ମଜଭୁତ କରିବ ବୋଲି ମତବ୍ୟକ୍ତ କରିଥିଲେ । ପରେ ପରେ ବିଜେପିର ଶୋଭାଯାତ୍ରା ଖୋର୍ଦ୍ଧା ପୌର ପରିଷଦର ବିଭିନ୍ନ ଅଞ୍ଚଳ ପରିକ୍ରମା କରିଥିଲା ।  

ଏହା ମଧ୍ୟ ପଢ଼ନ୍ତୁ.. ନିଶ୍ଚିତ ପରାଜୟ ଜାଣି ମିଥ୍ୟା ଅଭିଯୋଗ କରୁଛନ୍ତି ଧର୍ମେନ୍ଦ୍ର: ବିଜେଡି - BJD Allege Against BJP

ଏଠାରେ ସୂଚନା ଯୋଗ୍ୟ ଯେ, ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର ଚଳିତ ନିର୍ବାଚନରେ ବିଜେଡି ଟିକଟ ଆଶାୟୀ ଥିଲେ, କିନ୍ତୁ ଦଳ ତାଙ୍କୁ ନିରାଶ କରି ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁଙ୍କୁ ଖୋର୍ଦ୍ଧାରେ ଟିକେଟ ଦେଇଥିଲା । ଯାହାକୁ ନେଇ ମିତ୍ର ଅସନ୍ତୁଷ୍ଟ ଥିଲେ । ତେବେ ଏସବୁ ଭିତରେ ଜିତୁ ବିଜେପିରେ ସାମିଲ ହେବା ସର୍ବପରି ଖୋଲାଖୋଲି ଭାବେ ବିଜେପି ଶୋଭାଯାତ୍ରାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହିତ ବିଜେପି ଶିବିରକୁ ଉତ୍ସାହିତ କରିଛନ୍ତି । ଏ ସମ୍ପର୍କରେ କିନ୍ତୁ ବିଜେଡିର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.