ETV Bharat / politics

‘ବିଜେପି କ୍ଷମତାକୁ ଆସିଲେ ସମ୍ବିଧାନ ପରିବର୍ତ୍ତନ ସହ ସଂରକ୍ଷଣ ବ୍ୟବସ୍ଥା ସମାପ୍ତ କରିଦେବ’ - Kejriwal targets BJP

author img

By ETV Bharat Odisha Team

Published : May 16, 2024, 1:27 PM IST

lok sabha election 2024: ସଂରକ୍ଷଣ ବ୍ୟବସ୍ଥା ସମାପ୍ତ ଓ ସମ୍ବିଧାନ ପରିବର୍ତ୍ତନ କରିବା ବିଜେପିର ଲକ୍ଷ୍ୟ । ନିର୍ବାଚନ ଜିତିବା ପରେ ଏହି କାମ ଆରମ୍ଭ କରିବ ଦଳ । ମିଳିତ ପ୍ରେସମିଟରେ ବର୍ଷିଲେ କେଜ୍ରିଓ୍ବାଲ ଓ ଅଖିଳେଶ । ଅଧିକ ପଢନ୍ତୁ

‘ବିଜେପି କ୍ଷମତାକୁ ଆସିଲେ ସଂରକ୍ଷଣ ବ୍ୟବସ୍ଥା ସମାପ୍ତ କରିଦେବ’: ମିଳିତ ପିସିରେ ବର୍ଷିଲେ କେଜ୍ରିଓ୍ବାଲ- ଅଖିଳେଶ
‘ବିଜେପି କ୍ଷମତାକୁ ଆସିଲେ ସଂରକ୍ଷଣ ବ୍ୟବସ୍ଥା ସମାପ୍ତ କରିଦେବ’: ମିଳିତ ପିସିରେ ବର୍ଷିଲେ କେଜ୍ରିଓ୍ବାଲ- ଅଖିଳେଶ (Pic- ETV Bharat Odisha)

ଲକ୍ଷ୍ନୌ: ଚଳିତ ସାଧାରଣ ନିର୍ବାଚନରେ ଜାତୀୟ ରାଜନୀତିରେ ବଡ ମୁଦ୍ଦା ଭାବେ ସାମ୍ନାକୁ ଆସିଛି ସଂରକ୍ଷଣ ବ୍ୟବସ୍ଥା । ବିଜେପି ସରକାର ପୁଣି ଥରେ କେନ୍ଦ୍ରରେ ସରକାର ଗଠନ କଲେ ବିଭିନ୍ନ ସାମାଜିକ ବର୍ଗକୁ ମିଳୁଥିବା ସଂରକ୍ଷଣ ସୁବିଧା ବନ୍ଦ କରିଦେବ ବୋଲି କହିଛନ୍ତି ଆମ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଆଜି କେଜ୍ରିଓ୍ବାଲ ଓ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଲକ୍ଷ୍ନୌରେ ମିଳିତ ପ୍ରେସମିଟ କରି ବିଭିନ୍ନ ପ୍ରସଙ୍ଗରେ ମୋଦି ନେତୃତ୍ବାଧୀନ ବିଜେପି ସରକାର ଉପରେ ଭୀଷଣ ବର୍ଷିଛନ୍ତି ।

ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ କେନ୍ଦ୍ରୀୟ ସଂସ୍ଥା ‘ଇଡି’ ଦ୍ବାରା ଗିରଫ ହୋଇ ମାସାଧିକ କାଳ ଜେଲରେ ରହିବା ପରେ ସୁପ୍ରିମକୋର୍ଟରୁ ମଧ୍ୟବର୍ତ୍ତୀକାଳୀନ ବେଲରେ ଆସିଥିବା କେଜ୍ରିଓ୍ବାଲ ଏହି ସଂରକ୍ଷଣ ବ୍ୟବସ୍ଥା ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରିଛନ୍ତି । ଏକାଧିକ ସଙ୍ଗୀନ ଅଭିଯୋଗ ସହ କେଜ୍ରିଓ୍ବାଲ କହିଛନ୍ତି, ବିଜେପି ସବୁବେଳେ ସଂରକ୍ଷଣ ବ୍ୟବସ୍ଥାର ବିରୋଧୀ । ସେମାନେ ଚଳିତ ନିର୍ବାଚନରେ କ୍ଷମତା ହାସଲ କରିବା ପରେ ସମ୍ବିଧାନ ପରିବର୍ତ୍ତନ କରିବା ପାଇଁ କାମ କରିବେ । ପୂର୍ବରୁ ଦେଶରେ ଲାଗୁ ରହିଥିବା ସଂରକ୍ଷଣ ବ୍ୟବସ୍ଥାକୁ ସମାପ୍ତ କରିଦେବେ । ଆଉ ଏକ ସଙ୍ଗୀନ ଦାବି ମଧ୍ୟ କରିଛନ୍ତି କେଜ୍ରିଓ୍ବାଲ । ବିଜେପି ଏଥର ନିର୍ବାଚନରେ କ୍ଷମତାକୁ ଆସିବା ପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚୌକିରୁ ଯୋଗୀ ଆଦିତ୍ୟନାଥଙ୍କୁ ହଟାଇବ ।

ସେହିପରି ଉତ୍ତର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଚଳିତ ସାଧାରଣ ନିର୍ବାଚନ ଲଢୁଥିବା ‘ସପା’ ସୁପ୍ରିମୋ ଅଖିଳେଶ କହିଛନ୍ତି, ବିଜେପି ଚଳିତ ନିର୍ବାଚନରେ ପରାସ୍ତ ହେବାକୁ ଯାଉଛି । ଏବେ ସୁଦ୍ଧା ଦେଶରେ 4ର୍ଥ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଯେତିକି ଆସନରେ ମତଦାନ ଶେଷ ହୋଇଛି, ସେଥିରେ ଭାରତୀୟ ଜନତା ପାର୍ଟି ଅଧିକାଂଶ ଆସନରେ ପରାସ୍ତ ହୋଇସାରିଲାଣି ।

ଏହା ମଧ୍ୟ ପଢନ୍ତୁ:- ଖଲ୍ଲିକୋଟରେ ରାଜନୈତିକ ହିଂସା; ବିଜେପି-ବିଜେଡି କର୍ମୀଙ୍କ ମଧ୍ୟରେ ଆକ୍ରମଣରେ ଜଣେ ମୃତ, ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ - Violence in Khallikote

ପୂର୍ବରୁ ଏହି ସଂରକ୍ଷଣ ପ୍ରସଙ୍ଗରେ ବିଜେପିକୁ କଂଗ୍ରେସ ସମେତ ତମାମ ବିରୋଧୀ ପାର୍ଟି ଘରିସାରିଥିବା ବେଳେ ବିଜେପି ମଧ୍ୟ ଏହାର ସ୍ପଷ୍ଟୀକରଣ ରଖିସାରିଛି । ଅମିତ ଶାହ, ଜେପି ନଡ୍ଡା, ରାଜନାଥ ସିଂ ଏବଂ ଓମ ବିର୍ଲାଙ୍କ ପରି ଦଳର ଶୀର୍ଷ ନେତା ସଂରକ୍ଷଣ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ ହେବନାହିଁ ବୋଲି କହିସାରିଛନ୍ତି । ହେଲେ ଧର୍ମ ଆଧାରରେ ସଂରକ୍ଷଣ ଦିଆଯାଇ ପାରିବନାହିଁ ବୋଲି ମଧ୍ୟ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ପଷ୍ଟ କରିସାରିଛନ୍ତି । ତଥାପି ଏହି ପ୍ରସଙ୍ଗରେ ଏବେ ଜାତୀୟ ରାଜନୀତିରେ ଉଷ୍ମତା ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.