ଗଜପତି:ଗୋଟିଏ ଗ୍ରୁପ ରକ୍ତ ବଦଳରେ ରୋଗୀଙ୍କୁ ଚଢ଼ାଇଲେ ଅନ୍ୟ ଏକ ଗ୍ରୁପ୍ର ରକ୍ତ । ଅନ୍ୟ ଗ୍ରୁପର ରକ୍ତ ନେଇ ଗୁରୁତର ରୋଗୀ । ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ରୋଗୀଙ୍କର ରକ୍ତ ଗ୍ରୁପ O+ ଥିବା ବେଳେ B+ ଦିଆଯାଇଥିବା ଜଣାପଡ଼ିଛି ।
ସୂଚନା ମୁତାବକ, ଏସକେସିଜି ସ୍ବୟଂଶାସିତ ମହାବିଦ୍ୟାଳୟର ଭେଙ୍କେଟେଶ୍ବର ବେହେରା ନାମକ ଜଣେ କର୍ମଚାରୀ ମଳକଣ୍ଟକ ରୋଗରେ ଶିକାର ହୋଇଥିଲେ । ତେଣୁ ଚିକିତ୍ସା ପାଇଁ ସେ ଗତ ୩ଦିନ ତଳେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଚିକିତ୍ସା ବେଳେ ସେ ରକ୍ତହୀନତାର ଶିକାର ହୋଇଥିବା ଜଣାପଡିଥିଲା । ଫଳରେ ତାଙ୍କ ବ୍ଲଡ୍ ଗ୍ରୁପ୍ ଅନୁସାରେ ଗତ ଦୁଇ ଦିନରେ ତାଙ୍କୁ ଦୁଇ ୟୁନିଟ O+ ରକ୍ତ ଦିଆଯାଇଥିବେ ବେଳେ ଗତକାଲି ଆଉ ଗୋଟିଏ ୟୁନିଟ ରକ୍ତ ଦେବା ପାଇଁ ବ୍ୟବସ୍ଥା କରାଯାଇଥିଲା । ହେଲେ ତାଙ୍କୁ O+ ପଜିଟିଭ ବଦଳରେ B+ ପଜିଟିଭ ଗ୍ରୁପର ରକ୍ତ ଦିଆଯାଇଥିଲା ।
ତେବେ ପୀଡିତ ଭେଙ୍କେଟେଶ୍ବର ଦେହକୁ ପ୍ରାୟ ୧୦ମି.ଲି ରକ୍ତ ଯିବା ପରେ ସେ ହଠାତ୍ ଅସୁସ୍ଥ ହୋଇପଡିଥିଲେ। ଏହା ଦେଖି ତାଙ୍କ ସଂପର୍କୀୟ ତୁରନ୍ତ ଡ୍ୟୁଟିରେ ଥିବା ନର୍ସଙ୍କୁ ଖବର ଦେଇଥିଲେ । ଏନେଇ ତୁରନ୍ତ ନର୍ସ ଆସି ରକ୍ତ ଦେବା ପ୍ରକ୍ରିୟାକୁ ବନ୍ଦ କରିଦେଇ ଡାକ୍ତରଙ୍କୁ ଖବର ଦେଇଥିଲେ । ଡ୍ୟୁଟିରେ ଥିବା ଡାକ୍ତର ପହଞ୍ଚି ଦେଖିବା ପରେ ଏହା ରକ୍ତ ଗ୍ରୁପ ବଦଳିବା କାରଣରୁ ସ୍ଥିତି ଗୁରୁତର ହୋଇଥିବା ଜାଣିପାରି କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ଏହାପରେ ମେଡିସିନ ବିଶେଷଜ୍ଞ ଏବଂ ଅନ୍ୟ ଡାକ୍ତରମାନେ ପହଞ୍ଚି ଭେଙ୍କେଟେଶ୍ବରଙ୍କ ଚିକିତ୍ସା କରିଥିଲେ ।