ETV Bharat / bharat

କେମିକାଲ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ; ଥରିଲା ଥାନେ, 8 ମୃତ - Thane chemical factory blast

author img

By ETV Bharat Odisha Team

Published : May 23, 2024, 5:51 PM IST

Updated : May 23, 2024, 10:05 PM IST

THANE CHEMICAL FACTORY BLAST: ମହାରାଷ୍ଟ୍ର ଥାନେରେ ଭୟଙ୍କର ବିସ୍ଫୋରଣ । ଖୁବ ଜୋରରେ ଶବ୍ଦ ପରେ ଥରିଲା ସାରା ଅଞ୍ଚଳ । ଏଥିରେ 8 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 64ରୁ ଅଧିକ ଆହତ । ଅଧିକ ପଢନ୍ତୁ

THANE CHEMICAL FACTORY BLAST
THANE CHEMICAL FACTORY BLAST (ETV Bharat)

ମୁମ୍ବାଇ: ମହାରାଷ୍ଟ୍ର ଥାନେ ଜିଲ୍ଲାର ଡୋମ୍ବିଭଲି ସ୍ଥିତ ଏକ କେମିକାଲ ଫ୍ୟାକ୍ଟ୍ରିରେ ଆଜି ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ପ୍ରାୟ 8 ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ 64ରୁ ଅଧିକ ଆହତ ହୋଇଛନ୍ତି । ଏହି ବିସ୍ଫୋରଣର ଶବ୍ଦ ଏତେ ଜୋରରେ ଥିଲା ଯେ କିଛି ସମୟ ପାଇଁ ସାରା ଅଞ୍ଚଳ ଦୋହଲି ଯାଇଥିଲା । ହଠାତ ଖୁବ ଜୋରରେ ଶବ୍ଦ ହେବା ପରେ କେହି କିଛି ବୁଝିପାରିନଥିଲେ । ଆମ୍ବର କେମିକାଲ କମ୍ପାନୀରେ ଏହି ବିସ୍ଫୋରଣ ଘଟିଛି ।

ଡୋମ୍ବିଭଲି ଅଞ୍ଚଳର ଫେଜ୍‌-2ରେ ଏହି କାରଖାନାଟି ରହିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ଏହି ବିସ୍ଫୋରଣର ଶବ୍ଦ ଏତେ ଜୋରରେ ଥିଲା ଯେ ପ୍ରାୟ 1 କିଲୋମିଟର ପର୍ଯ୍ୟନ୍ତ ଶୁଭିଥିଲା । ଏହି ଶବ୍ଦରେ ପାଖଆଖରେ ଥିବା ଘରର କାଚ ଝରକା ଭାଙ୍ଗି ପଡ଼ିଥିଲା । ଏହାସହିତ କିଛି ଘର ମଧ୍ୟ ଭାଙ୍ଗିପଡ଼ିଛି । ଏହି ଘଟଣାରେ 64 ଜଣ କର୍ମଚାରୀ ଆହତ ହୋଇଥିବା ବେଳେ ସେମାନଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ଏଯାବତ 8 ଜଣ କର୍ମଚାରୀଙ୍କ ମୃତ୍ୟୁ ମଧ୍ୟ ଘଟିଲାଣି ।

ଏହା ବି ପଢନ୍ତୁ- ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ; 5 ମହିଳାଙ୍କ ସମେତ 9 ମୃତ

ଥାନେର ବିପର୍ଯ୍ୟୟ ପରିଚାଳନା ବିଭାଗର ମୁଖ୍ୟ ୟସିନ ତାଡଭିଙ୍କ କହିବାନୁସାରେ, ଅପରାହ୍ନ 1ଟା 40 ମିନିଟରେ ଏହି ବିସ୍ଫୋରଣ ଘଟିଥିଲା । ଏହି କାରଖାନାକୁ ଲାଗି ରହିଥିବା 3ଟି ଫ୍ୟାକ୍ଟ୍ରିରେ ମଧ୍ୟ ନିଆଁ ବ୍ୟାପି ଯାଇଥିଲା । ଏହାସହିତ ଫ୍ୟାକ୍ଟ୍ରିରେ ମୋଟା କଳା ଧୂଆଁ ବାହାରିଥିବା ବେଳେ ଏହା ବହୁ ଦୂରକୁ ଦୃଶ୍ୟମାନ ହୋଇଥିଲା । ଏହି ବିସ୍ଫୋରଣ ନେଇ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । କାରଖାନା ପରିସରରେ ଫସି ରହିଥିବା ସମସ୍ତଙ୍କୁ ସୁରକ୍ଷିତ ସହିତ ଉଦ୍ଧାର କରାଯାଇଥିବା ସେ କହିଛନ୍ତି ।

ଆହତ କର୍ମଚାରୀଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବା ଲାଗି ସମସ୍ତ ବ୍ୟବସ୍ଥା ହୋଇଛି । ଏହାସହିତ ଆଉ କିଛି ଆମ୍ବୁଲାନ୍ସକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି । ଏନେଇ ଫଡନାଭିସ ଥାନେ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଥିବା କହିଛନ୍ତି । ସେମାନେ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ NDRF, TDRF ଓ ଅଗ୍ନିଶମ ବାହିନୀ ମଧ୍ୟ ପହଞ୍ଚିଛି । ଆହତମାନେ ଖୁବଶୀଘ୍ର ସୁସ୍ଥ ହେବା ନେଇ ଫଡନାଭିସ କାମନା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 23, 2024, 10:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.