ETV Bharat / state

ଶିଶୁଙ୍କୁ ଭିଟାମିନ ଟିକା ଦେବାରେ ଓଡିଶା ଅଧିକାର କଲା ଦ୍ବିତୀୟ ସ୍ଥାନ - Vitamin A supplementation

author img

By ETV Bharat Odisha Team

Published : May 23, 2024, 9:13 PM IST

Vitamin A supplementation: ୫ ବର୍ଷରୁ କମ ବୟସର ପିଲାମାନଙ୍କୁ ଭିଟାମିନ୍-ଏର ନବମ ଡୋଜ ପ୍ରଦାନରେ ଓଡ଼ିଶା ଦ୍ୱିତୀୟ ସ୍ଥାନ ଅଧିକାର କରିଛି । ଅଧିକ ପଢ଼ନ୍ତୁ

Vitamin A supplementation
Vitamin A supplementation (ETV Bharat Odisha)

ଭୁବନେଶ୍ବର: ଦେଶରେ ୨୦୨୩-୨୪ ବର୍ଷରେ ୫ ବର୍ଷରୁ କମ ବୟସର ପିଲାମାନଙ୍କୁ ଭିଟାମିନ୍-ଏର ନବମ ଡୋଜ ପ୍ରଦାନ କରାଯାଇଛି । ତେବେ ଜାତୀୟ ସ୍ତରରେ ୮୬.୨ ପ୍ରତିଶତ ଶିଶୁଙ୍କୁ ଭିଟାମିନ-ଏ ଟିକା ଦିଆଯାଇଛି । ସେହିକ୍ରମରେ ଓଡ଼ିଶାରେ ୧୨୩.୭ ପ୍ରତିଶତ ଶିଶୁ ମାନଙ୍କୁ ଭିଟାମିନ-ଏ ଟିକା ଦିଆଯାଇଛି । ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି ଓଡ଼ିଶା। ବିଶେଷ ଭାବରେ ଭିଟାମିନ-ଏ ଚକ୍ଷୁ ଜନିତ ରୋଗ ରୋକିଥାଏ ଏବଂ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଯାହାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ସୋସିଆଲ ମିଡ଼ିଆ ଆକାଉଣ୍ଟ ଏକ୍ସରେ ପୋଷ୍ଟ କରିଛି ।

ସ୍ୱାସ୍ଥ୍ୟ ବିଭାଗ କହିଛି ଯେ, ସ୍ୱାସ୍ଥ୍ୟ ଅଧିକାରୀ ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କ ଏହା ହେଉଛି ସବୁଠାରୁ ବଡ଼ ସଫଳତା । ୯ ଡୋଜ ଦିଆଯାଉଥିବା ଭିଟାମିନ-ଏରେ ଓଡ଼ିଶା ଦ୍ଵିତୀୟ ସ୍ଥାନରେ ରହିଥିବା ବେଳେ ଓଡ଼ିଶାରେ ମୋଟ ୧୨୩.୭ ପ୍ରତିଶତ ଟୀକାକରଣ ହୋଇଛି । ସେହିଭଳି ୧୩୨.୬ ପ୍ରତିଶତ ଟୀକାକରଣ କରି ଝାଡ଼ଖଣ୍ଡ ପ୍ରଥମ ସ୍ଥାନରେ ରହିଛି । ତେବେ ଏହି ଟୀକାକରଣରେ ହରିଆଣାରେ ୧୧୬.୧ ପ୍ରତିଶତ ଟୀକାକରଣ ହୋଇଛି । ମଧ୍ୟପ୍ରଦେଶରେ ୧୧୫.୮ ପ୍ରତିଶତ ଟୀକାକରଣ କରାଯାଇଛି । ଉତ୍ତରପ୍ରଦେଶରେ ୧୧୪.୩ ପ୍ରତିଶତ ଟୀକାକରଣ କରାଯାଇଛି । ପଶ୍ଚିମବଙ୍ଗରେ ୧୦୫.୨ ପ୍ରତିଶତ ଟୀକାକରଣ ହୋଇଛି । ଜମ୍ମୁ କାଶ୍ମୀରରେ ୧୦୧ ପ୍ରତିଶତ ଟୀକାକରଣ ହୋଇଥିବା ବେଳେ ତେଲେଙ୍ଗାନାରେ ୧୦୦.୯ ପ୍ରତିଶତ ଭିଟାମିନ-ଏ ୯ ଡୋଜ ପ୍ରଦାନ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ.. ଆଜି ଜାତୀୟ ଟୀକାକରଣ ଦିବସ; ରାଜ୍ୟବ୍ୟାପୀ ପଲ୍ସ ପୋଲିଓ କାର୍ଯ୍ୟକ୍ରମ

ଶତ ପ୍ରତିଶତରୁ ଅଧିକ ଟୀକାକରଣ କରାଯାଇଥିବା ତାଲିକାରେ ୮ଟି ରାଜ୍ୟ ରହିଛି । ସେହିପରି ଭାବରେ ଶତ ପ୍ରତିଶତ ଟୀକାକରଣ କରାଯାଇଥିବା ତାଲିକାରେ ମଧ୍ୟରେ ରହିଛି ୩୯ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ । ତେବେ ସର୍ବନିମ୍ନ ପ୍ରତିଶତ ରହିଛି ଲାକ୍ଷାଦ୍ଵୀପରେ। ଯେଉଁଠି ସମୁଦାୟ ୨.୩ ପ୍ରତିଶତ ଟୀକାକରଣ ହୋଇଛି । ଅନ୍ୟପଟେ ନାଗାଲାଣ୍ଡରେ ୧୦.୭ ପ୍ରତିଶତ ଟୀକାକରଣ ହୋଇଛି । ସେହିପରି ଭାବରେ ଅରୁଣାଚଳ ପ୍ରଦେଶରେ ୨୦.୨ ପ୍ରତିଶତ ଟୀକାକରଣ କରାଯାଇଥିବା ବେଳେ ପଣ୍ଡିଚେରୀରେ ୨୨ ପ୍ରତିଶତ, ଦିଲ୍ଲୀରେ ୨୬.୮ ପ୍ରତିଶତ, ମେଘାଳୟରେ ୩୦.୨ ପ୍ରତିଶତ ଟୀକାକରଣ କରାଯାଇଛି । ସେହିପରି ବିହାରରେ ରହିଛି ୩୬ ପ୍ରତିଶତ ଟୀକାକରଣ ହୋଇଛି । ତେବେ ସେହିଭଳି ଭାବରେ ଅନ୍ୟ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ମଧ୍ୟ ଭିଟାମିନ-ଏ ୯ ଡୋଜ ଶିଶୁଙ୍କୁ ପ୍ରଦାନ କରାଯାଇଛି । ତେବେ ସାରା ଦେଶରେ ଓଡିଶା ଦ୍ଵିତୀୟ ସ୍ଥାନରେ ରହିଥିବା ବେଳେ ଆଗାମୀ ଦିନରେ ଆହୁରି ଅଧିକରୁ ଅଧିକ ଶିଶୁ ମାନଙ୍କୁ ଭିଟାମିନ-ଏ ପ୍ରଦାନ କରାଯିବା ଲକ୍ଷ୍ୟ ନେଇ ଯୋଜନା ପ୍ରସ୍ତୁତ କରିଛି ସ୍ୱାସ୍ଥ୍ୟ ବିଭାଗ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.