ଶାରଦୀୟ ଦୁର୍ଗାପୂଜା, ମା' ଶାରଳା ପୀଠରେ ଅପରାଜିତା ପୂଜା

By ETV Bharat Odisha Team

Published : Oct 24, 2023, 9:27 PM IST

thumbnail

ଜଗତସିଂହପୁର: ଜିଲ୍ଲାର ଇଷ୍ଟଦେବୀ ମା' ଶାରଳାଙ୍କ ପୀଠରେ ଆଜି ବିଜୟା ଦଶମୀ ଉତ୍ସବ ପାଳିତ ହୋଇଛି ।  ଗତକାଲି ମହା ନବମୀ ତିଥିରେ ଷୋଡ଼ଶ ଦିନାତ୍ମକ ପୂଜାର ପୂର୍ଣ୍ଣାହୁତି କରାଯାଇଥିଲା ।  ଆଜି ଅପରାଜିତା ପୂଜା ପରେ ଘଟ ବିସର୍ଜନ କରାଯାଇଛି। ଆଜି ପ୍ରତ୍ୟୁଷରୁ ମଙ୍ଗଳ ଆଳତୀ ପରେ ମନ୍ଦିର ଶୋଧ, ମାର୍ଜ୍ଜନା ପରେ ବେଶ ଅନୁଷ୍ଠିତ ହୋଇଥିଲା । ଅନ୍ୟପଟେ ଯଜ୍ଞ ମଣ୍ଡପରେ ପଣ୍ଡିତମାନେ ଷୋଡ଼ଶ ଦିନ ଧରି ପୂଜା ପାଉଥିବା ଘଟକୁ ବିସର୍ଜନ କରିଥିଲେ । ଦିନ ୪ଟା ସୁଦ୍ଧା ମା'ଙ୍କ ମନ୍ଦିରରେ ଅପରାଜିତା ପୂଜା ଅନୁଷ୍ଠିତ ହୋଇଥିଲା । ଅପରାଜିତା ପରେ ଘଣ୍ଟ ଘଣ୍ଟା କାହାଳୀ ମର୍ଦ୍ଧଳରେ ମନ୍ଦିର ପରିସର ଉଛୁଳି ପଡିଥିଲା । ମନ୍ଦିର ସେବକମାନେ ଘଟକୁ ଧରି ମନ୍ଦିର ପରିସରରେ ଚନ୍ଦନ ପୁଷ୍କରିଣୀରେ ଘଟକୁ ସେବକମାନେ ମେଲାଣି ଦେଇଥିଲେ।  

ଏହି କାର୍ଯ୍ୟକ୍ରମ ପରେ ଶାରଳାଙ୍କ ମନ୍ଦିରରେ ଶାରଦୀୟ ପାର୍ବଣ ପୂଜା ଶେଷ ହୋଇଛି। ସୂଚନା ଥାଉ କି ମୁଳାଷ୍ଟମୀଠାରୁ ମା' ଶାରଳାଙ୍କ ପୀଠରେ ଶାରଦୀୟ ପାର୍ବଣ ପୂଜା ଆରମ୍ଭ ହୋଇ ମହା ନବମୀ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥାଏ ।  ସେହିଦିନଠାରୁ ପ୍ରତ୍ୟଟେକ ଦିନ ୧୮ ଦିନ ବ୍ୟାପି ପ୍ରତ୍ୟେକ ଦିନ ଚଣ୍ଡୀପାଠ, ଷୋଡ଼ଶ ଉପଚାର ପୂଜା, ଅନୁଷ୍ଠିତ ହୁଏ । ପ୍ରତେକ ଦିନ ମଧ୍ୟ ବିଭିନ୍ନ ବେଶରେ ମା' ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ମହା ସପ୍ତମୀ, ମହାଷ୍ଟମୀ ଓ ମହା ନବମୀ ତିଥିରେ ମା'ଙ୍କୁ ସୁନାବେଶରେ ଦର୍ଶନ ଦେଇଥାନ୍ତି । 

ଏହା ବି ପଢନ୍ତୁ- ଶାରଦୀୟ ଦୁର୍ଗାପୂଜାରେ ଚଳଚଞ୍ଚଳ ମାଆ ଶାରଳା ପୀଠ, ଶାକ୍ତ ଓ ବୈଷ୍ଣବ ଧର୍ମର ସମନ୍ୱୟ ଶକ୍ତି ପୀଠ

ମହାଷ୍ଟମୀ ତିଥିରେ ମା' ଶାରଳାଙ୍କ ପୀଠରେ ଚୁଡାଘଷା ଭୋଗ ଅର୍ପଣ କରାଯାଇଥାଏ ।  ସେହିପରି ମହାଷ୍ଟମୀ ନିଶାର୍ଦ୍ଧରେ ସନ୍ଧି ପୂଜା କରାଯିବା ସହିତ ପିତଳ ହଣ୍ଡାରେ 7ହଣ୍ଡା ପଣା ଓ ପିଠା ବଳି ଭାବରେ ଉତ୍ସର୍ଗ କରାଯାଇଥାଏ । ସେହିପରି ମହା ନବମୀ ତିଥିରେ ଦେବୀ ବିଶ୍ରାମ ନେଇଥାନ୍ତି ।  ବିଶ୍ରାମ ଦିନ ଦିନବେଳା ମନ୍ଦିର ବନ୍ଦ ରହିବା ସହିତ ନୀତିକାନ୍ତି ସମୟରେ ଘଣ୍ଟା କି ଘଣ୍ଟ ବାଜି ନଥାଏ। ବିଜୟା ଦଶମୀ ତିଥିରେ ଅପରାଜିତା ପୂଜା ପରେ ଘଟ ବିସର୍ଜନ ହେବାର ବିଧି ରହିଛି। ଆଜି ଏହି କାର୍ଯ୍ୟକ୍ରମ ପରେ ଶାରଦୀୟ ପାର୍ବଣର ପରିସମାପ୍ତି ଘଟିଛି ।  

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.