ଖାଉଟିଙ୍କୁ ମହଙ୍ଗା ମାଡ଼, କାର୍ତ୍ତିକରେ କନ୍ଦାଇବ ପିଆଜ !

By ETV Bharat Odisha Team

Published : Oct 28, 2023, 3:54 PM IST

thumbnail

ଜଗତସିଂହପୁର: ହୁ ହୁ ହୋଇ ବଢ଼ୁଛି ପିଆଜ ଦର । ବୃଦ୍ଧି ପାଉଥିବା ପିଆଜ ଦରକୁ ନେଇ ଚିନ୍ତାରେ ଖାଉଟି । ଜଗତସିଂହପୁର ସହରରେ ପିଆଜ କିଲୋପ୍ରତି ୬୦ ଟଙ୍କାରେ ପହଞ୍ଚିଛି । ଫଳରେ ଏହାର ସିଧାସଳଖ ପ୍ରଭାବ ମଧ୍ୟବିତ୍ତ ଓ  ନିମ୍ନ ମଧ୍ୟବିତ୍ତ ପରିବାର ଉପରେ ପଡ଼ିଛି । ୧୫ ଦିନ ପୂର୍ବରୁ ପିଆଜର ବଜାର ଦର କିଲୋପ୍ରତି ୨୦ ଟଙ୍କା ଥିବାବେଳେ ଏବେ ପିଆଜ ଦରରେ ନିଆଁ ଲାଗିଛି । ଜିଲ୍ଲାକୁ ଆଳୁ ଓ ପିଆଜ କଟକ ମାଲ ଗୋଦାମ ଓ ନାସିକରୁ ଆସିଥାଏ । ଜଗତସିଂହପୁରର ସୋମନାଥ ହାଟ ଓ ପାରାଦୀପର କୁଜଙ୍ଗ ହାଟରେ ଆଳୁ ପିଆଜ ଟ୍ରକ ପହଞ୍ଚିବା ପରେ ଦର ନିର୍ଦ୍ଧାରଣ ହୋଇଥାଏ । କିନ୍ତୁ ପିଆଜ ଗାଡି ଆସୁ ନଥିବାରୁ ପିଆଜ ଦର ବଢିଛି । କାର୍ତ୍ତିକ ମାସରେ ପିଆଜ ଦର ୧୦ ରୁ ୧୫ ଟଙ୍କା ରହିବା କଥା । କିନ୍ତୁ ବାହାରୁ ପିଆଜ ଆସୁ ନଥିବାରୁ ଦର ବଢୁଥିବା ବ୍ୟବସାୟୀମାନେ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ......Onion Price Hike: ସମ୍ବଲପୁରରେ ଅଚାନକ ବଢିଲା ପିଆଜ ଦର, ଛାନିଆ ଗ୍ରାହକ

ବ୍ୟବସାୟୀମାନଙ୍କ କହିବା ଅନୁସାରେ  କଟକ ମାଲ ଗୋଦାମରୁ ଆସୁଥିବା ପିଆଜ କିଲୋପ୍ରତି ୫୩ ଟଙ୍କାରୁ ଅଧିକ କିଣା ପଡୁଛି । ଫଳରେ ଖୁଚୁରା ବ୍ୟବସାୟୀମାନେ କିଲୋପ୍ରତି ୬୦ ଟଙ୍କାରେ ପିଆଜ ବିକ୍ରି କରୁଛନ୍ତି । ମହାରାଷ୍ଟ୍ରର ନାସିକରୁ ପିଆଜ ଆସୁ ନଥିବାରୁ ଏହିଭଳି ଦର ବୃଦ୍ଧି ଘଟୁଛି । ଆଗାମୀ ଦିନରେ ପିଆଜ ଦର ୧୦୦ ଛୁଇଁପାରେ ବୋଲି  ଆକଳନ କରାଯାଉଛି । ପିଆଜ ଦର ବୃଦ୍ଧି ହେବାରୁ ସିଧାସଳଖ ଲୋକଙ୍କ ହାଣ୍ଡିସାଳ ଉପରେ ମହଙ୍ଗା ମାଡ଼ ହୋଇଛି । ସାଧାରଣ ଲୋକେ ଯେଉଁମାନେ ୧ କିଗ୍ରା ପିଆଜ ଘରକୁ ନେଉଥିଲେ ଏବେ ୨୫୦ ଗ୍ରାମ ପିଆଜ ନେଇ ଯାଉଛନ୍ତି । ସେହିଭଳି ରସୁଣ ଓ ଅଦା ଦର ମଧ୍ୟ ଆକାଶ ଛୁଆଁ ହୋଇଛି ।  

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.