ETV Bharat / bharat

ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ, 7 ନିପାତ; ବିପୁଳ ଅସ୍ତ୍ରଶସ୍ତ୍ର ଜବତ - Chhattisgarh Naxal Encounter

author img

By ETV Bharat Odisha Team

Published : May 23, 2024, 10:42 PM IST

NAXAL ENCOUNTER: ଛତିଶଗଡ଼ର 3ଟି ଜିଲ୍ଲାରେ ପୋଲିସ ଓ ନକ୍ସଲ ମୁହାଁମୁହିଁ । ଏଯାବତ 7 ନକ୍ସଲ ନିପାତ । ବଢିପାରେ ସଂଖ୍ୟା । ଅଧିକ ପଢନ୍ତୁ

NAXAL ENCOUNTER
NAXAL ENCOUNTER (ETV Bharat)

ରାୟପୁର: ଛତିଶଗଡ଼ ଦନ୍ତେୱାଡା, ନାରାୟଣପୁର ଓ ବିଜାପୁର ଜିଲ୍ଲାରେ ମିଳିତ ସର୍ଚ୍ଚ ଅପରେସନ । ଜିଲ୍ଲାର ଭିନ୍ନ ଭିନ୍ନ ସ୍ଥାନରେ ସୁରକ୍ଷାକର୍ମୀ ଓ ନକ୍ସଲ ମୁହାଁମୁହିଁ ହୋଇଛନ୍ତି । ଦନ୍ତେୱାଡାରେ ଚାଲିଥିବା ଅପରେସନରେ 5ଜଣ ନକ୍ସଲଙ୍କ ମୃତଦେହ ସହ ବିପୁଳ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଏଯାବତ ଏହି 3ଟି ଜିଲ୍ଲାରେ ହୋଇଥିବା ଏନକାଉଣ୍ଟରରେ ମୋଟ 7ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି । ଏବେ ବି ଏଠାରେ ଗୁଳି ବିନିମୟ ଜାରି ରହିଛି । ଅନେକ ନକ୍ସଲଙ୍କ ଶରୀରରେ ଗୁଳି ଲାଗିଥିବା କୁହାଯାଉଛି ।

ନକ୍ସଲ ପ୍ରଭାବିତ ଜିଲ୍ଲା ନାରାୟଣପୁର-ବିଜାପୁର ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ନକ୍ସଲ ମୁହାଁମୁହିଁ ହୋଇଥିଲେ । ସକାଳ 11ଟାରେ ଉଭୟ ପଟରୁ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ଏହି ଏନକାଉଣ୍ଟରରେ ନାରାୟଣପୁର ଓ ଦନ୍ତେୱାଡା ଯବାନଙ୍କୁ ସଫଳତା ମିଳିଛି । ନାରାୟଣପୁରରେ 2ଜଣ ନକ୍ସଲ ଓ ଦନ୍ତେୱାଡାରେ 5ଜଣ ନକ୍ସଲଙ୍କ ମୃତଦେହ ଠାବ ହୋଇଛି । ନାରାୟଣପୁର, ଦନ୍ତେୱାଡା ଓ ବସ୍ତର ଜିଲ୍ଲାର ଡିଆରଜି ଏବଂ ବସ୍ତର ଫାଇଟର୍ସଙ୍କ ସହିତ ଏସଟିଏଫ ଟିମ ସର୍ଚ୍ଚ ଅପରେସନରେ ସାମିଲ ଅଛନ୍ତି ।

ଏହା ବି ପଢନ୍ତୁ- ଖୁଣ୍ଟିରେ ପୋଲିସ-ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ଜାରି, ଜଣେ ନକ୍ସଲ ନିପାତ

ନକ୍ସଲମାନେ ଜଙ୍ଗଲ ମଧ୍ୟରେ ଲୁଚି ରହିଥିବାରୁ ଉଭୟ ପଟରୁ ଛକାପଞ୍ଝା ସ୍ଥିତି ଲାଗି ରହିଛି । ରହି ରହି ଉଭୟ ପଟରୁ ଗୁଳି ବିନିମୟ ହେଉଛି । ନାରାୟଣପୁର ପୋଲିସ ଅଧିକାରୀ ପ୍ରଭାତ କୁମାର ଓ ଦନ୍ତେୱାଡା ଏସପି ଗୌରବ ରାୟ ଏହି ଏନକାଉଣ୍ଟର ନେଇ ସ୍ପଷ୍ଟ କରିଛନ୍ତି । ଏସପି ପ୍ରଭାତ କୁମାର କହିଛନ୍ତି ଯେ ଘଟଣାସ୍ଥଳରେ ଏଯାବତ 2ଜଣ ନକ୍ସଲଙ୍କ ମୃତଦେହ ସହ ବିପୁଳ ଅସ୍ତ୍ରଶସ୍ତ୍ର ଓ ସାମଗ୍ରୀ ଜବତ ହୋଇଛି । ସର୍ଚ୍ଚ ଅପରେସନ ଜାରି ରହିଛି ।

ଏହା ବି ପଢନ୍ତୁ- ଛତିଶଗଡ଼ରେ ପୁଣି ଏନକାଉଣ୍ଟର; 12 ହାର୍ଡକୋର ନକ୍ସଲ ନିହତ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ସେପଟେ ନକ୍ସଲ ପ୍ରଭାବିତ ନାରାୟଣପୁର ଜିଲ୍ଲାର ଅବୁଝମାଡ଼ ଅଞ୍ଚଳରେ ସୁରକ୍ଷାକର୍ମୀମାନେ ନୂଆ କ୍ୟାମ୍ପ ଖୋଲିଛନ୍ତି । ଏହି ଅଞ୍ଚଳରେ ନକ୍ସଲ ନିରୋଧୀ ଅଭିଯାନ ଜୋରଦାର ଚାଲିଥିବା ବେଳେ ବ୍ୟାକଫୁଟରେ ଅଛନ୍ତି ନକ୍ସଲ । ଏହି କ୍ୟାମ୍ପ ମୋହନ୍ଦୀ ଗାଁର ଔରଛା ବ୍ଲକ, କୋହକାମେଟା ତହସିଲ ଅଧିନରେ ଆସୁଛି । ଏହି କ୍ୟାମ୍ପ ସ୍ଥାପନ ପରେ ନକ୍ସଲ କାର୍ଯ୍ୟକଳାପ ପ୍ରଭାବିତ ହୋଇଥିବାରୁ ସେମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ଉଦ୍ୟମ କରୁଛନ୍ତି । ସୂଚନା ଥାଉ କି ଆଜି ଝାଡ଼ଖଣ୍ଡ ଖୁଣ୍ଟି ଅଞ୍ଚଳରେ ମଧ୍ୟ ଏନକାଉଣ୍ଟର ହୋଇଥିବା ବେଳେ ଜଣେ ନକ୍ସଲ ନିହତ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.