ଓଡିଶା

odisha

Odisha Assembly: ରାଜ୍ୟର ୧୩ ହଜାର ପଡା ଗାଁରେ ବିଜୁଳି ଅପହଞ୍ଚ

By

Published : Dec 3, 2022, 7:43 AM IST

ରାଜ୍ୟର ପ୍ରାୟ ୧୩ ହଜାର ପଡା ଗାଁରେ ଏବେ ବି ବିଜୁଳି ଅପହଞ୍ଚ । ଗୃହରେ ଉତ୍ତର ରଖିଲେ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ । ଅଧିକ ପଢନ୍ତୁ

Odisha Assembly: ରାଜ୍ୟର ୧୩ ହଜାର ପଡା ଗାଁରେ ବିଜୁଳି ଅପହଞ୍ଚ
Odisha Assembly: ରାଜ୍ୟର ୧୩ ହଜାର ପଡା ଗାଁରେ ବିଜୁଳି ଅପହଞ୍ଚ

ଭୁବନେଶ୍ବର: କଥାରେ ଅଛି ଦୀପ ତଳ ଅନ୍ଧାର । ରାଜ୍ୟରେ ବିଦ୍ୟୁତ ଯୋଗାଣ କ୍ଷେତ୍ରରେ ଏହି ଲୋକକଥା ପ୍ରଯୁଜ୍ୟ । କାରଣ ଶକ୍ତି କ୍ଷେତ୍ରରେ ଓଡ଼ିଶା ବଳକା ରାଜ୍ୟ ବୋଲି ସରକାର କହୁଥିବାବେଳେ ରାଜ୍ୟର ପ୍ରାୟ ୧୩ ହଜାର ପଡା ଗାଁରେ ଏବେ ବି ବିଜୁଳି ଅପହଞ୍ଚ । ତେବେ ଆସନ୍ତା ବର୍ଷ ଜୁନ ସୁଦ୍ଧା ଏହି ସବୁ ପଡାଗ୍ରାମର ଲୋକଙ୍କୁ ବିଜୁଳି ଯୋଗାଇବାର ଲକ୍ଷ୍ୟ ରହିଥିବା ବିଧାନସଭାରେ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ(Minister Pratap Keshari Deb) ସୂଚନା ଦେଇଛନ୍ତି ।

ବିଜେପି ବିଧାୟିକା କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି ଯେ, ''ରାଜ୍ୟର ସମସ୍ତ ରାଜସ୍ୱ ଗ୍ରାମକୁ ବିଜୁଳି ସଂଯୋଗ ହୋଇସାରିଛି । ବଳକା ଥିବା ୧୩,୪୦୦ ଗ୍ରାମକୁ ୨୦୨୩ ଜୁନ୍‍ ସୁଦ୍ଧା ବିଦ୍ୟୁତ୍‍କରଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ବିଦ୍ୟୁତ୍‍କରଣ ହୋଇନଥିବା ପଡାଗ୍ରାମଗୁଡିକ ମଧ୍ୟରେ ଟିପିସିଓଡିଏଲ୍‍ର ୬୪୮୬ ପଡାଗ୍ରାମ ରହିଛି । କଟକ ଜିଲ୍ଲାରେ ସର୍ବାଧିକ ୧୫୨୫ ପଡାଗ୍ରାମ ଥିବାବେଳେ ଅନୁଗୁଳରେ ୯୫୧, ଢେଙ୍କାନାଳରେ ୮୩୧, ଜଗତ୍‍ସିଂହପୁରରେ ୨୮୦, କେନ୍ଦ୍ରାପଡାରେ ୭୭୮, ଖୋର୍ଦ୍ଧାରେ ୪୭୪, ନୟାଗଡରେ ୮୪୪, ପୁରୀରେ ୬୬୪ ଏବଂ ଯାଜପୁରରେ ୧୩୯ଟି ଗ୍ରାମ ରହିଛି ।''

ସେହିଭଳି ଟିପିଏନ୍‍ଓଡିଏଲ୍‍ ଇଲାକାରେ ଥିବା ୪୭୪୦ଟି ପଡାଗ୍ରାମକୁ ବିଜୁଳି ପହଞ୍ଚି ପାରିନାହିଁ । ଏଥି ମଧ୍ୟରେ ବାଲେଶ୍ୱରରେ ୧୦୬୧, ଭଦ୍ରକରେ ୫୨୦, ଯାଜପୁରରେ ୯୫, କେନ୍ଦୁଝରରେ ୫୦୩ ଓ ମୟୁରଭଞ୍ଜରେ ୨୫୬୧ଟି ପଡାଗ୍ରାମ ରହିଛି । ଅନୁରୂପ ଭାବେ ଟିପିଡବ୍ଲ୍ୟୁଓଡିଏଲ୍‍ ଇଲାକାରେ ୩୮୮ଟି ପଡାଗ୍ରାମ ବିଜୁଳି ଠାରୁ ଦୂରରେ । ଏଠାରେ ଥିବା ୯ଟି ଜିଲ୍ଲା ମଧ୍ୟରୁ ସୁନ୍ଦରଗଡରେ ସର୍ବାଧିକ ୮୦ଟି ଗ୍ରାମ ରହିଛି । ତେବେ ସମସ୍ତ ୯ଟି ଜିଲ୍ଲାରେ ବିଦ୍ୟୁତ ଅପହଞ୍ଚ ପଡାଗ୍ରାମ ସଂଖ୍ୟା ଦୁଇ ଅଙ୍କରେ ସୀମିତ ଅଛି । ସେହିଭଳି ଟିପିଏସ୍‍ଓଡିଏଲ୍‍ ଅଧିନରେ ଥିବା ୯ଟି ଜିଳ୍ଲାରେ ୧୭୮୬ ପଡାଗ୍ରାମରେ ବିଜୁଳି ପହଞ୍ଚି ପାରିନାହିଁ ।

ବୌଦ୍ଧ ଜିଲ୍ଲାରେ ସର୍ବାଧିକ ୩୪୮ଟି ପଡାଗ୍ରାମ ଥିବାବେଳେ ନବରଙ୍ଗପୁରରେ ୩୨୮, ରାୟଗଡାରେ ୨୭୭ ଓ ପୁରୀ କୃଷ୍ଣ ପ୍ରସାଦ ବ୍ଲକରେ ୧୦ଟି ପଡାଗ୍ରାମ ରହିଛି । ସେହିଭଳି ସୁନ୍ଦରଗଡ ଜିଲ୍ଲାର ୧୭ଟି ବ୍ଲକରେ ୮୦ଟି ପଡାଗ୍ରାମରେ ବିଜୁଳି ପହଞ୍ଚି ପାରିନାହିଁ । ଏଥି ମଧ୍ୟରୁ ଲହୁଣିପଡା ବ୍ଲକରେ ସର୍ବାଧିକ ୮ଟି, ହେମଗିରି ଓ ନୂଆଗାଁ ବ୍ଲକରେ ୭ଟି କରି ପଡାଗ୍ରାମ ଥିବାବେଳେ ବାଲିଶଙ୍କରା ଓ ଲେଫ୍ରିପଡାରେ ୬ଟି କରି ଏବଂ ବାରଗାଁ, ସୁନ୍ଦରଗଡ ବ୍ଲକରେ ୫ଟି କରି ଗ୍ରାମ ରହିଛି । ଏହିସବୁ ପଡାଗ୍ରାମକୁ ୨୦୨୩ ଜୁନ୍‍ ସୁଦ୍ଧା ବିଜୁଳି ପହଞ୍ଚି ପାରିବ ବୋଲି ମନ୍ତ୍ରୀ ଉତ୍ତରରେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details