ଓଡିଶା

odisha

ଟିଣ ଘରେ ଚାଲିଛି ସ୍କୁଲ, ଆନ୍ଧ୍ର ମୁହାଁ ସେମ୍ବି ଗାଁର ଓଡ଼ିଆ ଛାତ୍ରଛାତ୍ରୀ

By

Published : Jul 27, 2023, 10:14 PM IST

ଟିଣ ଛପର ବିଦ୍ୟାଳୟ ଆଗରେ ବିଜୁ ପକ୍କାଘର ନିର୍ମାଣ କଲେ ରାଜ୍ୟ ସରକାର । ଆନ୍ଧ୍ର ମୁହାଁ କୋରାପୁଟ କୋଟିଆ ପଞ୍ଚାୟତ ସେମ୍ବି ଗାଁର ଓଡ଼ିଆ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

Etv Bharat
Etv Bharat

ଆନ୍ଧ୍ର ମୁହାଁ ସେମ୍ବି ଗାଁର ଓଡ଼ିଆ ଛାତ୍ରଛାତ୍ରୀ

କୋରାପୁଟ:କୋଟିଆ ପଞ୍ଚାୟତ ସଦର ମହକୁମା ସେମ୍ବି ଗ୍ରାମର ଛାତ୍ରଛାତ୍ରୀ ଏବେ ଆନ୍ଧ୍ର ମୁହାଁ ହୋଇଛନ୍ତି । ସେମ୍ବି ଗାଁରେ ଥିବା ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଟିଣ ଛପର ଘରେ ଚାଲୁଥିବା ବେଳେ ସେପଟେ ଆନ୍ଧ୍ର ସରକାରଙ୍କ ଲୋଭନୀୟ ଅଫର ଉଭୟ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ନିଜ ଆଡ଼କୁ ଆକର୍ଷିତ କରିଛି । ଏପଟେ ସ୍କୁଲ ଟିଣ ଘରେ ଚାଲୁଥିବା ବେଳେ ଏହା ଆଗରେ ତିଆରି ହୋଇଛି ବିଜୁ ପକ୍କା ଘର । ଫଳରେ ପିଲା ଏଠାକୁ ନଆସି ଆନ୍ଧ୍ରର ସ୍କୁଲରେ ପାଠ ପଢିବା ସହ ତେଲୁଗୁ ଶିଖିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଫଳରେ ଓଡ଼ିଶା ସରକାରଙ୍କ ଅବହେଳା ଓ ବେଖାତିରକୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ ।

ଉପର ସେମ୍ବି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରଜ କୁମାର ବଳିଙ୍କ କହିବା ଅନୁଯାୟୀ ଉପର ସେମ୍ବି ଗାଁରେ ଥିବା ୪୧ ଜଣ ପିଲାଙ୍କ ମଧ୍ୟରୁ ୨୭ ଜଣ ଏହି ବିଦ୍ୟାଳୟରେ ପଢୁଛନ୍ତି । ତେବେ ଏକା ସଙ୍ଗେ ୭ଟି ଶ୍ରେଣୀର ସମସ୍ତ ୨୭ ଜଣ ପିଲା ଆସିଲେ ଜାଗା ନିଅଣ୍ଟ ପଡୁଛି । ଏହି ଗାଁକୁ ଆନ୍ଧ୍ର ସରକାରଙ୍କ ବିଜୁଳି ଆସିଥିବା ଯୋଗୁଁ ଓଡ଼ିଶା ସରକାରଙ୍କ ଏହି ବିଦ୍ୟାଳୟକୁ ବିଜୁଳି ସଂଯୋଗ ମଧ୍ୟ କରାଯାଇନାହିଁ । ଦୂରାବସ୍ଥାର ବୋଝ ଉପରେ ନଳିତା ବିଡା ଭଳି ବିଦ୍ୟାଳୟକୁ ଥିବା ରାସ୍ତା ଉପରେ ଓଡିଶା ସରକାରଙ୍କ ଦ୍ବାରା ନୂତନ ଭାବେ ନିର୍ମିତ ବିଜୁ ପକ୍କା ଘର ନିର୍ମାଣ ହେବା ଯୋଗୁଁ ବିଦ୍ୟାଳୟକୁ ରାସ୍ତା ବନ୍ଦ ହୋଇଯାଇଛି । ବର୍ତ୍ତମାନ ବିଦ୍ୟାଳୟକୁ ଆସିବାକୁ ହେଲେ ଏକ ରାସ୍ତା ନଥିବା ଜାଗାରେ ଅଣଓସାରିଆ ରାସ୍ତା ଦେଇ ସତର୍କତାର ସହ ଚାଲିବାକୁ ହେଉଛି ।

ଏହା ବି ପଢନ୍ତୁ- ଶିକ୍ଷାରେ ବାଧା ସାଜିଛି ରାସ୍ତା, ପାଠପଢାରୁ ବଞ୍ଚିତ ଡୁମୁରିପଦର ଗାଁ

ବ୍ଲକ ଅଧିକାରୀଙ୍କୁ କୋଟିଆ ପଞ୍ଚାୟତ ସରପଞ୍ଚଙ୍କ ମାଧ୍ୟମରେ ବିଦ୍ୟାଳୟ ଗୃହ ଓ ରାସ୍ତା ସମ୍ପର୍କରେ ଅବଗତ କରାଯାଇଥିଲେ ମଧ୍ୟ ଏଯାବତ କୌଣସି ସୁଫଳ ମିଳିନଥିବା ପ୍ରଧାନ ଶିକ୍ଷକ କହିଛନ୍ତି । ଗୋଟିଏ ପଟେ ଆନ୍ଧ୍ର ସରକାରଙ୍କ ଦ୍ବାରା ଚାଲୁ ରହିଥିବା ଆମ୍ମା ବାଡିରେ ଆନ୍ଧ୍ର ବିଦ୍ୟାଳୟରେ ପଢିଲେ 15 ହଜାର ଟଙ୍କାର ପ୍ରୋତ୍ସାହନ ରାଶି ମିଳୁଥିବା ବେଳେ ଓଡ଼ିଶା ସରକାରଙ୍କ ଏପରି ବେଖାତିର ମନୋଭାବ ଅଞ୍ଚଳର ପିଲାଙ୍କୁ ଆନ୍ଧ୍ର ବିଦ୍ୟାଳୟ ଆଡକୁ ଆକୃଷ୍ଟ କରୁଛି । ଏଣୁ ଅଞ୍ଚଳର ପିଲାମାନେ ଆନ୍ଧ୍ରର ତୋନମ, ମାମିଡ଼ିପଲ୍ଲୀ ଓ ମେର୍ଣ୍ଡିଙ୍ଗି ଭଳି ନିକଟବର୍ତ୍ତୀ ଗ୍ରାମଗୁଡିକରେ ଥିବା ଆବାସିକ ବିଦ୍ୟାଳୟକୁ ଚାଲିଯାଉଥିବା ଦେଖିବାକୁ ମିଳିଛି ।

କୋଟିଆ ପଞ୍ଚାୟତର ଛାତ୍ରଛାତ୍ରୀଙ୍କୁ ଓଡ଼ିଆ ବିଦ୍ୟାଳୟ ଆଡ଼କୁ ଆକର୍ଷିତ କରିବା ପାଇଁ କୋଟିଆ ନିକଟ ତଳ ଗଞ୍ଜେଇପଦରଠାରେ ଗତ ବର୍ଷ ସ୍ବତନ୍ତ୍ର ଆଦର୍ଶ ବିଦ୍ୟାଳୟ ସ୍ଥାପିତ କରାଗଲା । କିନ୍ତୁ ଦୂରଦୃଷ୍ଟି ଅଭାବରୁ ରାଜ୍ୟ ସରକାର ଏହି ବିଦ୍ୟାଳୟରେ ଛାତ୍ରାବାସ ନଖୋଲି ବିଦ୍ୟାଳୟକୁ ଚାଲୁ କରିଦେବା ଫଳରେ ଛାତ୍ରଛାତ୍ରୀଙ୍କୁ ଏହି ବିଦ୍ୟାଳୟ ଆକୃଷ୍ଟ କରିପାରିନଥିଲା । ରାଜ୍ୟ ସରକାରଙ୍କ ଏପରି ଏକ ତରବରିଆ ପଦକ୍ଷେପ ତୀବ୍ର ସମାଲୋଚନା ହେବା ପରେ ନାଲକୋ ସହାୟତାରେ ପିଲାଙ୍କୁ ସେମାନଙ୍କ ଘର ପାଖରୁ ଏହି ବିଦ୍ୟାଳୟକୁ ଆଣିବାର ଯୋଜନା କରି ରାଜ୍ୟ ସ୍ତରରେ ପ୍ରଚାର ଓ ପ୍ରସାର କରାଗଲା । କିନ୍ତୁ ବାସ୍ତବ କ୍ଷେତ୍ରରେ ଫାଟୁସିନେରି, ଫଗୁଣସିନେରି, ମାଡକାର, ଡୋଲିଆମ୍ବ, ନେରେଡିବାଲାସା ଭଳି ଅଞ୍ଚଳର ପିଲାଙ୍କୁ ଆନ୍ଧ୍ର ପ୍ରଲୋଭନକୁ ପ୍ରତ୍ୟାଖ୍ୟାନ କରି ଓଡ଼ିଶାର ବିଦ୍ୟାଳୟରେ ପଢିବା ପାଇଁ ଯେଉଁ କୋଟିଆ ସ୍ବତନ୍ତ୍ର ଆଦର୍ଶ ବିଦ୍ୟାଳୟ ଖୋଲାଯାଇଥିଲା ତାହା ସଫଳ ହେଲା ନାହିଁ ।

ସେହି ଗାଁଗୁଡ଼ିକର ପିଲାମାନଙ୍କ ପାଖକୁ ବସ ଯାଇପାରିଲା ନାହିଁ । ତେଣୁ ଏହି ସମସ୍ତ ଗାଁର ପିଲାମାନେ ଏହି ବିଦ୍ୟାଳୟରେ ପଢ଼ିପାରୁନଥିବା ଯୋଗୁଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ନାଲକୋ ସହାୟତାରେ ଆରମ୍ଭ କରାଯାଇଥିବା ବସ୍‌ରେ ପଟ୍ଟାଙ୍ଗୀ ନିକଟ ସିପାଇପୁଟ, କୁନ୍ଦୁଲି ହାଟପଦା, ଥୁରିଆ, ଟାଉପଦର, ଉପର ବାରାବନ୍ଧ ଓ ତଳ ବାରାବନ୍ଧର ପିଲାଏ ଆସି ଏହି ବିଦ୍ୟାଳୟରେ ପଢ଼ିବା ଦ୍ଵାରା କୋଟିଆରେ ଆଦର୍ଶ ବିଦ୍ୟାଳୟ ଖୋଲିବା ପଛରେ ସରକାରଙ୍କ ମୂଳ ଉଦ୍ଦେଶ୍ୟ କେତେଦୂର ସାଧିତ ହେଲା ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ତେବେ ବର୍ତ୍ତମାନ ଏହି ବିଦ୍ୟାଳୟରେ ବାଳିକାଙ୍କ ପାଇଁ ଛାତ୍ରାବାସ ଖୋଲାଯିବା ପରେ ପରିସ୍ଥିତି କିଛି ମାତ୍ରାରେ ସୁଧୁରିଛି । ଅପରପକ୍ଷେ କୋଟିଆର ପ୍ରତିଟି ବିଦ୍ୟାଳୟକୁ ଆକର୍ଷଣୀୟ କରିବା ପାଇଁ ପଦକ୍ଷେପ ନିଆଯାଉଥିବା ଜିଲ୍ଳାପାଳ ଅବଦଲ ଅକ୍ତର କହିଛନ୍ତି ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details