ବୌଦ୍ଧ: ବିପର୍ଯ୍ୟସ୍ତ ଅବସ୍ଥାରେ ଆମ୍ବୁଲାନ୍ସ ସେବା । ସଠିକ ଭାବରେ ମିଳି ପାରୁନି ଏହି ସରକାରୀ ସେବା । ଗୋଟିଏ ପଟରେ ଯୋଗାଯୋଗର ବିଛିନ୍ନତା ଫଳରେ ଅନେକ ଅଞ୍ଚଳକୁ ଆମ୍ବୁଲାନ୍ସ ସେବା ପହଞ୍ଚି ପାରୁନଥିବା ବେଳେ ଅନ୍ୟପଟେ ଆମ୍ବୁଲାନ୍ସର ଅଭାବ ରହିଛି । ଏହାସହ ବୌଦ୍ଧ ଜିଲ୍ଲାର ବିଭିନ୍ନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କ ଅଭାବ ଯୋଗୁଁ ଉପାନ୍ତ ଅଞ୍ଚଳରେ ଲୋକେ ଗୁଣିଗାରେଡି଼ ଉପରେ ଭରସା କରି ଚଳୁଥିବା ଅଭିଯୋଗ ହୋଇଛି ।
ତେବେ ବୌଦ୍ଧ ଜିଲ୍ଲାର ସ୍ବାସ୍ଥ୍ୟସେବା ଓ ଆମ୍ବୁଲାନ୍ସ ସେବାକୁ ନେଇ ସମସ୍ୟା ଦେଖାଦେଇଛି । ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଯୋଗାଯୋଗର ମାଧ୍ୟମ ନଥିବାରୁ ସେସବୁ ଅଞ୍ଚଳରେ ସ୍ବାସ୍ଥ୍ୟ ସେବା ଓ ଆମ୍ବୁଲାନ୍ସ ସେବା ଅପହଞ୍ଚ ହୋଇ ରହିଛି । ବିଶେଷ ଭାବରେ ଜିଲ୍ଲାର ବିଭିନ୍ନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ପେସାଲିଷ୍ଟ୍ ଡାକ୍ତରଙ୍କ ଅଭାବ ଯୋଗୁଁ ସ୍ବାସ୍ଥ୍ୟ ସେବାରେ ବ୍ୟାପକ ସମସ୍ୟା ରହୁଥିବା ସହ ବିଭିନ୍ନ ସ୍ଥାନରେ ଆମ୍ବୁଲାନ୍ସ ସେବା ଓ ସ୍ବାସ୍ଥ୍ୟ ସେବା ଠିକରେ ପହଞ୍ଚି ପାରୁନଥିବା ଅଭିଯୋଗ ହୋଇଛି ।
ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ଜିଲ୍ଲାର କଣ୍ଟାମାଳ, ମନମୁଣ୍ଡା, ବାଉଶୁଣୀ, ପୁରୁଣା କଟକ ଓ ଆଢେଣୀଗଡ ଏଭଳି ପାଞ୍ଚ ଗୋଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରହିଛି । କିନ୍ତୁ କୌଣସି ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ପେସାଲିଷ୍ଟ ଡାକ୍ତର ନାହାନ୍ତି । ସେହିପରି ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ବିଭିନ୍ନ ଉପାନ୍ତ ତଥା ଦୁର୍ଗମ ଅଞ୍ଚଳରେ ଆମ୍ବୁଲାନ୍ସ ସେବା ସମ୍ପୂର୍ଣ୍ଣ ଅପହଞ୍ଚ ହୋଇ ରହିଛି । ଫଳରେ ଏଭଳି ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଲୋକେ ବାଧ୍ୟ ହୋଇ ସ୍ବାସ୍ଥ୍ୟ ସେବା ପାଇଁ ଗୁଣିଗାରେଡି ଓ ଝଡାଫୁଙ୍କା ଉପରେ ନିର୍ଭର କରୁଛନ୍ତି । ଗୋଟିଏ ପଟରେ ଜନସଚେତନତା ଅଭାବରୁ ଏଭଳି ଗୁଣିଗାରେଡି ଉପରେ ସାଧାରଣ ଲୋକ ନିର୍ଭରଶୀଳ ଥିବା ବେଳେ ଅନ୍ୟପଟେ ଆମ୍ବୁଲାନ୍ସ ସେବା ଉକ୍ତ ଅଞ୍ଚଳରେ ପହଞ୍ଚି ପାରୁନାହିଁ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦୁଇଟି ଆମ୍ବୁଲାନ୍ସ କାର୍ଯ୍ୟକ୍ଷମ ଥିବା ବେଳେ ଜିଲ୍ଲାରେ ସମୁଦାୟ ଦଶଟି ୧୦୮ ଆମ୍ବୁଲାନ୍ସ ରହିଛି । ଆବଶ୍ୟକ ଠାରୁ ଆମ୍ବୁଲାନ୍ସ କମ ରହିଥିବାରୁ ସେବା ଠିକରେ ମିଳୁନଥିବା ଅଭିଯୋଗ କରିଛନ୍ତି ବିଜେପି ନେତା ସୂର୍ଯ୍ୟ ନାରାୟଣ ମହାପାତ୍ର ।