ସୁରୁଖୁରୁରେ ଚାଲିଛି ମତଦାନ, 30 ମିନିଟରେ ସମାଧାନ ହେଉଛି ତ୍ରୁଟି: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ - CEO Press Meet

By ETV Bharat Odisha Team

Published : May 13, 2024, 9:54 AM IST

thumbnail
CEO Press Meet (ETV Bharat Odisha)

CEO Press Meet: ଭୁବନେଶ୍ୱର: ଭୋଟ ଦେଉଛି ଓଡ଼ିଶା । ରାଜ୍ୟରେ ୪ ଟି ସଂସଦୀୟ କ୍ଷେତ୍ରରେ ଭୋଟ ଗ୍ରହଣ ଜାରି ରହିଥିବା ବେଳେ କିଛି ସ୍ଥାନରେ ଇଭିଏମରେ ତ୍ରୁଟି ଥିବା ଦେଖିବାକୁ ମିଳିଥିଲା  । ତେବେ ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରେସମିଟ କରି ସୂଚନା ଦେଇଛନ୍ତି  । ସେ କହିଛନ୍ତି ଯେ, ରାଜ୍ୟର 4 ଟି ଲୋକସଭା କ୍ଷେତ୍ରରେ ଆଜି ମତଦାନ ଚାଲିଛି । ବିଭିନ୍ନ ସ୍ଥାନରେ ଭୋଟିଂ ସୁରୁଖୁରୁରେ ଚାଲିଛି । କିଛି ସ୍ଥାନରେ ଇଭିଏମ ତ୍ରୁଟି ଥିବାବେଳେ ଏହାର ସମାଧାନ ହୋଇଛି । 30 ମିନିଟ ମଧ୍ୟରେ ଇଭିଏମ ତୃଟିର ସମାଧାନ କରାଯାଉଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି । 

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତି ଯେ, ଆଜିର ଭୋଟିଂ ଥିମ ହେଉଛି ଭୋଟ ଦେଉଛି ଓଡିଶା । 7 ହଜାର 303 ବୁଥରେ ଭୋଟ ଦେଉଛନ୍ତି ମତଦାତା । ଭୋର 5.30 ମକ ପୋଲ ହୋଇଛି । ମକ ପୋଲ ସମୟରେ କିଛି ବୁଥରେ ଇଭିଏମ ଖରାପ ହୋଇଥିବା ଜଣାପଡିଥିଲା । ଏହାକୁ ରିପ୍ଲେସ କରାଯାଇଛି । 7 ହଜାର 303 ବୁଥରୁ 52ଟି ବାଲଟ ୟୁନିଟ,  58 ଟି କଣ୍ଟ୍ରୋଲ ୟୁନିଟ ଓ 43 ଟି ଭିଭିପାଟ ପରିବର୍ତ୍ତନ ହୋଇଛି । ଏହା ମୋଟ ବୁଥର 1 ପ୍ରତିଶତରୁ କମ । କଳାହାଣ୍ଡି ଲୋକସଭା କ୍ଷେତ୍ରରେ ଅଧିକ ପରିବର୍ତ୍ତନ ହୋଇଛି । ଯେଉଁଠି 10ଟି ବାଲଟ ୟୁନିଟ, 41ଟି କଣ୍ଟ୍ରୋଲ ୟୁନିଟ ଓ 19ଟି ଭିଭିପାଟ ପରିବର୍ତ୍ତନ ହୋଇଛି । 

ଏହାମଧ୍ୟ ପଢନ୍ତୁ.. ପ୍ରଥମ ପର୍ଯ୍ୟାୟରେ 4 ଲୋକସଭା ଆସନରେ ଆରମ୍ଭ ହେଲା ଭୋଟିଂ - Lok Sabha Election 2024



ସେ ଆଉମଧ୍ୟ କହିଛନ୍ତି, " ମକ ପୋଲ ସମୟରେ ସାଧାରଣତଃ ଏହି ତ୍ରୁଟି ଜଣାପଡିଯାଏ । ସେଥିପାଇଁ ଭୋଟରଙ୍କୁ ବ୍ୟସ୍ତ ହେବାର ନାହିଁ । 25 ପ୍ରତିଶତ ଅଧିକ ବାଲଟ ୟୁନିଟ ଓ କଣ୍ଟ୍ରୋଲ ୟୁନିଟ କମିଶନ ହୋଇଥାଏ । 35 ପ୍ରତିଶତ ଅଧିକ ଭିଭିପାଟ ଥାଏ ।' ସେ ଆହୁରି ମଧ୍ୟ କହିଛନ୍ତି, "4 ଲୋକସଭା କ୍ଷେତ୍ରର ସମସ୍ତ ଭୋଟରଙ୍କୁ ମୁଁ ଆଶ୍ୱସ୍ତ କରୁଛି । ଯେଉଁଠାରେ ଇଭିଏମ ତ୍ରୁଟି ହେବ 30 ମିନିଟ ଭିତରେ ଆମେ ସମାଧାନ କରିଦେବୁ । ଭୋଟରଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି । ପାଗ ଅନୁକୂଳ ଥିବାରୁ ବହୁ ଲୋକ ବୁଥ ଆଗରେ ଲମ୍ବା ଧାଡିରେ ଛିଡା ହୋଇଛନ୍ତି । ନବରଙ୍ଗପୁର, କଳାହାଣ୍ଡି ଓ କୋରାପୁଟରେ ସବୁବେଳେ ଭଲ ଭୋଟିଂ ହୋଇଥାଏ । ଆଜି ବି ହେବା ଆଶା ।

ସ୍ୱାଭିମାନ ଅଞ୍ଚଳ ମାଲକାନଗିରିରେ 2019 ନିର୍ବାଚନରେ ଏହି ଅଞ୍ଚଳର 23ଟି ବୁଥର ଜନସାଧାରଣ ବିଏସଏଫ କ୍ୟାମ୍ପ ଜନତା ପାଇରେ ଭୋଟ ଦେଇଥିଲେ । କିନ୍ତୁ ଏଥର ସେମାନେ ନିଜ ଗାଁ ରେ ଭୋଟ ଦେଉଛନ୍ତି । ଏହା ସବୁଠାରୁ ଅଧିକ ଖୁସିର କଥା । 10ଟି ବୁଥରେ ଭୋଟିଂ ଶୂନ୍ୟ ଥିଲା । ଏଥର ଲୋକ ବୁଥକୁ ଆସି ଭୋଟ ଦେବାକୁ ଛିଡ଼ା ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଆଇନ ଶୃଙ୍ଖଳା ବ୍ୟବସ୍ଥା ସୁଦୃଢ଼ ହୋଇଥିବାରୁ ଏହା ସମ୍ଭବ ହୋଇଛି  ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ  ।



ଏଡିଜି ସଞ୍ଜୟ କୁମାର କହିଛନ୍ତି ଯେ, କୌଣସି ସ୍ଥାନରେ ଆଇନ ଶୃଙ୍ଖଳା ନେଇ ଅଭିଯୋଗ ଆସିନାହିଁ । ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି । ମୋବାଇଲ ପେଟ୍ରୋଲିଂ ଚାଲିଛି । 5 ଲେୟାରରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.