ETV Bharat / state

ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ: 102 କମ୍ପାନୀ CAPF ନିୟୋଜିତ, ଜବତ ହେଲାଣି 254 କୋଟିର ସାମଗ୍ରୀ - Second Phase Election

author img

By ETV Bharat Odisha Team

Published : May 18, 2024, 4:25 PM IST

Odisha Second Phase Election: ଦୁଇ ଦିନ ପରେ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ । କିପରି ରହିଛି ଚୂଡାନ୍ତ ପ୍ରସ୍ତୁତି, ଜାଣନ୍ତୁ ।

Second Phase Election
Second Phase Election (ETV Bharat Odisha)

Second Phase Election (ETV Bharat Odisha)

ଭୁବନେଶ୍ବର: ଆସନ୍ତା 20 ତାରିଖରେ ଅନୁଷ୍ଠିତ ହେବ ଦେଶର ପଞ୍ଚମ ତଥା ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟର ମତଦାନ । ଦ୍ଵିତୀୟ ପର୍ଯ୍ୟାୟରେ ବରଗଡ଼, ସୁନ୍ଦରଗଡ, ବଲାଙ୍ଗୀର, କନ୍ଧମାଳ ଓ ଆସ୍କା ଲୋକସଭା କ୍ଷେତ୍ରରେ ହେବ ମତଦାନ । ଏହି 5 ସଂସଦୀୟ କ୍ଷେତ୍ର ଅନ୍ତର୍ଗତ 35 ବିଧାନସଭା କ୍ଷେତ୍ରର ମତଦାତା ମତାଧିକାର ସାବ୍ୟସ୍ତ କରିବେ । ଶୃଙ୍ଖଳିତ ଭାବେ ନିର୍ବାଚନ ପରିଚାଳନା ପାଇଁ 102 କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ବା ସିଏପିଏଫ ନିୟୋଜିତ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ।

Second Phase Election
Second Phase Election (ETV Bharat Odisha)

ସେ କହିଛନ୍ତି, "ଆସନ୍ତା ସୋମବାର ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । 5ଟି ସଂସଦୀୟ କ୍ଷେତ୍ରର 35ଟି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ହେବ । ଏହି 5 ସଂସଦୀୟ କ୍ଷେତ୍ର ହେଉଛି ବରଗଡ଼, ସୁନ୍ଦରଗଡ, ବଲାଙ୍ଗୀର, କନ୍ଧମାଳ ଓ ଆସ୍କା । 5 ଲୋକସଭା କ୍ଷେତ୍ରରେ ମୋଟ ଭୋଟରଙ୍କ ସଂଖ୍ୟା 79 ଲକ୍ଷ 69 ହଜାର 8 ଶହ 37 ଜଣ । ମହିଳା ଭୋଟରଙ୍କ ସଂଖ୍ୟା 39 ଲକ୍ଷ 45 ହଜାର । ପୁରୁଷ ଭୋଟର 40 ଲକ୍ଷ 33 ହଜାର 992 । ତୃତୀୟ ଲିଙ୍ଗୀ ଭୋଟର 851, ଯୁବ ଭୋଟର (18ରୁ 19 ବର୍ଷ) ହେଉଛନ୍ତି 2.67 ପ୍ରତିଶତ । ସେହିପରି 20ରୁ 29 ବର୍ଷ ହେଉଛନ୍ତି 21.31 ପ୍ରତିଶତ । 30 ବର୍ଷରୁ କମ ଭୋଟରଙ୍କ ସଂଖ୍ୟା ହେଉଛି ମୋଟ ଭୋଟର ସଂଖ୍ୟାର ପ୍ରାୟ 24 ପ୍ରତିଶତ ।"



ସୂଚନା ଅନୁସାରେ, 5 ଲୋକସଭା କ୍ଷେତ୍ରରେ ଲିଙ୍ଗ ଅନୁପାତ ହାରାହାରି ହେଉଛି 974 । ଲିଙ୍ଗ ଅନୁପାତ ସୁନ୍ଦରଗଡ଼ ଲୋକସଭା କ୍ଷେତ୍ରରେ ସବୁଠାରୁ ଭଲ । ଯାହା 1 ହଜାର 26 ଅଟେ । ସେହିପରି କନ୍ଧମାଳରେ 994, ବରଗଡ଼ରେ 988, ବଲାଙ୍ଗୀରରେ 962 ଓ ଆସ୍କା 917 । ବଲାଙ୍ଗୀର ଓ ଆସ୍କାରେ ରାଜ୍ୟ ହାରାହାରି ଅନୁପାତରୁ କମ ରହିଛି । 5 ଲୋକସଭା କ୍ଷେତ୍ରରେ 9ହଜାର 162 ମତଦାନ କେନ୍ଦ୍ରରେ ମତାଧିକାର ସାବ୍ୟସ୍ତ କରିବେ । ମତଦାନ କେନ୍ଦ୍ର ପିଛା ହାରାହାରି ଭୋଟର ହେଉଛନ୍ତି 870 । 1ହଜାର 41 ମତଦାନ କେନ୍ଦ୍ର ସମ୍ପୂର୍ଣ୍ଣ ଭାବେ ମହିଳା ପୋଲିଂ ଅଧିକାରୀଙ୍କ ଦ୍ଵାରା ପରିଚାଳିତ ହେବ । ଭିନ୍ନକ୍ଷମ ପୋଲିଂ ଅଧିକାରୀଙ୍କ ଦ୍ଵାରା 25ଟି ମତଦାନ କେନ୍ଦ୍ର ବ୍ୟବସ୍ଥା ହୋଇଛି । 1ହଜାର 541ଟି ମଡେଲ ପୋଲିଂ ଷ୍ଟେସନ ସ୍ଥାପନ ହୋଇଛି । 5 ଲୋକସଭା କ୍ଷେତ୍ରରେ 20 ପ୍ରତିଶତ ସମ୍ବେଦନଶୀଳ ବୁଥ ରହିଛି । ସେଥିରେ ମାଓ ପ୍ରବଣ ଅଞ୍ଚଳର ବୁଥ ସାମିଲ ରହିଛି । ଏଠାରେ 102 କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ବା ସିଏପିଏଫ ନିୟୋଜିତ ହୋଇଛନ୍ତି । ସବୁଠାରୁ ଅଧିକ କନ୍ଧମାଳ 22 ସିଏପିଏଫ ନିୟୋଜିତ ହୋଇଛନ୍ତି । ଗଞ୍ଜାମରେ 20, ସୁନ୍ଦରଗଡରେ 16, ବଲାଙ୍ଗୀର ଓ ବରଗଡ଼ରେ 14 କମ୍ପାନୀ, ବୌଦ୍ଧ ଓ ଝାରସୁଗୁଡାରେ 5 କମ୍ପାନୀ, ସୁବର୍ଣ୍ଣପୁର 4 କମ୍ପାନୀ ଓ ନୟାଗଡ଼ରେ 2 କମ୍ପାନୀ ନିୟୋଜିତ ହେବେ । ସେହିପରି 60 ପ୍ରତିଶତ ବୁଥରେ ହେବ ଲାଇଭ ଷ୍ଟ୍ରିମିଂ ।



ମାଓ ପ୍ରବଣ ଅଞ୍ଚଳ ଥିବାରୁ କିଛି ସ୍ଥାନରେ ଆଗୁଆ ମତଦାନ ଶେଷ ହେବ । 71 ପ୍ରତିଶତ ମତଦାନ କେନ୍ଦ୍ରରେ 6 ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ । ମୋଟ ବୁଥ 9162 ବୁଥରୁ 6540 ବୁଥରେ 6 ଟା ଯାଏଁ ମତଦାନ ହେବ । 933 ପୋଲିଂ ବୁଥରେ 5 ଟାରେ ମତଦାନ ସରିବ । 1689 ମତଦାନ କେନ୍ଦ୍ରରେ 4 ଟା ରେ ମତଦାନ ସରିବ । ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବ୍ୟବସ୍ଥା ହୋଇଥିବ ଏୟାର ଆମ୍ବୁଲାନ୍ସ ବଲାଙ୍ଗୀରକୁ ସ୍ଥାନାନ୍ତରିତ ହୋଇଛି । ପୋଲିଂ କିମ୍ବା ପୋଲିସ ଅଧିକାରୀଙ୍କର ଆବଶ୍ୟକତା ପଡ଼େ ବ୍ୟବହାର କରାଯିବ । ସେହିପରି ହେଲି ଡ୍ରାପିଂ ପାଇଁ ଗୋଟିଏ ହେଲିକପ୍ଟର ଷ୍ଟାଣ୍ଡବାଇରେ ରହିଛି । ଚଳିତ ପର୍ଯ୍ୟାୟରେ ଆବଶ୍ୟକତା ନାହିଁ । ଯଦି କୌଣସି କାରଣରୁ ଏୟାର ଡ୍ରପ୍ କିମ୍ବା ସ୍ଥାନାନ୍ତରଣ ଆବଶ୍ୟକତା ଥିଲେ ବ୍ୟବହାର କରାଯିବ । ଗତ ପର୍ଯ୍ୟାୟରେ ନୂଆପଡ଼ାରେ ହେଲି ଡ୍ରାପିଂ କରାଯାଇଥିଲା ।



5 ସଂସଦୀୟ କ୍ଷେତ୍ରରେ 40 ଜଣ ପ୍ରାର୍ଥୀ ରହିଛନ୍ତି । 35 ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ 265 ଜଣ ପ୍ରାର୍ଥୀ ରହିଛନ୍ତି । ସେଥିରୁ 224 ଜଣ ପୁରୁଷ ପ୍ରାର୍ଥୀ ଓ 41 ଜଣ ମହିଳା ପ୍ରାର୍ଥୀ ରହିଛନ୍ତି । ନିର୍ବାଚନ ଆୟୋଗ 3 ପ୍ରକାର ପର୍ଯ୍ୟବେକ୍ଷକ ନିୟୋଜିତ କରିଛନ୍ତି । 10 ସାଧାରଣ ପର୍ଯ୍ୟବେକ୍ଷକ, 15 ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକ ନିୟୋଜିତ ଅଛନ୍ତି । ପ୍ରତ୍ୟେକ ଲୋକସଭା କ୍ଷେତ୍ର ପାଇଁ 2 ଜଣ ସାଧାରଣ ଓ 3 ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକ ନିୟୋଜିତ । ଜଣେ ପୋଲିସ ପର୍ଯ୍ୟବେକ୍ଷକ ଆସ୍କା, ଜଣେ କନ୍ଧମାଳ ଓ ବଲାଙ୍ଗୀର, ଆଉ ଜଣେ ବରଗଡ଼ ଓ ସୁନ୍ଦରଗଡ଼ ଲୋକସଭା କ୍ଷେତ୍ର ପାଇଁ ନିୟୋଜିତ ହୋଇଛନ୍ତି ।

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀରେ ପ୍ରାକ ନିର୍ବାଚନୀ ହିଂସା ସୃଷ୍ଟି ହୋଇଥିଲା । ହିଂସା ଘଟଣାରେ ମାମଲା ପଞ୍ଜିକରଣ ସହ 7ରୁ ଅଧିକ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ଲାଗି ଚଢ଼ାଉ ଜାରି ରହିଛି । ଘଟଣାକୁ ଜାତୀୟ ନିର୍ବାଚନ ଆୟୋଗ ଗୁରୁତର ସହ ନେଇଛନ୍ତି । ଓଡିଶା ପୋଲିସ ଡ଼ିଜିଙ୍କୁ ସେ ରିପୋର୍ଟ ତଲବ କରିଥିଲେ । ଗତକାଲି (ଶୁକ୍ରବାର) ଡିଜିପି ରିପୋର୍ଟ ଦାଖଲ କରିସାରିଛନ୍ତି । ଅତିରିକ୍ତ ଡିଜି ପାହ୍ୟାର ଜଣେ ଅଫିସରଙ୍କୁ ନିଯୁକ୍ତି କରାଯାଇଛି । ସେ ଗଞ୍ଜାମ ଜିଲ୍ଲା ବିଶେଷ କରି ଖଲ୍ଲିକୋଟ ଉପରେ ନଜର ରଖିବେ । ଆସ୍କାରେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ଆୟୋଜନ ହେବ ବୋଲି ଆଶା ରହିଛି । ଅବକାରୀ କମିଶନଙ୍କ ସହ ଆଲୋଚନା ହୋଇଛି । ଆସ୍କାରେ ଅବକାରୀ ସମ୍ପର୍କିତ ଗୁଳିକାଣ୍ଡ ମଧ୍ୟ ହୋଇଥିଲା । ଏହା ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।



ଏହା ବି ପଢନ୍ତୁ...ନିର୍ବାଚନ ପୂର୍ବରୁ ନୟାଗଡ଼ରେ ପୋଲିସର ଫ୍ଲାଗମାର୍ଚ୍ଚ - Police Flag March

ମିଳିଥିବା ସୂଚନା ଅନୁସାରେ, ସାଧାରଣ ନିର୍ବାଚନ ଲାଗି ଆଦର୍ଶ ଆଚରଣ ବିଧି ଲାଗୁ ହେବାଠାରୁ ରାଜ୍ୟରେ ମୋଟ 254 କୋଟି ଟଙ୍କାର ସାମଗ୍ରୀ ଜବତ ହୋଇଛି । ନଗଦ ଟଙ୍କା 17 କୋଟି 18 ଲକ୍ଷ, 31 ଲକ୍ଷ ଲିଟର ମଦ, 73 କୋଟି ଟଙ୍କାର ଡ୍ରଗ୍ସ ଓ 14 କୋଟିର ସୁନାଗହଣା ଜବତ ହୋଇଛି । ସବୁଠାରୁ ଅଧିକ ବରଗଡ଼ରେ 1 କୋଟି 26 ଲକ୍ଷ ନଗଦ ଟଙ୍କା ଏବଂ 80 ଲକ୍ଷ ଟଙ୍କାର ମଦ ଜବତ ହୋଇଛି । କନ୍ଧମାଳରେ 36 ଲକ୍ଷ । ଆସ୍କା 13 ଲକ୍ଷ ଟଙ୍କା ଜବତ ହୋଇଛି । 2019 ନିର୍ବାଚନରେ ପୋଷ୍ଟାଲ ବାଲାଟକୁ ଛାଡି ଦେଲେ ଏହି 5 ସଂସଦୀୟ କ୍ଷେତ୍ରରୁ ବରଗଡ଼ 77.87 ପ୍ରତିଶତ, ସୁନ୍ଦରଗଡ଼ରେ 71.67 ପ୍ରତିଶତ, ବଲାଙ୍ଗୀରରେ 74.75 ପ୍ରତିଶତ, କନ୍ଧମାଳରେ 72.90 ପ୍ରତିଶତ, ଆସ୍କାରେ 65.53 ପ୍ରତିଶତ ମତଦାନ ହୋଇଥିଲା । ଏହାକୁ ବଢ଼ାଇବା ଲାଗି ଉଦ୍ୟମ ରହିଛି । ରାଜ୍ୟରେ ହିଟ ୱେଭର ସ୍ଥିତି ରହିଛି । ସୁନ୍ଦରଗଡ଼ ଓ ଝାରସୁଗୁଡାରେ ତାପମାତ୍ରା କ୍ରମାଗତ ଭାବେ ବଢିବ । ସେଥିପାଇଁ ପର୍ଯ୍ୟାପ୍ତ ପରିମାଣର ବାଲଟ ୟୁନିଟ, କଣ୍ଟ୍ରୋଲ ୟୁନିଟ, ଭିଭିପାଟ କମିଶନ ହୋଇ ମହଜୁଦ ରହିଛି ।
ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.