ETV Bharat / state

ତୃତୀୟ ପର୍ଯ୍ୟାୟ ନିର୍ବାଚନ: ଭୋଟ ଦେବେ 94.48 ଲକ୍ଷ ଭୋଟର, 121 କମ୍ପାନୀ ସିଏପିଏଫ ମୁତୟନ - Third Phase Polling Preparation

author img

By ETV Bharat Odisha Team

Published : May 23, 2024, 8:02 PM IST

All Set For Third Phase Polling: ରାଜ୍ୟର ତୃତୀୟ ପର୍ଯ୍ୟାୟରେ ନିର୍ବାଚନ 25 ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ କିପରି ରହିଛି ପ୍ରସ୍ତୁତି ଜାଣନ୍ତୁ ।

All Set For Third Phase Polling
All Set For Third Phase Polling (ETV Bharat Odisha)

ଭୁବନେଶ୍ବର: ଦେଶର ଷଷ୍ଠ ତଥା ରାଜ୍ୟର ତୃତୀୟ ପର୍ଯ୍ୟାୟରେ ନିର୍ବାଚନ 25 ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ଓଡ଼ିଶାରେ 6ଟି ଲୋକସଭା ଏବଂ ଏହା ଅନ୍ତର୍ଗତ 42ଟି ବିଧାନସଭା କ୍ଷେତ୍ରରେ ମତଦାନ ହେବ । ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ଭୋଟର ମତାଧିକାର ସାବ୍ୟସ୍ତ କରିବେ । ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଚୂଡାନ୍ତ ହୋଇଛି । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି ।

All Set For Third Phase Polling (ETV Bharat Odisha)

ସେ କହିଛନ୍ତି,"ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଆସନ୍ତା 25 ତାରିଖରେ ଅନୁଷ୍ଠିତ ହେବ । 6ଟି ସଂସଦୀୟ ଓ ଏହା ଅନ୍ତର୍ଗତ 42ଟି ବିଧାନସଭା ମଣ୍ଡଳୀ ପାଇଁ ମତଦାନ ହେବ । ତୃତୀୟ ପର୍ଯ୍ୟାୟରେ 94.48 ଲକ୍ଷ ଭୋଟର ମତଦାନ କରିବେ । 48.30 ଲକ୍ଷ ପୁରୁଷ ଭୋଟର ମତଦାନ କରିବେ । ସେହିପରି 46.18 ଲକ୍ଷ ମହିଳା ଭୋଟର ଅଛନ୍ତି । ତୃତୀୟ ଲିଙ୍ଗ ଭୋଟର ହେଉଛି 1 ହଜାର 291 ଜଣ । ପ୍ରଥମ ଥର 18ରୁ 19 ବର୍ଷର ଭୋଟରଙ୍କ ସଂଖ୍ୟା ମୋଟ ସଂଖ୍ୟାର 20.5 ପ୍ରତିଶତ । ସେହିପରି ଯୁବ ଭୋଟରଙ୍କ ସଂଖ୍ୟା 21 ପ୍ରତିଶତ । ଯାହାଙ୍କ ବୟସ 30 ବର୍ଷରୁ କମ୍ । ଏହି 6 ସଂସଦୀୟ କ୍ଷେତ୍ରର 85 ବର୍ଷରୁ ଊର୍ଦ୍ଧ୍ଵ ବୟସ୍କ, ଭିନ୍ନକ୍ଷମ ଭୋଟର ଓ ଅନ୍ୟାନ୍ୟ ଭୋଟରଙ୍କ ହୋମ ଭୋଟିଂ ହୋଇଛି । ମୋଟ 31 ହଜାରରୁ ଅଧିକ ପୋଷ୍ଟାଲ ଭୋଟ ଦେଇଛନ୍ତି ।"

All Set For Third Phase Polling
All Set For Third Phase Polling (ETV Bharat Odisha)

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ, ପୁରୀ, ଭୁବନେଶ୍ୱର, କଟକ, ଖୋର୍ଦ୍ଧା, କେନ୍ଦୁଝର ଓ ସମ୍ବଲପୁର ସଂସଦୀୟ କ୍ଷେତ୍ରରେ 64 ସାଂସଦ ପ୍ରାର୍ଥୀ ଅଛନ୍ତି । ସେମାନଙ୍କ ମଧ୍ୟରେ 55 ପୁରୁଷ 9 ମହିଳା ପ୍ରାର୍ଥୀ ଅଛନ୍ତି । ସେହିପରି 42 ବିଧାନସଭା କ୍ଷେତ୍ରରୁ 383 ଜଣ ବିଧାୟକ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ବିତା କରୁଛନ୍ତି । ସେଥିରେ 339 ପୁରୁଷ ଓ 44 ଜଣ ମହିଳା ପ୍ରାର୍ଥୀ । ମୋଟ 10 ହଜାର 551 ପୋଲିଂ ବୁଥ ରହିଛି । ସେଥିରୁ 2 ହଜାର ମଡେଲ ପୋଲିଂ ଷ୍ଟେସନ ରହିବ । 15 ଶହ ସଖୀ ବୁଥ ହୋଇଛି । ଏହି ପୋଲିଂ ବୁଥକୁ ମହିଳା କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ହେବ ।

All Set For Third Phase Polling
All Set For Third Phase Polling (ETV Bharat Odisha)

ସେହିପରି 30ଟି ବୁଥକୁ ଭିନ୍ନକ୍ଷମ ଅଧିକାରୀ ଚଳାଇବେ । ଚଳିତ ପର୍ଯ୍ୟାୟରେ 20 ପ୍ରତିଶତ ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି । ଏହି ପର୍ଯ୍ୟାୟରେ ସର୍ବାଧିକ ସିଏପିଏଫ ମୁତୟନ ହେଉଛନ୍ତି । ମୋଟ 121 କମ୍ପାନୀ ସିଏପିଏଫ ମୁତୟନ ହୋଇଛନ୍ତି । ସମ୍ବଲପୁରରେ 12 କମ୍ପାନୀ, ଦେବଗଡ଼ରେ 2 କମ୍ପାନୀ, ଅନୁଗୁଳରେ 12 କମ୍ପାନୀ, ଢେଙ୍କାନାଳରେ 8, ମୟୂରଭଞ୍ଜରେ 2 କମ୍ପାନୀ, କେନ୍ଦୁଝରରେ 17 କମ୍ପାନୀ, କଟକ ଗ୍ରାମାଞ୍ଚଳରେ 11 କମ୍ପାନୀ, କଟକ ସହରାଞ୍ଚଳରେ 8 କମ୍ପାନୀ, ଭୁବନେଶ୍ୱର ସହରାଞ୍ଚଳରେ 13 କମ୍ପାନୀ, ଖୋର୍ଦ୍ଧା ଗ୍ରାମାଞ୍ଚଳରେ 11 କମ୍ପାନୀ, ପୁରୀରେ 11 କମ୍ପାନୀ, ନୟାଗଡରେ 14 କମ୍ପାନୀ ସିଏପିଏଫ ମୁତୟନ ହୋଇଛନ୍ତି । ନିର୍ବାଚନ ପରିଚାଳନା ପାଇଁ 70 ହଜାର ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି ।

ଏହା ବି ପଢନ୍ତୁ...ଓଡିଶା ନିର୍ବାଚନ 2024: ଚତୁର୍ଥ ପର୍ଯ୍ୟାୟରେ କେତେ କୋଟିପତି ପ୍ରାର୍ଥୀ ? ସ୍କୁଲ ହତା ମାଡ଼ି ନାହାନ୍ତି ୩ପ୍ରାର୍ଥୀ, ମୈଦାନରେ ବୟସ୍କ ଯୋଦ୍ଧା - ADR REPORT

ପ୍ରଥମ ଦୁଇ ପର୍ଯ୍ୟାୟରେ 2019 ତୁଳନାରେ ଅଧିକ ଭୋଟିଂ ହୋଇଛି । ହିଟ ୱେଭକୁ ଦୃଷ୍ଟିରେ ରଖି ବ୍ୟବସ୍ଥା କରାଯାଇଛି । ସହରାଞ୍ଚଳ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ବ୍ୟାପକ ବ୍ୟବସ୍ଥା କରାଯାଇଛି । କୁଚିଣ୍ଡା, ରେଢ଼ାଖୋଲ ବିଧାନସଭା କ୍ଷେତ୍ରରେ ଭୋଟିଂ ଶେଷ 4ଟା ରହିଛି । ସେହିପରି ଦେବଗଡ଼ରେ 5ଟାରେ ଶେଷ ହେବ । 524 ବୁଥରେ 4ଟା, 338 ବୁଥରେ 5ଟା ଓ 9ହଜାର 689 ବୁଥରେ ନିର୍ଦ୍ଧାରିତ ସମୟ 6 ଟାରେ ମତଦାନ ସରିବ । ନିର୍ବାଚନ ହେଉଥିବା 6 ଟି ସଂସଦୀୟ କ୍ଷେତ୍ରରୁ 12 କୋଟି 22 ଲକ୍ଷ ଟଙ୍କା ଜବତ ହୋଇଛି । ସେହିପରି 12 କୋଟି 83 ଲକ୍ଷ ଟଙ୍କାର ମଦ ଜବତ ହୋଇଛି । ରାଜ୍ୟ ସାରା 263 କୋଟି ଟଙ୍କା, ଅଳଙ୍କାର, ନିଶା ସାମଗ୍ରୀ ଜବତ ହୋଇଛି । ରାଜ୍ୟରେ ମୋଟ 87 କୋଟି ଜବତ ହୋଇଛି । ଭୁବନେଶ୍ୱରରୁ 9.664 ଲକ୍ଷ, କଟକରୁ 16.30 ଲକ୍ଷ ଓ ପୁରୀରୁ 2.82 ଲକ୍ଷ ଟଙ୍କା ଜବତ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.