ଓଡିଶା

odisha

ଋତୁସ୍ରାବ ବେଳେ କାର୍ଯ୍ୟରତ ମହିଳାଙ୍କୁ ମିଳିବନି ଛୁଟି, ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

By

Published : Feb 24, 2023, 6:30 PM IST

ଋତୁସ୍ରାବ ବେଳେ କାର୍ଯ୍ୟରତ ମହିଳା ଓ ଛାତ୍ରୀଙ୍କୁ ଛୁଟି ଦେବା ଲାଗି ହୋଇଥିବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ । ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟରେ ଏନେଇ ଆବେଦନ କରିବାକୁ ଦେଲେ ପରାମର୍ଶ । ଅଧିକ ପଢନ୍ତୁ

menstrual pain leave
menstrual pain leave

ନୂଆଦିଲ୍ଲୀ:ଋତୁସ୍ରାବ ବେଳେ କାର୍ଯ୍ୟରତ ମହିଳାଙ୍କୁ ମିଳିବ ନାହିଁ ଛୁଟି । ଏନେଇ ହୋଇଥିବା ଆବେଦନକୁ ଖାରଜ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଦେଶର ସମସ୍ତ ରାଜ୍ୟରେ ଛାତ୍ରୀ ଓ କାର୍ଯ୍ୟରତ ମହିଳାଙ୍କୁ ଋତୁସ୍ରାବ ସମୟରେ ଛୁଟି ଦେବା ଲାଗି କୋର୍ଟରେ ଏକ ଆବେଦନ କରାଯାଇଥିଲା । ତେବେ ଆଜି (ଶୁକ୍ରବାର) ସୁପ୍ରିମକୋର୍ଟ ଏହି ଆବେଦନକୁ ଖାରଜ କରିଛନ୍ତି । ଏହି ପ୍ରସଙ୍ଗଟି ସରକାରଙ୍କ ନୀତି ଡୋମେନ ଅଧୀନରେ ରହିଥିବାରୁ ଏନେଇ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ସୁପ୍ରିମ କୋର୍ଟ ଆବେଦନକାରୀଙ୍କୁ ପରାମର୍ଶ ଦେଇଛନ୍ତି ।

ମୁଖ୍ୟ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ । ସୁପ୍ରିମ କୋର୍ଟଙ୍କ କହିବାନୁସାରେ ଏହି ପ୍ରସଙ୍ଗଟି କେନ୍ଦ୍ର ସରକାରଙ୍କ ନୀତି ଡୋମେନ ଅଧୀନରେ ରହିଛି । ଏଥିଲାଗି ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ନିକଟରେ ଆବେଦନ କରିବା ଲାଗି କହିଛନ୍ତି । ଏହା ସରକାରଙ୍କ ନୀତି ଅଧୀନରେ ରହିଥିବାରୁ ଏ ପ୍ରସଙ୍ଗରେ ସର୍ବୋଚ୍ଚ କୋର୍ଟ ହସ୍ତକ୍ଷେପ କରିବେ ନାହିଁ ବୋଲି ଖଣ୍ଡପୀଠ କହିଛି । ଯଦି ଆବେଦନକାରୀ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟରେ ଆବେଦନ କରନ୍ତେ, ତେବେ ଏହା ଅଧିକ ଯୁକ୍ତିଯୁକ୍ତି ରହିବ ବୋଲି ସର୍ବୋଚ୍ଚ କୋର୍ଟ କହିଛନ୍ତି । ଏହି ଖଣ୍ଡପୀଠରେ ବିଚାରପତି ପି.ଏସ ନରସିଂହ ଓ ଜେ.ବି ପରଦିୱାଲା ମଧ୍ୟ ରହିଛନ୍ତି ।

ଏହା ବି ପଢନ୍ତୁ- ବିବାହ ଦିନ ଅସୁସ୍ଥ ହେଲେ କନ୍ୟା, ହସ୍ପିଟାଲ ବେଡରେ ସିନ୍ଦୂର ପିନ୍ଧାଇଲେ ବର

ଏହାର ଶୁଣାଣି କରି ସର୍ବୋଚ୍ଚ କୋର୍ଟ କହିଛନ୍ତି ଯେ ଯଦି କୌଣସି ସଂସ୍ଥା ନିଜ ମହିଳା କର୍ମଚାରୀଙ୍କୁ ପ୍ରତି ମାସରେ ଋତୁସ୍ରାବ ଲାଗି ଛୁଟି ଦିଅନ୍ତି, ତେବେ ସେମାନେ ମହିଳା କର୍ମଚାରୀଙ୍କୁ ନିଯୁକ୍ତି ଦେବା ଲାଗି କୁଣ୍ଠାବୋଧ କରିବେ । ଏହି ଆବେଦନ ପତ୍ରରେ ଆବେଦନକାରୀ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ଉଠାଇଛନ୍ତି, ମାତ୍ର ଏହି ପ୍ରସଙ୍ଗଟି ସରକାରଙ୍କ ନୀତି ଅଧୀନରେ ଥିବାରୁ ଏନେଇ ମନ୍ତ୍ରଣାଳୟ ନିଷ୍ପତ୍ତି ନେବା ଉଚିତ ବୋଲି ସୁପ୍ରିମ କୋର୍ଟ କହିଛନ୍ତି । ତେବେ ୧୯୬୧ମାତୃତ୍ବ କାଳୀନ ସୁବିଧା ଆକ୍ଟ (Maternity Benefit Act) ଅନୁସାରେ ଋତୁସ୍ରାବ ସମୟରେ ରାଜ୍ୟର ସମସ୍ତ ମହିଳା କର୍ମଚାରୀ ଓ ଛାତ୍ରୀଙ୍କୁ ଛୁଟି ଦେବା ଲାଗି ଦିଲ୍ଲୀ ବାସିନ୍ଦା ଛାତ୍ର ଶୈଳେନ୍ଦ୍ର ମଣିଙ୍କ ଦ୍ବାରା ଆବେଦନ କରାଯାଇଥିଲା । ଶୈଳେନ୍ଦ୍ର ଆଇନଜୀବୀ ବିଶାଲ ତିୱାରୀଙ୍କ ଦ୍ବାରା ଏହି ଆବେଦନ କରିଥିଲେ ।

ଅନ୍ୟପଟେ ଆବେଦନକାରୀ ନିଜ ଆବେଦନ ପତ୍ରରେ ଏହା ମଧ୍ୟ ଦର୍ଶାଇଛନ୍ତି ଯେ ୟୁକେ, ଚୀନ, ୱେଲସ, ଜାପାନ, ତାଇୱାନ, ଇଣ୍ଡୋନେସିଆ, ଦକ୍ଷିଣ କୋରିଆ, ସ୍ପେନ ଓ ଜାମ୍ବିଆ ଆଦି ଦେଶରେ ଋତୁସ୍ରାବ ସମୟରେ ମହିଳାମାନଙ୍କୁ ଛୁଟି ଦିଆଯାଉଛି । ଋତୁସ୍ରାବ ସମୟରେ ମହିଳାମାନେ ଅନେକ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଇ ଗତି କରିଥାନ୍ତି । କେବଳ ମହିଳାମାନେ ଏକ ଜୀବନ ସୃଷ୍ଟି କରିପାରିବାର କ୍ଷମତା ରଖିଛନ୍ତି । ଯାହାଦ୍ବାରା ମାନବ ଜାତିର ପ୍ରସାର ହୋଇଥାଏ । ତେବେ ମାତୃତ୍ବର ବିଭିନ୍ନ ପର୍ଯ୍ୟାୟ ସେ ଗର୍ଭଧାରଣ, ଗର୍ଭପାତ ହେଉ କି ଋତୁସ୍ରାବ । ଏହି ସମୟରେ ମହିଳା ଅନେକ ଯନ୍ତ୍ରଣାର ସହିତ ଗତି କରିଥାନ୍ତି ।

ସୂଚନା ଥାଉ କି ୧୯୬୧ମାତୃତ୍ବ କାଳୀନ ସୁବିଧା ଆକ୍ଟ ଅନୁସାରେ ମହିଳାମାନଙ୍କୁ ଗର୍ଭଧାରଣ, ଗର୍ଭପାତ, ଗର୍ଭନିରୋଧକ ଅପରେସନ ଏହାସହ ଗର୍ଭଧାରଣ ସମୟରେ ଚିକିତ୍ସା ଜଟିଳତା ଲାଗି ଛୁଟି ଦେବା ବାଧ୍ୟତାମୂଳକ କରାଯାଇଛି । ମହିଳା କର୍ମଚାରୀମାନେ ଏହି ଛୁଟି ନେବା ସମୟରେ ତାଙ୍କୁ ପୂର୍ଣ୍ଣ ଦରମା ମିଳିବ ବୋଲି ନିୟମ ରହିଛି । ତେବେ ଋତୁସ୍ରାବ ମାତୃତ୍ବର ଏକ ଅଂଶ ହୋଇଥିବାରୁ ଏହି ସମୟରେ ମଧ୍ୟ ଛାତ୍ରୀ ଓ ମହିଳାମାନଙ୍କୁ ଛୁଟି ଦେବା ଲାଗି ଆବେଦନକାରୀ ଦାବି କରିଛନ୍ତି ।

ABOUT THE AUTHOR

...view details