ETV Bharat / state

ନିବେଦନ ପରେ ମଧ୍ୟ ହୋଇପାରିଲାନି ସମାଧାନ, ଭୋଟ ବର୍ଜନ କଲେ ଗ୍ରାମବାସୀ - VILLAGERS BOYCOTT POLLS

author img

By ETV Bharat Odisha Team

Published : May 21, 2024, 3:38 PM IST

Villagers Boycott Polls: ଗ୍ରାମରେ ନାନାଦି ସମସ୍ୟା ରହିଥିବା ବେଳେ ନିବେଦନ ପରେ ମଧ୍ୟ ହୋଇପାରୁନି ସମସ୍ୟାର ସମାଧାନ । ବାଧ୍ୟ ହୋଇ ଭୋଟ ବର୍ଜନ କଲେ ଗ୍ରାମବାସୀ । ଅଧିକ ପଢନ୍ତୁ

Villagers Boycott Vote
Villagers Boycott Vote (ETV Bharat Odisha)

ଭୋଟ ବର୍ଜନ କଲେ ଗ୍ରାମବାସୀ (ETV Bharat Odisha)

ବଲାଙ୍ଗୀର: ଜିଲ୍ଲାରେ କମିଲା ମତଦାନ ହାର । ଚାରୋଟି ଗ୍ରାମବାସୀଙ୍କ ଭୋଟ ବର୍ଜନ ସହ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଆସିଲେନି ଭୋଟର । ଗ୍ରାମ ପାଖରେ ବୁଥ୍ ନହେବା କାରଣରୁ ଅନ୍ୟ ଗାଁକୁ ଯାଇ ଭୋଟ ଦେବାକୁ ଅନିଚ୍ଛା ପ୍ରକାଶ କରିବା ସହିତ ଅନେକ ସମସ୍ୟା ରହିଥିବା କାରଣରୁ ଭୋଟ ବର୍ଜନ କରିଛନ୍ତି 4 ଗ୍ରାମବାସୀ ।

ବଲାଙ୍ଗୀରରେ ଗଣତନ୍ତ୍ରର ମହାନ୍ ପର୍ବ ନିର୍ବାଚନରେ ସାମିଲ ହେବାକୁ ଅନେକ ସଚେତନତା କରାଯାଇଥିଲା। ହେଲେ ଭୋଟ ଦିନ ପାଖାପାଖି 32 ପ୍ରତିଶତ ଭୋଟରଙ୍କ ଦେଖା ମିଳି ନଥିଲା। ତେବେ ଏହାର କିଛି କାରଣ ମଧ୍ୟରୁ ଗ୍ରାମବାସୀଙ୍କ ଭୋଟ ବର୍ଜନ ପ୍ରମୁଖ କାରଣ ରହିଥିଲା । ବଲାଙ୍ଗୀରରେ ସୋମବାର ଭୋଟ ଗ୍ରହଣ ଜାରି ରହିଥିବା ବେଳେ ଜିଲ୍ଲାର ପାଟଣାଗଡ଼ ବ୍ଲକର ଗୋଟିଏ ଗ୍ରାମ ସେମେଲ ମୁଣ୍ଡା, ଲୋଇସିଂହା ବ୍ଲକର ଦୁଇଟି ଗ୍ରାମ ହୀରାପୁର ଓ କଣ୍ଠି ପାଲି ଓ ସଇଁତଳା ବ୍ଲକର ଗୋଟିଏ ଗ୍ରାମ ବାଘ୍ ଜୋର୍ ଗ୍ରାମ ବାସି ଭୋଟ ବର୍ଜନ କରିଥିଲେ । ପାଖାପାଖି 15 ଶହରୁ ଉର୍ଦ୍ଧ୍ବ ଭୋଟର ଭୋଟ ଦେବାକୁ ଆସି ନଥିଲେ। ତେବେ ଲୋଇସିଂହା ନିର୍ବାଚନ ମଣ୍ଡଳୀର କଣ୍ଠୀପାଲି ଗ୍ରାମର ଲୋକେ ତାଙ୍କ ଗ୍ରାମରେ ବୁଥ ନ ଥିବା ବେଳେ ପାଞ୍ଚ କିମି ଦୂରରେ ଥିବା ବୁଥକୁ ଯାଇ ଭୋଟ ଦେବାକୁ ବିରୋଧ କରିଥିଲେ। ଏହାସହ ଗାଁରେ ଧାରଣା ଦେବା ସହ ଭୋଟ ବର୍ଜନ କରିଥିଲେ।

ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, "ସବୁ ନିର୍ବାଚନରେ ନିଜ ଗ୍ରାମରେ ପୋଲିଂ ବୁଥ ନହୋଇ ପାଞ୍ଚ କିମି ଦୂରରେ ଥିବା ବାଇଗଣ ଖରି ଗ୍ରାମରେ ବୁଥ ହୋଇଥାଏ । ତେବେ ଗ୍ରାମବାସୀ ଛୁଆ ପିଲା ଧରି ଟାଣ ଖରାରେ ଭୋଟ ଦେଇ ଯାଇ ପାରିବୁ ନାହିଁ । ଆମେ ପୂର୍ବରୁ ଗ୍ରାମରେ ବୁଥ୍ ପାଇଁ ଦାବି କରି ଆସୁଥିଲେ ସୁଦ୍ଧା ଏଯାଏଁ କେହି ଦାବି ଶୁଣୁ ନାହାନ୍ତି । ତେଣୁ ଆନେ ଭୋଟ ବର୍ଜନ କରିଛୁ ।"

ଏହା ମଧ୍ୟ ପଢନ୍ତୁ: ବଲାଙ୍ଗୀରରେ ମତଦାନ ଜାରି, ନେତା ବାଛୁଛନ୍ତି ଜନତା - Odisha election 2024

ସେହିପରି ଲୋଇସିଂହା ନିର୍ବାଚନ ମଣ୍ଡଳୀର ଆଉ ଏକ ଗାଁ ହୀରାପୁର ବାସି ମଧ୍ୟ ଭୋଟ ବର୍ଜନ କରିଥିଲେ । ତେବେ ତାଙ୍କର ଦାବି ଥିଲା ଯେ, ତାଙ୍କ ବ୍ଲକରେ ଲୋୟର ସୁକତେଲ ପ୍ରକଳ୍ପ ନିର୍ମାଣ ହୋଇଛି । ହେଲେ ସେମାନେ ପାଣି ପାଇବେ ନାହିଁ । ତେଣୁ ତାଙ୍କ ଗାଁକୁ ଏହି ପ୍ରକଳ୍ପର ପାଣି ଯୋଗାଇବା ସହ ମୁଖ୍ୟ ରାସ୍ତାରେ ଥିବା ରେଳ ଲାଇନରେ ଓଭର ବ୍ରିଜ ଦାବି ଏମାନେ କରି ଆସୁଛନ୍ତି । ହେଲେ କେହି ଏହାକୁ ନ ଶୁଣିବାରୁ ଗ୍ରାମବାସୀ ଭୋଟ ବର୍ଜନ କରୁଥିଲେ । ସେହିପରି ପାଟଣାଗଡ଼ର ଶେମେଲ ମୁଣ୍ଡା ଗ୍ରାମବାସୀ ଓ ସଇଁତଳା ବ୍ଲକର ବାଗଯୋର୍ ଗ୍ରାମବାସୀ ମଧ୍ୟ ଗାଆଁର ରାସ୍ତା ସମସ୍ୟା, ପିଇବା ପାଣି ସମସ୍ୟା ଓ ଅନ୍ୟାନ୍ୟ ସମସ୍ୟା ନେଇ ବର୍ମାବାର ପ୍ରଶାସନ ଓ ସରକାରଙ୍କ ଦ୍ୱାରସ୍ଥ ହୋଇ ମଧ୍ୟ ସୁଫଳ ନ ପାଇବାରୁ ଶେଷରେ ଭୋଟ ବର୍ଜନ ନିଷ୍ପତ୍ତି ନେଇଥିଲେ। ପାଖା ପାଖି 15ଶହ ଭୋଟର ଏହି ପରି ଭୋଟ ବର୍ଜନ କରିଥିଲେ।

ସେହିପରି ଦାଦନ ପ୍ରବଣ ବଲାଙ୍ଗୀର ଜିଲ୍ଲାର ବେଲପଡ଼ା, ପାଟଣାଗଡ଼, ଟିଟିଲାଗଡ, ମୂରିବାହାଲ, କଣ୍ଟାବାଞ୍ଜି ଅଞ୍ଚଳର ହଜାର ହଜାର ଭୋଟର ଦାଦନ ଯାଇ ଫେରି ନାହାନ୍ତି । ସେମାନଙ୍କ ଅନୁପସ୍ଥିତି ମଧ୍ୟ ଏଥର ଦେଖିବାକୁ ମିଳିଛି । ତେବେ ଏହି ସବୁ କାରଣ ଯୋଗୁଁ ଏଥର ବଲାଙ୍ଗୀର ଜିଲ୍ଲାରେ ମତଦାନ ହାର କମିଛି ବୋଲି କୁହାଯାଇଛି। ଯେଉଁଥିରେ ମତଦାନ ହାର ଭୋଟ ଶେଷ ସୁଦ୍ଧା 68.46 ପ୍ରତିଶତ ରହିଛି । ସେହିପରି ଲୋଇସିଂହା ନିର୍ବାଚନ ମଣ୍ଡଳୀ ଛାଡ଼ି ଦେଲେ ଅନ୍ୟ ଚାରୋଟି ନିର୍ବାଚନ ମଣ୍ଡଳୀରେ ମତଦାନ ହାର 70 ପ୍ରତିଶତ ମଧ୍ୟ ଛୁଇଁ ପାରି ନାହିଁ ଯାହା ଆଜିର ଶିକ୍ଷିତ ସମାଜ ପାଇଁ ଏକ ଚିନ୍ତାର ବିଷୟ ଅଟେ।

ଇଟଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.