କଳାହାଣ୍ଡିରେ ବର୍ଷା ବିତ୍ପାତ: ଘରେ ଲହଡି ଭାଙ୍ଗୁଛି ପାଣି, ସ୍କୁଲରେ ଆଶ୍ରୟ ନେଲେ ଲୋକେ

By

Published : Aug 2, 2023, 1:04 PM IST

thumbnail


ଭବାନୀପାଟଣା: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି । ଏହାର ପ୍ରଭାବରେ ସାରା ଓଡ଼ିଶାରେ ବର୍ଷା ଲାଗି ରହିଥିବା ବେଳେ ଆହୁରି ୨ ଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । କଳାହାଣ୍ଡି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଲଗାଣ ବର୍ଷାରେ ହନ୍ତସନ୍ତ ହେଉଛନ୍ତି ଜିଲ୍ଲାବାସୀ । ବିଭିନ୍ନ ସ୍ଥାନରେ ଘର ଭାଙ୍ଗିବା ସହ ଘର ଭିତରେ ପାଣି ଲହଡି ଭାଙ୍ଗୁଛି । ରାସ୍ତାଘାଟରେ ଆଣ୍ଠୁଏ ଉଚ୍ଚ ପାଣି ଚାଲୁଥିବାରୁ ବିଭିନ୍ନ ଅଞ୍ଚଳ ଜଳବନ୍ଦୀ ରହିଛି । ବିଶେଷ କରି ଭବାନୀପାଟଣା ସହରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବା ବେଳେ ମଙ୍ଗଳବାର ଦିନ ସହରରେ ୯୦ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । 

ପ୍ରବଳ ବର୍ଷା ଯୋଗୁଁ ସହରର ୧୮, ୧୫, ୧୩ ଓ ୧୯ ନମ୍ବର ୱାର୍ଡରେ ପ୍ରବଳ ବର୍ଷା ପାଣି ଲୋକଙ୍କ ଘର ଭିତରେ ପଶି ଯାଇଛି । ଯାହାଫଳରେ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । କେବଳ ଏହି ଗୋଟିଏ ଚିତ୍ର ନୁହେଁ ବରଂ ସହରର ଅନେକ ସ୍ଥାନରେ ଏଭଳି ଚିତ୍ର ଦେଖିବାକୁ ମିଳିଛି । ପୌର ପରିଷଦ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ସହରର ବିଭିନ୍ନ ସ୍ଥାନରେ ୧୦ଟି ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ୧୦୦ରୁ ଊର୍ଦ୍ଧ୍ବ ଲୋକଙ୍କ ଘରେ ପାଣି ପଶି ଯାଇଛି ଏବଂ ପ୍ରାୟ ୩୦ ପରିବାରକୁ ବିଭିନ୍ନ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ସ୍ଥାନାନ୍ତର କରାଯିବା ସହ ସେମାନଙ୍କ ରହିବା ଓ ଖାଇବା ପାଇଁ ବ୍ୟବସ୍ଥା କରାଯାଇଛି  ।  

ଏହାମଧ୍ୟ ପଢନ୍ତୁ: Watch: ଲଗାଣ ବର୍ଷାରେ ଉବୁଟୁବୁ ବାଲେଶ୍ବର, ଯୁଆଡେ ଚାହିଁଲେ ଖାଲି ପାଣି ଆଉ ପାଣି

ସହରରେ ସ୍ଵତନ୍ତ୍ର ଡ୍ରେନେଜ ବ୍ୟବସ୍ଥା ନଥିବା ଫଳରେ ଲୋକଙ୍କ ଘରେ ପାଣି ପଶିଥିବା ଅଭିଯୋଗ ହୋଇଛି । ସହରର ଥିବା ସାପ୍ତାହିକ ବଜାର ଅବସ୍ଥା ମଧ୍ୟ ବେହାଲ  । ମଙ୍ଗଳବାର ସାପ୍ତାହିକ ହାଟ ଥିବାବେଳେ ଲୋକେ ପାଣି ମଧ୍ୟରେ ସଉଦା କିଣାବିକା କରୁଥିବାର ଦେଖିବାକୁ ମିଳିଥିଲା । ବାରମ୍ବାର ସହରରେ ଡ୍ରେନେଜ ବ୍ୟବସ୍ଥା ସୁଧାରିବା ପାଇଁ ଦାବି ହେଉଛି କିନ୍ତୁ ଏଥିପ୍ରତି ଜିଲ୍ଲା ପ୍ରଶାସନ କିମ୍ବା ପୌର ପରିଷଦ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.