ଓଡିଶା

odisha

ଦୟା ନଦୀରେ ବନ୍ୟା ପରିସ୍ଥିତି: ଧୋଇଗଲା ପାଣ୍ଡିଆବିଲି-ତିରିମଲ ରାସ୍ତା, ଯୋଗାଯୋଗ ବିଚ୍ଛିନ୍ନ

By

Published : Jul 27, 2023, 4:05 PM IST

Updated : Jul 27, 2023, 4:28 PM IST

ମହାନଦୀ ଏବଂ ତା'ର ଶାଖା ନଦୀମାନଙ୍କରେ ଧୀରେ ଧୀରେ ବନ୍ୟାଜଳ ପ୍ରବାହିତ ହେବାରେ ଲାଗିଛି। ଦୟା ନଦୀରେ ଜଳସ୍ତର ବୃଦ୍ଧି ଯୋଗୁ ବନ୍ୟ ପରିସ୍ଥିତି ସୃଷ୍ଟି ହୋଇଛି। ଅଧିକ ପଢନ୍ତୁ

ଦୟା ନଦୀରେ ବନ୍ୟା ପରିସ୍ଥିତି
ଦୟା ନଦୀରେ ବନ୍ୟା ପରିସ୍ଥିତି

ଦୟା ନଦୀରେ ବନ୍ୟା ପରିସ୍ଥିତି

ଖୋର୍ଦ୍ଧା :ହୀରାକୁଦରୁ ନିଷ୍କାସିତ ହେଉଛି ବନ୍ୟାଜଳ । ଫଳରେ ମହାନଦୀ ଏବଂ ତା'ର ଶାଖା ନଦୀମାନଙ୍କରେ ଧୀରେ ଧୀରେ ବନ୍ୟାଜଳ ପ୍ରବାହିତ ହେବାରେ ଲାଗିଲାଣି । ଏହି କ୍ରମରେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବେଣାପଞ୍ଜରୀ ପଞ୍ଚାୟତର ତିରିମଲଠାରେ ଦୟାନଦୀ ଉପରେ ପାଣ୍ଡିଆବିଲିକୁ ସଂଯୋଗ କରୁଥିବା ଅସ୍ଥାୟୀ ରାସ୍ତା ଧୋଇଯାଇଛି । ତେବେ ଏହି ଘଟଣା ନୂଆ ନୁହେଁ । ପ୍ରତ୍ୟେକ ବର୍ଷ ବର୍ଷା ଦିନେ ଏଭଳି ସ୍ଥିତି ଉପୁଜିଥାଏ ।

ଦୟାନଦୀରେ ଜଳସ୍ତର ବୃଦ୍ଧି ଫଳରେ ବୁଧବାର ଅପରାହ୍ନରେ ସ୍ଥିତି ସଙ୍ଗୀନ ହୋଇଥିବା ଦେଖିବାକୁ ମିଳିଛି । ରାସ୍ତା ଉପରେ ଦେଇ ଚାଲୁଛି ନଦୀ ପାଣି । ସେହିପରି ବିଳମ୍ବିତ ରାତିରେ ଦୟା ନଦୀରେ ଜଳସ୍ତର ବୃଦ୍ଧି ପାଇଁ ଏହି ଅସ୍ଥାୟୀ ରାସ୍ତା ଧୋଇଯାଇଥିବା ଦେଖିବାକୁ ମିଳିଛି । ଏହି ରାସ୍ତା ଉଭୟ ଜଟଣୀ ବ୍ଲକ ଓ ଡେଲାଙ୍ଗ ବ୍ଲକର ଅନେକ ଗାଁକୁ ସଂଯୋଗ କରୁଥିବାରୁ ପ୍ରତ୍ୟେକ ଦିନ ଯାତାୟତ ପାଇଁ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି ଅଞ୍ଚଳବାସୀ ।

ତେବେ ପ୍ରତି ବର୍ଷ ଦୟା ନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିବାବେଳେ ପଣ୍ଡିଆବିଲି ଭଳି ଏକାଧିକ ଗାଁକୁ ଯୋଗାଯୋଗ ବିଛିନ୍ନ ହୋଇଥାଏ । ବର୍ଷକ 4 ମାସ ଏହି ଅସ୍ଥାୟୀ ରାସ୍ତା ଦେଇ ଲୋକମାନେ ଯାତାୟତ କରୁଥିବାବେଳେ ଅନ୍ୟ ସମୟ ଡଙ୍ଗା ଭରଷାରେ ନଦୀ ପାର ହୋଇଥାନ୍ତି ଲୋକେ । ଦୀର୍ଘଦିନ ଧରି ବ୍ରିଜ ନିର୍ମାଣ ପାଇଁ ଦାବି ହୋଇଆସୁଥିଲେ ମଧ୍ୟ ତାହା ଫାଇଲ ତଳେ ଚାପି ହୋଇ ରହୁଛି । ନଦୀ ପାର ହେବାକୁ ପୋଲଟିଏ ନଥିବାରୁ ବିପଦ ଶଙ୍କୁଳ ଅବସ୍ଥାରେ ଲୋକେ ଯାତାୟତ କରୁଛନ୍ତି । ବର୍ଷା ଦିନେ ନଦୀରେ ପ୍ରଚୁର ପାଣି ହେବା ପରେ ଯାତାୟତ ଠପ ହୋଇପଡୁଛି ।

ଏହା ବି ପଢନ୍ତୁ...ଜିଲ୍ଲାର ବିଭିନ୍ନ ନଦୀରେ ବୃଦ୍ଧି ପାଉଛି ଜଳସ୍ତର, ଚିନ୍ତାରେ ନଦୀକୂଳିଆ ବାସିନ୍ଦା

ତେବେ ରାସ୍ତା ଧୋଇ ଯିବା ଫଳରେ ପାଣ୍ଡିଆବିଲିବାସୀଙ୍କୁ ବେଣାପଞ୍ଜରୀ ପଞ୍ଚାୟତକୁ ଯିବା ଅସମ୍ଭବ ହୋଇପଡ଼ିଥାଏ । ଖାଲି ସେତିକି ନୁହେଁ, ପିଲାଙ୍କ ପାଠପଢ଼ାରେ ମଧ୍ୟ ବାଧା ଉପୁଜିଥାଏ । ବର୍ଷା ଦିନେ ନଦୀ ପାର୍ କରି ସ୍କୁଲ କିମ୍ବା କଲେଜକୁ ଯିବା ଛାତ୍ରଛାତ୍ରୀଙ୍କ ପାଇଁ ସମ୍ଭବପର ନଥାଏ । ତେବେ ବର୍ତ୍ତମାନ ଜୋରକଣି, ପାଣ୍ଡିଆବିଲି, ଗଡ଼ବରପୁଟ, ବାରଦା, ତିଗିରିଆ, ବାଦଲପୁର, ବିରିକେଶରପୁର, ବେଅଣ୍ଟା ଆଦି ଗ୍ରାମବାସୀଙ୍କ ପାଇଁ ଏବେ ଯାତାୟାତ ଠପ୍ ହୋଇଯାଇଛି । ଫଳରେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଲୋକେ । ସେପଟେ ଛତିଶଗଡ଼ କଲମା ବ୍ୟାରେଜ ଖୋଲିବା ପରେ ହୀରାକୁଦର ଜଳସ୍ତର ବଢିଛି । ଯାହା ଫଳରେ ପର୍ଯ୍ୟାୟକ୍ରମେ ଖୋଲା ଯାଉଛି ହୀରାକୁଦର ଗେଟ୍ । ତେଣୁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ଖୋର୍ଦ୍ଧା

Last Updated :Jul 27, 2023, 4:28 PM IST

ABOUT THE AUTHOR

...view details