ରାଇରଙ୍ଗପୁରରେ ୩ ଠାକୁରଙ୍କ ବାହୁଡ଼ା ଯାତ୍ରା ସମ୍ପନ୍ନ, ଜମିଲା ଭକ୍ତଙ୍କ ଗହଳି

By

Published : Jun 29, 2023, 8:17 PM IST

thumbnail

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରରେ ପ୍ରଭୁ ଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଯାଇଛି । ଗତକାଲି ମାଉସୀ ମା' ମନ୍ଦିରରୁ ଶ୍ରୀମନ୍ଦିର ଅଭିମୁଖେ ବାହାରି ରାଇରଙ୍ଗପୁର ବଡ଼ଦାଣ୍ଡ ରାସ୍ତାର ଅଧା ରାସ୍ତାରେ ରଥାରୂଢ଼ ହୋଇ ରହିଥିଲେ ମହାପ୍ରଭୁ ଜଗନ୍ନାଥ, ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା । ଆଜି ଭୋରରୁ ସମସ୍ତ ନୀତିକାନ୍ତି କରାଯାଇ ସନ୍ଧ୍ୟା ସମୟରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସୁନାବେଶ କରାଯାଇଥିଲା । ସୁନା ବେଶ ଦେଖିବାକୁ ଭକ୍ତଙ୍କ ପ୍ରବଳ ଭିଡ଼ ଜମିଥିଲା ।  

ରାଇରଙ୍ଗପୁର ଜଗନ୍ନାଥ ମନ୍ଦିରର ନୀତିକାନ୍ତି ଅନୁଯାୟୀ ଆଜି ଭୋର ସକାଳୁ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ମଙ୍ଗଳ ଆଳତି, ମଇଲମ, ପ୍ରାତଃ ଅବକାଶ, ସୂର୍ଯ୍ୟ ପୂଜା, ଦ୍ଵାରପାଳ ପୂଜା, ରୋଷହୋମ ଆଦି ସମାପନ ହୋଇଥିଲା । ପରେ ଭକ୍ତଙ୍କ ଗହଳି ମଧ୍ୟରେ ଠାକୁରଙ୍କ ପୂଜାର୍ଚ୍ଚନା ହୋଇଥିଲା । ପୂର୍ବାହ୍ନ ପାଖାପାଖି ୫ଟା ସମୟରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ତେବେ ଆଜି ବାହୁଡ଼ା ଯାତ୍ରାର ଶେଷ ଦିବସ ଅବସରରେ ମା', ମାଉସୀ ଓ ଭଉଣୀମାନେ ଠାକୁରଙ୍କ ରଥକୁ ଟାଣି ଟାଣି ନେଇ ଜଗନ୍ନାଥ ମନ୍ଦିର ନିକଟସ୍ଥ ବଡ଼ଦାଣ୍ଡକୁ ପହଞ୍ଚାଇଥିଲେ। ତେବେ ଏଥି ମଧ୍ୟରେ ଘଣ୍ଟ, ଘଣ୍ଟା, ଶଙ୍ଖ, ହୁଳହୁଳି, ହୋରିବୋଲ, ନାଦରେ ପ୍ରକମ୍ପିତ ହୋଇ ଉଠିଥିଲା ବଡ଼ଦାଣ୍ଡ । ଭକ୍ତମାନେ ଜଗତର ନାଥଙ୍କ ସହିତ ଭାବର ଆଦାନ ପ୍ରଦାନ କରିଥିଲେ ।  

ଏହା ବି ପଢନ୍ତୁ-  Suna Besha:ସ୍ବର୍ଣ୍ଣ ଅଳଙ୍କାରରେ ଝଟକୁଛନ୍ତି ରାଷ୍ଟ୍ର ଦେବତା, ଦେଖନ୍ତୁ

ଭକ୍ତମାନଙ୍କ ଜୟ ଜଗନ୍ନାଥ, ପ୍ରଭୁ ଜୟ ଜଗନ୍ନାଥ ଡାକରେ କମ୍ପି ଉଠୁଥିଲା ଗଗନ ପବନ । ପରେ ରଥ ଉପରେ ନୀତିକାନ୍ତୀ ଅନୁଯାୟୀ ତିନି ଠାକୁରଙ୍କ ପୂଜାର୍ଚ୍ଚନା କରିଥିଲେ ମୁଖ୍ୟ ପୂଜକ । ତା' ସହିତ ସନ୍ଧ୍ୟା ସମୟରେ ରଥାରୂଢ଼ ତିନି ଠାକୁର ସୁନାବେଶ ସୁସଜ୍ଜିତ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ । ତେବେ ବାହୁଡ଼ା ଯାତ୍ରାର ଶେଷ ଦିବସ ଅବସରରେ ରାଇରଙ୍ଗପୁର ଉପଜିଲ୍ଲାପାଳ ସରୋଜ କୁମାର ଦାସ, ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ, ରାଇରଙ୍ଗପୁର ପୌରପାଳିକାର ଅଧ୍ୟକ୍ଷ ଅଭିଷେକ ପଟ୍ଟନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ସେପଟେ ହଜାର ହଜାର ଜନସାଧାରଣଙ୍କ ସମାଗମ ହୋଇଥିବା ବେଳେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା । ଏସବୁ ମଧ୍ୟରେ ପ୍ରବଳ ଭିଡ଼ରେ ମହିଳା ଓ ଯୁବତୀମାନେ ରଥ ଟାଣୁଥିବା ବେଳେ ପ୍ରବଳ ଗୁରମ ଯୋଗୁଁ ଜଣେ କିମ୍ବା ୨ ଜଣ ଯୁବତୀ ଅସୁସ୍ଥ ହୋଇପଡ଼ିଥିଲେ । ସେମାନଙ୍କୁ ତୁରନ୍ତ ଭିଡ଼ ଭିତରୁ ଉଦ୍ଧାର କରାଯାଇ ମେଡିକାଲକୁ ପଠାଯାଇଥିଲା ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.