ଯାତ୍ରା ମୈଦାନରେ ବାହୁବଳୀ ବିଧାୟକଙ୍କ ଯାତ୍ରା ‘ବାହୁବଳୀ’

By

Published : Jul 17, 2023, 4:35 PM IST

thumbnail

ଖୋର୍ଦ୍ଧା: ରାଜନୀତିରୁ ହଠାତ ଯାତ୍ରା ମୈଦାନକୁ ଓହ୍ଲାଇଲେ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦେବ । ଯାତ୍ରା ପାର୍ଟି ଗଢି ଯାତ୍ରା ମୈଦାନକୁ ଓହ୍ଲାଇଛନ୍ତି ଏହି ବାହୁବଳୀ ବିଧାୟକ । ଯାତ୍ରା ବାହୁବଳୀ ତପସ୍ୟା ରଙ୍ଗମଞ୍ଚ ନାମରେ ଏକ ଯାତ୍ରା ଅନୁଷ୍ଠାନ ଗଢି ଏହାର ରିହରସେଲକୁ ଜୋରଦାର ଚଳାଇଥିବା ଦେଖିବାକୁ ମିଳିଛି । ଅନେକ ସମୟରେ ନିଜର ବିବାଦୀୟ ବୟାନ ଓ କାର୍ଯ୍ୟକଳାପ ପାଇଁ ଚର୍ଚ୍ଚାରେ ରହିଥାନ୍ତି ବାହୁବଳୀ ନେତା ତଥା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ । କିନ୍ତୁ ଏବେ ଯାତ୍ରା ଜଗତରେ ଦେଖିବାକୁ ମିଳିବ ବାହୁବଳୀ ନେତାଙ୍କ ଯାତ୍ରା ବାହୁବଳୀର ଜଲୱା । ଏହି ଯାତ୍ରାପାର୍ଟିର ଆଖଡା ଚାଲିଥିବା ବେଳେ ବହୁ ସିରିଏଲ କଳାକାର ଏହାର ମୁଖ୍ୟ ଆକର୍ଷଣ ରହିଛନ୍ତି । ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦେବ ଏହି ଯାତ୍ରା ପାର୍ଟିର ମୁଖ୍ୟ ପୃଷ୍ଠପୋଷକ ଓ ପ୍ରଯୋଜକ ରହିଥିବା ବେଳେ ଅନ୍ୟଜଣେ ପ୍ରଯୋଜକ ମଧ୍ୟ ଅଛନ୍ତି । 

ଶ୍ରୀଗୁଣ୍ଡିଚାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ବାହୁବଳୀ ତପସ୍ୟା ରଙ୍ଗମଞ୍ଚର ଆଖଡା ଆସନ୍ତା ସ୍ବାଧୀନତା ଦିବସରେ ସରିବ ଓ ରାଜ୍ୟ ତଥା ରାଜ୍ୟ ବାହାରେ ତାହାର ନାଟକ ପରିବେଷଣ କରିବ ବୋଲି ଯାତ୍ରାପାର୍ଟି ପ୍ରଯୋଜକ ତାପସ ଦାସ କହିଛନ୍ତି । ତେବେ ଏହି ଯାତ୍ରା ପାର୍ଟିରେ ବିଧାୟକଙ୍କ ଜୀବନୀକୁ ନେଇ ଏକ ନାଟକ ରଚନା କରାଯାଇଛି । ଯାହାର ନାମ ରଖାଯାଇଛି ବାହୁବଳୀ ପାଇକ ପୁଅ । 

ଏହି ନାଟକଟି ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ରାଜନୈତିକ ଜୀବନୀକୁ ନେଇ ପ୍ରସ୍ତୁତ ହୋଇଥିବା ବେଳେ ଏବେ ତାହାର ଆଖଡା ଚାଲିଛି । କିନ୍ତୁ ଏହି ନାଟକରେ ବିଧାୟକ ପ୍ରଶାନ୍ତ ନିଜେ ଅଭିନୟ କରିବେ ନା ନାହିଁ, ତାହା ସ୍ପଷ୍ଟ ହୋଇନି । ଏହି ଯାତ୍ରା ପାର୍ଟିରେ ସିନେ ଓ ସିରିଏଲ ଜଗତର କଳାକାର ମାନେ ଅଭିନୟ କରୁଥିବା ବେଳେ ଏହି ଯାତ୍ରା ପାର୍ଟି 'ଏ' କ୍ଲାସ ପାର୍ଟିରେ ସ୍ଥାନ ପାଇବ ବୋଲି ଦାବି କରିଛନ୍ତି ପ୍ରଯୋଜକ ତାପସ ଦାସ ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.