ETV Bharat / state

ଆମ୍ବୁଲାନ୍ସ ସେବା ପାଲଟିଛି ସ୍ବପ୍ନ, 3କିଲୋମିଟର କାନ୍ଧରେ ବୁହା ହେଲେ ରୋଗୀ

author img

By ETV Bharat Odisha Team

Published : Sep 10, 2023, 8:13 PM IST

ରାସ୍ତାଘାଟ ସମସ୍ୟା ପାଇଁ ଗାଁରେ ପହଞ୍ଚି ପାରୁନି ଆମ୍ବୁଲାନ୍ସ । ୩ କିଲୋମିଟର କାନ୍ଧରେ ବୁହା ହେଲେ ରୋଗୀ । ଅଧିକ ପଢ଼ନ୍ତୁ

କାନ୍ଧରେ ବୁହା ହେଲେ ରୋଗୀ
କାନ୍ଧରେ ବୁହା ହେଲେ ରୋଗୀ

କାନ୍ଧରେ ବୁହା ହେଲେ ରୋଗୀ

ଭବାନୀପାଟଣା: ଉପାନ୍ତ ଅଞ୍ଚଳରେ ଗାଁର ବିକଳ ଚିତ୍ର । ରାସ୍ତା ନଥିବାରୁ ଗାଁରେ ପହଞ୍ଚି ପାରୁନି ଆମ୍ବୁଲାନ୍ସ। ଅନେକ ସମୟରେ ରୋଗୀମାନଙ୍କୁ ଖଟିଆରେ ବୁହା ହୋଇ ଡାକ୍ତରଖାନା ନିଆଯାଉଥିବାର ଘଟଣା ସାମ୍ନାକୁ ଆସେ । ଏବେ ପୁଣି ଥରେ ସେଭଳି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାରେ । ଯେଉଁଠି ଆମ୍ବୁଲାନ୍ସ ପହଞ୍ଚି ନପାରିବାରୁ 3 କିଲୋମିଟର କାନ୍ଧରେ ବୁହା ହେଲେ ରୋଗୀ ।

ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଆଦିବାସୀ ଅଧ୍ୟୁଷିତ ମାଳିଯୁବାଙ୍ଗ ପଞ୍ଚାୟତ ଅନ୍ତର୍ଗତ ବଡ଼ ସେମେଲପଦର ଗାଁର ମହେନ୍ଦ୍ର ମାଝୀ କିଛି ଦିନ ଧରି ଜ୍ବରରେ ପୀଡ଼ିତ ଥିଲେ । ତେବେ ଟଙ୍କା ଅଭାବରୁ ଚିକିତ୍ସା ନକରି ପାରି ଘରେ ପଡ଼ି ରହିଥିଲେ । ସେପଟେ ଆମ୍ବୁଲାନ୍ସକୁ ୨ ଦିନ ଧରି ଯୋଗାଯୋଗ କଲାପରେ ମଧ୍ୟ୍ୟ ଗାଁକୁ ଆମ୍ବୁଲାନ୍ସ ଆସିନଥିଲା । ପରିବାର ଲୋକେ ନେହୁରା ହୋଇ ଆମ୍ବୁଲାନ୍ସକୁ ଯୋଗାଯୋଗ କଲା ପରେ ୩ ଦିନ ପରେ ଆମ୍ବୁଲାନ୍ସ ଆସିଥିଲା । କିନ୍ତୁ ଆମ୍ବୁଲାନ୍ସ ଯିବା ପାଇଁ ରାସ୍ତାର ସୁବିଧା ନଥିବାରୁ ଗାଁକୁ ପହଞ୍ଚି ନପାରି ଗାଁଠାରୁ ୩ କିଲୋମିଟର ଦୂରରେ ଅଟକି ରହିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ପୁଣି ଭାରରେ ବୁହା ହେଲେ ରୋଗୀ

ତେବେ ଗାଁ ଭିତରକୁ ଆମ୍ବୁଲାନ୍ସ ନଆସି ପାରିବାରୁ ବାଧ୍ୟ ହୋଇ ପରିବାର ଲୋକ ମହେନ୍ଦ୍ରଙ୍କୁ ୩ କିଲୋମିଟର କାନ୍ଧରେ ବୋହି ଆମ୍ବୁଲାନ୍ସ ପାଖକୁ ନେଇଥିଲେ । ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଲାଞ୍ଜିଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅନେକ ଗରିବ ଶ୍ରେଣୀ ଲୋକଙ୍କ ପାଇଁ ଆମ୍ବୁଲାନ୍ସ ସେବା ବରଦାନ ସ୍ୱରୂପ ପାଲଟି ଥିବା ବେଳେ ରାସ୍ତାଘାଟ ପାଇଁ ଅନେକ ନିରୀହ ଏହି ସେବାରୁ ବଞ୍ଚିତ ରହୁଛନ୍ତି । ଏହାସହ ବହୁମୂଲ୍ୟ ଜୀବନ ହାନୀ ହେଉଥିବା ବି ନଜିର ରହିଛି । ସେପଟେ ରାସ୍ତାକୁ ନେଇ ବାରମ୍ବାର ପ୍ରଶାସନକୁ ଗୁହାରି କଲା ପରେ ମଧ୍ୟ ଏଯାଏଁ କୌଣସି ସୁଫଳ ମିଳି ପାରି ନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ବଡ ସେମେଲପଦର ଗ୍ରାମବାସୀ।

ସେପଟେ ଗାଁର ବିକାଶ ପାଇଁ ସରକାର ମାଳମାଳ ଯୋଜନା କରୁଛନ୍ତି । ଗ୍ରାମାଞ୍ଚଳ ବିକାଶ ପାଇଁ ସରକାର ରାସ୍ତା ନିର୍ମାଣ ଓ ପୋଲ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ନେଇ ବାହାଦୂରୀ ମାରୁଥିବା ବେଳେ ଏହି ଯୋଜନା ଆଜି ବି ଅପହଞ୍ଚ ଇଲାକାବାସୀଙ୍କ ପାଇଁ ସ୍ବପ୍ନ ପାଲଟିଛି । ପକ୍କା ରାସ୍ତା ଖଣ୍ଡିଏ ନଥିବାରୁ ଏଠି ଆମ୍ବୁଲାନ୍ସ ପହଞ୍ଚି ପାରୁନାହିଁ ଫଳରେ କେବେ ଖଟିଆ ତ ପୁଣି କେବେ ଅନ୍ୟର କାନ୍ଧ ପାଲଟି ଯାଉଚି ଆମ୍ବୁଲାନ୍ସ । ଯାହାଫଳରେ ଗ୍ରାମାଞ୍ଚଳର ଲୋକମାନେ ଅନେକ ସମସ୍ୟା ଦେଇ ଗତି କରୁଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.