ETV Bharat / state

ଜିଲ୍ଲାର ବିଭିନ୍ନ ନଦୀରେ ବୃଦ୍ଧି ପାଉଛି ଜଳସ୍ତର, ଚିନ୍ତାରେ ନଦୀକୂଳିଆ ବାସିନ୍ଦା

author img

By

Published : Jul 26, 2023, 1:08 PM IST

ବୃଦ୍ଧି ପାଇବାରେ ଲାଗିଛି ମହାନଦୀ ସମେତ ବିଭିନ୍ନ ନଦୀର ଜଳସ୍ତର
ବୃଦ୍ଧି ପାଇବାରେ ଲାଗିଛି ମହାନଦୀ ସମେତ ବିଭିନ୍ନ ନଦୀର ଜଳସ୍ତର

ବୃଦ୍ଧି ପାଇବାରେ ଲାଗିଛି ମହାନଦୀ ସମେତ ବିଭିନ୍ନ ନଦୀର ଜଳସ୍ତର । ଉପର ମୁଣ୍ଡରେ ପ୍ରବଳ ବର୍ଷା ଓ ହୀରାକୁଦ ଡ୍ୟାମରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ଆରମ୍ଭ ହୋଇଥିବା ବେଳ ତଟ ସୁରକ୍ଷାକୁ ନେଇ ଚିନ୍ତାରେ ନଦୀକୂଳିଆ ଅଧିବାସୀ । ଅଧିକ ପଢ଼ନ୍ତୁ

ବୃଦ୍ଧି ପାଇବାରେ ଲାଗିଛି ମହାନଦୀ ସମେତ ବିଭିନ୍ନ ନଦୀର ଜଳସ୍ତର

ବୌଦ୍ଧ: ଜିଲ୍ଲାର ବିଭିନ୍ନ ନଦୀ ନାଳରେ ବନ୍ୟାଜଳ ପ୍ରବାହିତ ହେବା ଆରମ୍ଭ ହୋଇସାରିଛି । ଜିଲ୍ଲା ଦେଇ ପ୍ରବାହିତ ମହାନଦୀ ସମେତ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଉଥିବା ବେଳେ ନଦୀ କୂଳିଆ ଅଞ୍ଚଳର ଅଧିବାସୀ ତଟ ସୁରକ୍ଷା ବ୍ୟବସ୍ଥାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ତଥା ହୀରାକୁଦ ଡ୍ୟାମରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ପରେ ମହାନଦୀରେ ଜଳସ୍ତର ବୃଦ୍ଧି ପାଇଛି । ଜିଲ୍ଲାରେ ସୋମବାର ଠାରୁ ମହାନଦୀର ଦୁଇ କୂଳକୁ ଲାଗି ବନ୍ୟାଜଳ ପ୍ରବାହିତ ହେଉଛି ।

ଏହାଛଡା ତେଲନଦୀ, ବାଘନଦୀ, ସାଲୁଙ୍କୀ ଭଳି ନଦୀରେ ମଧ୍ୟ ବର୍ଷା ଯୋଗୁଁ ବନ୍ୟାଜଳ ପ୍ରବାହିତ ହୋଇ ମହାନଦୀରେ ପ୍ରବେଶ କରିଛି । ମହାନଦୀରେ ଜଳସ୍ତର ବୃଦ୍ଧି ପାଇବା ପରେ ବାଉଁଶୁଣୀର ଘିଙ୍ଗିରାପଡାଘାଟ, ତେନ୍ତୁଳି ପାଲିଘାଟ, କରଡ଼ି, ଖଣ୍ଡିଧଳପୁର, ରାମଗଡ଼, ସାକୁସିଙ୍ଗା ଘାଟରେ ବନ୍ୟା ଜଳସ୍ତର ବୃଦ୍ଧି ପାଇଛି । ପ୍ରତ୍ୟେକ ବର୍ଷ ମହାନଦୀର କୂଳରେ ଥିବା ଏହି ସ୍ଥାନରେ ଘାଇ ସୃଷ୍ଟି ହେଉଥିବା ବେଳେ ଆଜି ପର୍ଯ୍ୟନ୍ତ ଏହାର ସ୍ଥାୟୀ ସମାଧାନ ହୋଇ ପାରିନାହିଁ । ଫଳରେ ଆତଙ୍କିତ ଅବସ୍ଥାରେ 20ରୁ ଅଧିକ ପରିବାର ରହୁଥିବା ବେଳେ କୌଣସି ସମୟରେ ମଧ୍ୟ ଅଘଟଣର ଆଶଙ୍କା ରହିଥିବା ଅଞ୍ଚଳବାସୀ କହିଛନ୍ତି ।

କଣ୍ଟାମାଳ ବ୍ଲକର ବିଭିନ୍ନ ପଞ୍ଚାୟତ ତେଲନଦୀ କୂଳରେ ଥିବା ବେଳେ ଶତାଧିକ ଗ୍ରାମ ତେଲନଦୀ ତଟରେ ରହିଛି । କିନ୍ତୁ ତେଲନଦୀ ତଟ ଅଧିକାଂଶ ସ୍ଥାନରେ ମୁକୁଳା ପଡ଼ିଥିବା ବେଳେ ନଦୀତଟ ଅତ୍ୟନ୍ତ ଅସୁରକ୍ଷିତ ହୋଇପଡ଼ିଛି । ନଦୀତଟରେ ପଥର ପ୍ୟାକ ଅତ୍ୟନ୍ତ ଜରୁରୀ ହୋଇ ପଡ଼ିଛି ବୋଲି ଅଞ୍ଚଳବାସୀ କହିଛନ୍ତି । ସେପଟେ ଗତକାଲି(ସୋମବାର) ମହାନଦୀରେ ହଠାତ୍ ବନ୍ୟାଜଳ ସ୍ତର ବୃଦ୍ଧି ପାଇବାରୁ ହରଭଙ୍ଗା ବ୍ଲକ ସାକୁସିଙ୍ଗାଘାଟରେ ଶତାଧିକ ଗାଈଗୋରୁ ଅଳ୍ପକେ ବର୍ତ୍ତିଯାଇଥିବା ଦୃଶ୍ୟ ଦେଖିବାକୁ ମିଳିଛି ।

ଅଧିକ ପଢ଼ନ୍ତୁ: Hirakud Dam: ବନ୍ୟାଜଳ ଦେଖିବାକୁ ହୀରାକୁଦରେ ଲୋକଙ୍କ ଗହଳି

ତେବେ ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ହୀରାକୁଦ ଡ୍ୟାମର 12ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ କରାଯାଉଛି । ବର୍ତ୍ତମାନ ଜଳଭଭଣ୍ଡାରର ଜଳସ୍ତର 613.77 ଫୁଟ ରହିଛି l ଉପରମୁଣ୍ଡରୁ ଜଳ ଭଣ୍ଡାରକୁ ସେକେଣ୍ଡ ପ୍ରତି 1ଲକ୍ଷ 38 ହଜାର 861 କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ 12ଟି ଗେଟ, କେନାଲ ଓ ପାୱାର ଚେନେଲ ଦେଇ ସେକେଣ୍ଡ ପ୍ରତି ତଳମୁଣ୍ଡକୁ 2 ଲକ୍ଷ 19 ହଜାର 108 କ୍ୟୁସେକ ବନ୍ୟଜଳ ନିଷ୍କାସନ ହେଉଛି । ସୋମବାର ପୁଣି 3ଟି ଗେଟ ଖୋଲା ଯାଇଥିବା ବେଳେ ମଙ୍ଗଳବାର ପୁଣି 4ଟି ଗେଟ ଖୋଲାଯାଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.