ETV Bharat / state

ନାହିଁ ନାହିଁର ଗାଁ ପଦୁଗୁଡା: ବିକାଶ ରାସ୍ତା ପାଉନି, ପୁଅଙ୍କୁ ପତ୍ନୀ ମିଳୁନି - Lack Of Development In Podagada

author img

By ETV Bharat Odisha Team

Published : May 23, 2024, 5:02 PM IST

Podagada Deprived Of Basic Amenities: ବିକାଶର ଡିଣ୍ଡିମ ପିଟୁଛନ୍ତି ରାଜ୍ୟ ସରକାର । ଆଜି ବି ଏମିତି ଗାଁ ଅଛି ବିକାଶ ଯେଉଁଠି ପାହାଡ ପାର୍‌ କରି ଗାଁକୁ ପହଞ୍ଚି ପାରୁନି । ଏମିତି କି ଗାଁକୁ ଝିଅକୁ ବାହା ଦେବାକୁ ଅମଙ୍ଗ ହେଉଛନ୍ତି ଲୋକେ । କେଉଁଠି ଅଛି ଏମିତି ଗାଁ । ପଢନ୍ତୁ ‘ପୁଅଙ୍କୁ ମିଳୁନି ପତ୍ନୀ’

Podagada Deprived Of Basic Amenities
Podagada Deprived Of Basic Amenities (ETV Bharat Odisha)

Podagada Deprived Of Basic Amenities (ETV Bharat Odisha)

କୋରାପୁଟ: ଗାଁକୁ ନାହିଁ ପକ୍କା ରାସ୍ତା, ନା ମିଳୁଛି ବିଶୁଦ୍ଧ ପାନୀୟ ଜଳ । ଏଥିପାଇଁ ଏହି ଗାଁର ପୁଅଙ୍କୁ ଝିଅ ଦେବାକୁ ଅମଙ୍ଗ ବାପା ମାଆ । ହଁ ଆଜ୍ଞା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପଦୁଗୁଡ଼ା ଗ୍ରାମରେ ମୌଳିକ ସୁବିଧା ନଥିବାରୁ ଏଠାକାର ପୁଅଙ୍କୁ ଝିଅ ମିଳୁ ନଥିବା ଅଭିଯୋଗ କରିଛନ୍ତି ଏଠାକାର ଗ୍ରାମବାସୀ । ଅନ୍ୟ ସମୟରେ ଲୋକ ବହୁତ କଷ୍ଟରେ ଯାଆ ଆସ କରୁଥିବା ବେଳେ ବର୍ଷା ଦିନ ଏକ ପ୍ରକାର ବନ୍ଦୀ ହୋଇଯାନ୍ତି ପଦୁଗୁଡ଼ା ଗ୍ରାମବାସୀ । ଗାଁରେ ଅସୁସ୍ଥ କିମ୍ବା ଗର୍ଭବତୀ ମହିଳାଙ୍କୁ ପାଞ୍ଚ କିଲୋମିଟର ଖଟିଆରେ ବୋହିବାକୁ ପଡ଼ିଥାଏ । ତେବେ ଗାଁକୁ ପକ୍କା ରାସ୍ତା ନଥିବାରୁ ଗାଁର ସର୍ବାଙ୍ଗୀନ ଉନ୍ନତି ହୋଇପାରୁ ନଥିବା ଏଠାକାର ଲୋକେ ଅଭିଯୋଗ କରିଛନ୍ତି ।

ଅନେକ ବର୍ଷ ପୂର୍ବେ ଯାଯାବର ଭାବେ ଘୁରି ବୁଲୁଥିବା ପୂର୍ବଜ ଏହି ଗାଁର ତଳ ଭାଗରେ ଏକ ଜଳଧାରାକୁ ଦେଖି ଗାଈ ଗୋରୁଙ୍କ ସହିତ ଏଠାରେ ବସବାସ ଆରମ୍ଭ କରିଥିଲେ । ତେବେ ସେବେଠାରୁ ଆଜି ପର୍ଯ୍ୟନ୍ତ ଗାଁରେ ରାସ୍ତାଘାଟ କିମ୍ବା ପାନୀୟ ଜଳ ତଥା ଅନ୍ୟାନ୍ୟ ସୁବିଧାର ବ୍ୟବସ୍ଥା ହୋଇ ପାରୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଏନଆରଜିଏସରେ ଲୁଲା ଠାରୁ ଗାଁକୁ ପାହାଡ଼ କାଟି ରାସ୍ତା ନିର୍ମାଣ କରିବା ଆରମ୍ଭ କରାଯାଇଥିଲା । ହେଲେ ତାହା ଅଧାପନ୍ତରିଆ ହୋଇ ପଡ଼ିରହିଛି । ଯାହା ପାଇଁ ପାହାଡରେ ଖୋଳା ଯାଇଥିବା ଅଂଶ ବର୍ଷା ଜଳରେ ଧୋଇ ହୋଇଯାଇ କାଦୁଅ ହୋଇଯାଉଥିବା ବେଳେ ସାଇକେଲ ଟିଏ ମଧ୍ୟ ନେବା ଆଣିବା କଷ୍ଟକର ହୋଇପଡିଛି ।

ବର୍ଷର ଅନ୍ୟ ସମୟରେ ପଦୁଗୁଡା ସମେତ ଆଉ ଦୁଇଟି ଗ୍ରାମର ଲୋକେ ଚାଲି ଚାଲି ଯିବା ଆସିବା କରୁଥିବା ବେଳେ ବର୍ଷାଦିନେ ଗାଁକୁ ଯିବା ପାଇଁ କଷ୍ଟକର ହୋଇଯାଏ । ଗାଁରେ କାହାର ଦେହ ଖରାପ ହେଲେ ବା ଗର୍ଭବତୀ ମହିଳାଙ୍କ ପ୍ରସବ ବେଦନା ଆସିଲେ ତାଙ୍କୁ ଦୀର୍ଘ ପାଞ୍ଚ କିଲୋମିଟର ଖଟିଆରେ ବୋହି ନେବାକୁ ପଡୁଥିବା ବେଳେ ବର୍ଷାଦିନେ ରାସ୍ତାରେ ଗୋଡ଼ ଖସୁଥିବା ଯୋଗୁଁ ତାହାବି ସମ୍ଭବ ହୋଇପାରୁ ନଥିବା ଗ୍ରସମବାସୀ ଅଭିଯୋଗ କରିଛନ୍ତି । ରାସ୍ତା ଖରାପ ଯୋଗୁ ଆବଶ୍ୟକ ଜିନିଷ ତଳମୁଣ୍ଡରେ ଥିବା ଲୁଲା ଗ୍ରାମରୁ ଆଣିବା ବ୍ୟୟସାପେକ୍ଷ ହେଉଛି । କେବଳ ରାସ୍ତା ସମସ୍ୟାରେ ଶେଷ ହୋଇଯାଉନି ତାଙ୍କ ଦୁଃଖ । ଲୋକଙ୍କ ପାଖରେ ନା ଅଛି ପକ୍କା ଘର ନା ମିଳୁଛି ବିଶୁଦ୍ଧ ପାନୀୟ ଜଳ।

ଏହା ମଧ୍ୟ ପଢ଼ନ୍ତୁ.. ନିବେଦନ ପରେ ମଧ୍ୟ ହୋଇପାରିଲାନି ସମାଧାନ, ଭୋଟ ବର୍ଜନ କଲେ ଗ୍ରାମବାସୀ - VILLAGERS BOYCOTT POLLS

ଗ୍ରାମରେ ଥିବା 2ଟି ନଳକୂପରୁ ଆଇରନ ଯୁକ୍ତ ପାଣି ବାହାରୁଥିବା ଯୋଗୁଁ ତାହା ବ୍ୟବହାର ଉପଯୁକ୍ତ ହେଉନାହିଁ l ଯାହା ଫଳରେ ଗ୍ରାମବାସୀ ଚୁଆରୁ ପାଣି ସଂଗ୍ରହ କରି ବ୍ୟବହାର କରୁଥିବା ପ୍ରକାଶ କରିଛନ୍ତି l ନିର୍ବାଚନର କିଛିଦିନ ପୂର୍ବରୁ ଗାଁରେ ପାନୀୟ ଜଳଯୋଗାଣ ପାଇଁ ପାଇପ ବିଛା ଯାଇଛି । ତେବେ ଦଶମନ୍ତପୁରରେ କାର୍ଯ୍ୟକ୍ଷମ ହେବାକୁ ଥିବା ମେଗା ଜଳଯୋଗାଣ ପ୍ରକଳ୍ପର ଅଂଶବିଶେଷ ହୋଇଥିବା ଯୋଗୁଁ ତାହା କାର୍ଯ୍ୟକ୍ଷମ ହେବାକୁ ଆହୁରି ତିନିବର୍ଷ ଲାଗିଯିବ ବୋଲି ଗ୍ରାମବାସୀ ଆଶଙ୍କା ବ୍ୟକ୍ତ କରିଛନ୍ତି । ସେତେଦିନ ପର୍ଯ୍ୟନ୍ତ ଗ୍ରାମବାସୀଙ୍କ ଜଳ ସମସ୍ୟା ଦୂର କରିବା ପାଇଁ ପ୍ରଶାସନ ତରଫରୁ କିଛି ପଦକ୍ଷେପ ନିଆଯାଉନଥିବା ସେମାନେ ଅଭିଯୋଗ କରିଛନ୍ତି ।

ଗ୍ରାମବାସୀଙ୍କ ଦ୍ବାରା ବାରମ୍ବାର ଦାବି କରାଯିବା ପରେ ମଧ୍ୟ ପ୍ରଶାସନିକ ଅଧିକାରୀ ତଥା ରାଜନୈତିକ ନେତୃବୃନ୍ଦ କେହି ଏହାପ୍ରତି ଧ୍ୟାନ ଦେଇ ନଥିବା ସେମାନେ ଅଭିଯୋଗ କରିଛନ୍ତି । ତେବେ ପଦୁଗୁଡ଼ା ଗସ୍ତରେ ଆସି ସମସ୍ୟାର ସମାଧାନ ହେବ ବୋଲି ପ୍ରତିଶୃତି ଦେଇଥିଲେ ପ୍ରଶାସନିକ ଅଧିକାରୀ । ହେଲେ ତାଙ୍କ ପ୍ରତିଶୃତି ପାଣିର ଗାର ହୋଇ ରହିଯାଇଛି । ସରକାର ଓ ରାଜନୈତିକ ନେତୃବୃନ୍ଦଙ୍କ ଏପରି ଅଣଦେଖାକୁ ବିରୋଧ କରି ଚଳିତ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଅନେକ ଦିନ ପୂର୍ବରୁ ଚେତାବନୀ ଦେଇଥିଲେ । ହେଲେ ତାଙ୍କ ସମସ୍ୟାର କୌଣସି ସମାଧାନ ନହେବାରୁ ସେମାନେ ଚଳିତ ନିର୍ବାଚନରେ ଭୋଟ ବର୍ଜନ କରିଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.