ଓଡିଶା

odisha

ଫର୍ଣ୍ଣିଚର ଦୋକାନରେ ରାହୁଲ: ଧରିଲେ କରତ, କାଟିଲେ କାଠ

By ETV Bharat Odisha Team

Published : Sep 28, 2023, 6:28 PM IST

ଦିଲ୍ଲୀ କୀର୍ତ୍ତି ନଗର ଫର୍ଣ୍ଣିଚର ବଜାରରେ ପହଞ୍ଚିଲେ ରାହୁଲ । ହାତରେ କରତ ଧରି କାଟିଲେ କାଠ । ବଢେଇଙ୍କ ସହ କଲେ ଆଲୋଚନା । ଅଧିକ ପଢନ୍ତୁ

ଫର୍ଣ୍ଣିଚର ଦୋକାନରେ ରାହୁଲ: କୁଲି ପରେ ଏବେ ହେଲେ କାଠ କାରିଗର
ଫର୍ଣ୍ଣିଚର ଦୋକାନରେ ରାହୁଲ: କୁଲି ପରେ ଏବେ ହେଲେ କାଠ କାରିଗର

ନୂଆଦିଲ୍ଲୀ:ନିକଟରେ ଦିଲ୍ଲୀର ଏକ ରେଳ ଷ୍ଟେସନରେ ପହଞ୍ଚି କୁଲିଙ୍କ ସହ ଆଲୋଚନା କରିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଖାଲି ଆଲୋଚନା କରିନଥିଲେ, ବରଂ ପାରମ୍ପରିକ କୁଲି ପୋଷାକ ପିନ୍ଧି ମୁଣ୍ଡରେ ଲଗେଜ୍‌ ମଧ୍ୟ ବୋହିଥିଲେ । ଯାହା ଚର୍ଚ୍ଚାର ବିଷୟ ହୋଇଥିଲା । ତେବେ ଆଜି ସମାନ ଢଙ୍ଗରେ ଦିଲ୍ଲୀର କୀର୍ତ୍ତି ନଗର ଫର୍ଣ୍ଣିଚର ବଜାରରେ ରାହୁଲଙ୍କୁ ଦେଖିବାକୁ ମିଳିଛି । ରାହୁଲ ସେଠାରେ କାର୍ଯ୍ୟରତ କାଠ କାରିଗରଙ୍କ ସହ ଆଲୋଚନା କରିଥିଲେ । କାଠ ନିର୍ମିତ ଆସବାବପତ୍ର କିପରି ପ୍ରସ୍ତୁତ ହେଉଛି, ସେ ସମ୍ପର୍କରେ ଉତ୍ସୁକତା ଦେଖାଇ ରାହୁଲ କାରିଗରଙ୍କ ସହ ମିଶି କାଠ ମଧ୍ୟ କାଟିଥିଲେ ।

ରାହୁଲଙ୍କ ହାତରେ ଏକାଧିକ ଆସବାବପତ୍ର ନିର୍ମାଣ କରିବା ପାଇଁ ବ୍ୟବହାର ହେଉଥିବା ଉପକରଣ ଦେଖିବାକୁ ମିଳିଥିଲା । ଜଣେ ପେଶାଦାର କାଠ କାରିଗର ଭଳି ରାହୁଲ ଡ୍ରିଲ୍‌ ମେସିନ ଓ କରତ ଧରି କାଠ କାଟିଥିଲେ । ବେଶ କିଛି ସମୟ ରାହୁଲ କାଠ ଓ୍ବାର୍କସପରେ ସମୟ କାଟିଥିଲେ । ପ୍ରସ୍ତୁତ ହୋଇ ରଖାଯାଇଥିବା ଆସବାବପତ୍ର ମଧ୍ୟ ବୁଲି ଦେଖିଥିଲେ । ସେମାନଙ୍କର ପାରିଶ୍ରମିକ ଓ ବ୍ୟବସାୟ ସମ୍ପର୍କରେ ମଧ୍ୟ ରାହୁଲ ଆଲୋଚନା କରିଥିଲେ ।

ରାହୁଲଙ୍କ ଏହି ଗସ୍ତ ସମ୍ପର୍କରେ ଉଭୟ କଂଗ୍ରେସ ଓ ସେ ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି । ରାହୁଲ ଏକାଧିକ ଫଟୋ ସେୟାର କରି ଟ୍ବିଟରେ ଲେଖିଛନ୍ତି,‘‘ ଆଜି ଏସିଆ ମହାଦେଶର ସର୍ବବୃହତ୍ତ ଫର୍ଣ୍ଣିଚର ବଜାରରେ ବଢେଇ ଭାଇମାନଙ୍କ ସହ ଆଲୋଚନା କଲି । ସେମାନେ ବେଶ ପରିଶ୍ରମୀ ଓ କୁଶଳୀ ମଧ୍ୟ । ମଜଭୂତ ଓ ସୁନ୍ଦର ଆସବାବପତ୍ର ପ୍ରସ୍ତୁତ କରିବାରେ ସେମାନେ ବେଶ ନିପୂଣ । ଆଲୋଚନା ହେଲା ଓ ସେମାନଙ୍କ ଠାରୁ କିଛି ଶିଖିବା ପାଇଁ ପ୍ରୟାସ ମଧ୍ୟ କଲି ।’’ କଂଗ୍ରେସ ମଧ୍ୟ ଦଳୀୟ ଅଫିସିଆଲ ‘ଏକ୍ସ’ ହ୍ୟାଣ୍ଡେଲରେ ଏକାଧିକ ଫଟୋ ସେୟାର କରି, ଜନନେତା ରାହୁଲ ଗାନ୍ଧୀ ଦିଲ୍ଲୀର ବଢେଇ ଭାଇଙ୍କ ସହ ଆଲୋଚନା କଲେ । ଭାରତ ଯୋଡୋ ଯାତ୍ରା ଜାରି ରହିଛି ।

ଏହା ମଧ୍ୟ ପଢନ୍ତୁ :-Rajasthan: ଛାତ୍ରୀଙ୍କ ସହ ସ୍କୁଟିରେ ବୁଲିଲେ ରାହୁଲ

ଗତବର୍ଷ ରାହୁଲ ଦେଶବ୍ୟାପୀ ଆରମ୍ଭ କରିଥିବା ‘ଭାରତ ଯୋଡୋ ଯାତ୍ରା’ରେ ମଧ୍ୟ ବିଭିନ୍ନ ବର୍ଗର ଲୋକଙ୍କ ସହ ଆଲୋଚନା କରିଥିଲେ । ଚାଷୀ, ବ୍ୟବସାୟୀ, ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ସହ ରାହୁଲଙ୍କୁ ଦେଖିବାକୁ ମିଳିଥିଲା । ନିକଟରେ ସେ ଦିଲ୍ଲୀର ଏକ ଷ୍ଟେସନରେ କୁଲିଙ୍କ ମଧ୍ୟ ସାକ୍ଷାତ କରିଥିଲେ । ଜୟପୁରରେ ଜଣେ ଛାତ୍ରୀଙ୍କ ସହ ସ୍କୁଟିରେ ମଧ୍ୟ ବୁଲି ଚର୍ଚ୍ଚାକୁ ଆସିଥିଲେ ରାହୁଲ । ରାହୁଲଙ୍କ ଏହି କାର୍ଯ୍ୟକ୍ରମକୁ ଭାରତୀୟ ଜନତା ପାର୍ଟି କିନ୍ତୁ ବିଭିନ୍ନ ଢଙ୍ଗରେ ସମାଲୋଚନା ଓ କଟାକ୍ଷ କରିବା ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details