ଓଡିଶା

odisha

କେରଳରେ ସିରିଜ ବ୍ଲାଷ୍ଟ: 2 ମୃତ, 50ରୁ ଊର୍ଦ୍ଧ୍ବ ଆହତ

By ETV Bharat Odisha Team

Published : Oct 29, 2023, 12:06 PM IST

Updated : Oct 29, 2023, 8:01 PM IST

କେରଳର ଏର୍ଣ୍ଣାକୁଲମ ଜିଲ୍ଲା ଅନ୍ତର୍ଗତ କୋଚିର କଲାମସେରୀ ଅଞ୍ଚଳରେ ଭୟଙ୍କର ବିସ୍ଫୋରଣ । 2 ମୃତ, ଏକାଧିକ ଆହତ । ଆତଙ୍କୀ ହମଲା ହୋଇଥିବା ଅନୁମାନ । ତଦନ୍ତ ଜାରି । ଆଗକୁ ପଢନ୍ତୁ

କେରଳରେ ଭୟଙ୍କର ବ୍ଲାଷ୍ଟ
କେରଳରେ ଭୟଙ୍କର ବ୍ଲାଷ୍ଟ

ଥିରୁଅନନ୍ତପୁରମ: କେରଳର ଏର୍ଣ୍ଣାକୁଲମ ଜିଲ୍ଲା ଅନ୍ତର୍ଗତ କୋଚିର କଲାମସେରୀ ଅଞ୍ଚଳରେ ଭୟଙ୍କର ସିରିଜ ବିସ୍ଫୋରଣ ଘଟିଛି । ଏକ ପ୍ରାର୍ଥନା ସଭା ଚାଲିଥିବା ବେଳେ ଏକ ଘଣ୍ଟା ମଧ୍ୟରେ ପାଖାପାଖି 3 ଥର ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ଏହି ବ୍ଲାଷ୍ଟରେ 2 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପାଖାପାଖି 50ରୁ ଊର୍ଦ୍ଧ୍ବ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଆହତଙ୍କ ମଧ୍ୟରେ 18 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ମୃତ୍ୟୁ ସଂଖ୍ୟା ଆଗକୁ ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି ।

ତେବେ ଏର୍ଣ୍ଣାକୁଲମ ଜିଲ୍ଲା ଅନ୍ତର୍ଗତ କଲାମସେରୀ ସ୍ଥିତ ଏକ କନଭେନସନ ସେଣ୍ଟରରେ ରବିବାର ସକାଳ ସମୟରେ ଭୟଙ୍କର ବିସ୍ଫୋରଣ ହୋଇଛି । କିଛି ସମୟ ବ୍ୟବଧାନ ମଧ୍ୟରେ ବାରମ୍ବାର ବ୍ଲାଷ୍ଟର ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଥିଲା । ଯେଉଁ ସମୟରେ ବିସ୍ଫୋରଣ ହେଲା ସେହି ସମୟରେ କନଭେନସନ ସେଣ୍ଟରରେ ୟହୋବା ସାକ୍ଷୀମାନଙ୍କ ପ୍ରାର୍ଥନା ଚାଲିଥିଲା ।

ଏହାମଧ୍ୟ ପଢନ୍ତୁ..ଗାଜାରେ ଉଡିଲା ଇସ୍ରାଏଲ ପତାକା ! ନେତାନ୍ୟାହୁଙ୍କ ହୁଙ୍କାର, ମୃତ୍ୟୁସଂଖ୍ୟା 9 ହଜାର ପାର୍

କଲାମସେରୀ ସିଆଇ ଭିବିନ ଦାସଙ୍କ ସୂଚନା ଅନୁଯାୟୀ, ପ୍ରଥମ ବିସ୍ଫୋରଣ ସକାଳ ପାଖାପାଖି 9ଟା ବେଳେ ହୋଇଥିବା ବେଳେ କିଛି ସମୟର ବ୍ୟବଧାନରେ ଅର୍ଥାତ ଗୋଟିଏ ଘଣ୍ଟା ମଧ୍ୟରେ ଏକାଧିକ ଥର ବିସ୍ଫୋରଣ ହୋଇଥିଲା । ତେବେ ପାଖାପାଖି 3 ଥର ବିସ୍ଫୋରଣ ହୋଇଥିବା ଜଣାପଡିଛି ।

ବିସ୍ଫୋରଣ ନେଇ ପୋଲିସ ଖବର ପାଇବା ପରେ ତୁରନ୍ତ ପୋଲିସ ଟିମ୍‌ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ । ଅନ୍ୟପଟେ ଗୋଟିଏ ବୋମା ନିଷ୍କ୍ରିୟକାରୀ ଟିମ ସହ 8 ଜଣିଆ ନେସନାଲ ସିକ୍ୟୁରିଟି ଗାର୍ଡର ଏକ ଟିମ ଦିଲ୍ଲୀରୁ କେରଳ ଅଭିମୁଖେ ବାହାରି ସାରିଛନ୍ତି । ସନ୍ଧ୍ୟା ସୁଦ୍ଧା ଏହି ଟିମ ଘଟଣାସ୍ଥଳରେ ପହଞ୍ଚିବେ । ଜାତୀୟ ତଦନ୍ତକାରୀ ସଂସ୍ଥା ମଧ୍ୟ ଘଟଣାର ତଦନ୍ତ କରିବା ନେଇ ସୂଚନା ରହିଛି । ଅନ୍ୟପଟେ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ କେରଳ ମୁଖ୍ୟମନ୍ତ୍ରୀ ବିଜୟନ ପିନାରାୟୀଙ୍କ ସହ ଏନେଇ କଥା ହୋଇଛନ୍ତି ।

ତେବେ କଲାମସେରୀରେ ଚାଲିଥିବା ଏହି ପ୍ରାର୍ଥନା ସଭା ଅକ୍ଟୋବର 27ରେ ଆରମ୍ଭ ହୋଇଥିବା ବେଳେ ଆଜି ଏହାର ଶେଷ ଦିନ ଥିଲା । 3 ଦିନ ଧରି ଚାଲିଥିବା ଏହି ପ୍ରାର୍ଥନା ସଭାରେ ପାଖାପାଖି ଦୁଇ ହଜାର ଲୋକେ ଏକାଠି ହୋଇଥିଲେ । ବିସ୍ଫୋରଣ ଘଟିବା ବେଳେ ମଧ୍ୟ ପ୍ରାର୍ଥନା ସଭାରେ 2 ହଜାରରୁ ଊର୍ଦ୍ଧ୍ବ ଲୋକେ ଉପସ୍ଥିତ ଥିଲେ । ତେବେ ବିସ୍ଫୋରଣ କାରଣ ଓ ଏହା ପଛରେ ମାଷ୍ଟରମାଇଣ୍ଡ କିଏ ଏଯାଏଁ ଜଣା ପଡିନଥିବା ବେଳେ ଏହା ଏକ ଆତଙ୍କୀ ହାମଲା ହୋଇପାରେ ବୋଲି ସନ୍ଦେହ କରାଯାଉଛି । ତେବେ ଏହି ଭୟଙ୍କର ବିସ୍ଫୋରଣକୁ ନେଇ ଭୟଭୀତ ହୋଇପଡିଛନ୍ତି ସ୍ଥାନୀୟ ଲୋକେ ।

ଏହାମଧ୍ୟ ପଢନ୍ତୁ..Turkey Rally Fallout: ଇସ୍ରାଏଲକୁ ଯୁଦ୍ଧ ଅପରାଧୀ କହିଲା ତୁର୍କୀ, କୂଟନୈତିଜ୍ଞଙ୍କୁ ଫେରାଇ ଆଣିଲା ଇସ୍ରାଏଲ

ଗତକାଲି ପାଲେଷ୍ଟାଇନ୍‌ର ଆତଙ୍କୀ ସଂଗଠନ ହମାସର ଜଣେ ସଦସ୍ୟ ଭିଡିଓ ବାର୍ତ୍ତା ଜରିଆରେ କେରଳର ମୁସଲମାନଙ୍କୁ ସମ୍ବୋଧନ କରିଥିବା ବେଳେ ଆଜି ଏହି ବ୍ଲାଷ୍ଟ ହୋଇଥିବା ନେଇ ଚର୍ଚ୍ଚା ହୋଇଛି । ତେବେ କେରଳର ସିରିଜ ବ୍ଲାଷ୍ଟ ସହ ଇସ୍ରାଏଲ-ହମାସ ଯୁଦ୍ଧର ଲିଙ୍କ୍‌ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ କେରଳରେ ବିସ୍ଫୋରଣ ପରେ ଉତ୍ତରପ୍ରଦେଶର ବିଭିନ୍ନ ଅଞ୍ଚଳକୁ ହାଇଆଲର୍ଟ ଜାରି କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Oct 29, 2023, 8:01 PM IST

ABOUT THE AUTHOR

...view details