ETV Bharat / bharat

ତୀର୍ଥଯାତ୍ରା ସାଜୁଛି ଅନ୍ତିମ ଯାତ୍ରା; ମୃତ୍ୟୁ ସଂଖ୍ୟା 49କୁ ବୃଦ୍ଧି - Death toll increased in Chardham

author img

By ETV Bharat Odisha Team

Published : May 23, 2024, 5:21 PM IST

49 devotees died in Chardham: ଚଳିତ ବର୍ଷ ଚାରିଧାମ ଯାତ୍ରାରେ ବଢିବାରେ ଲାଗିଛି ଶ୍ରଦ୍ଧାଳୁଙ୍କ ମୃତ୍ୟୁ ସଂଖ୍ୟା । ଗତ 12 ଦିନରେ ଗଲାଣି 49 ତୀର୍ଥଯାତ୍ରୀଙ୍କ ଜୀବନ । ଅଧିକ ପଢନ୍ତୁ

CHARDHAM YATRA 2024
CHARDHAM YATRA 2024 (ETV Bharat)

ଡେରାଡୁନ: ତୀର୍ଥଯାତ୍ରା ସାଜିବାରେ ଲାଗିଛି ଅନ୍ତିମ ଯାତ୍ରା । ଭୀଷଣ ଗରମ, ହଠାତ ପାଗରେ ପରିବର୍ତ୍ତନ ଓ ଗରମରେ ଉଚ୍ଚ ପର୍ବତ ଚଢିବା ଚାରିଧାମ ତୀର୍ଥଯାତ୍ରୀଙ୍କ ପାଇଁ କାଳ ସାଜିଛି । ଚଳିତ ବର୍ଷ ଚାରି ଧାମ ତୀର୍ଥଯାତ୍ରାରେ ଯାଉଥିବା ତୀର୍ଥଯାତ୍ରୀଙ୍କ ମଧ୍ୟରୁ ଏଯାବତ 49 ଜଣଙ୍କ ମୃତ୍ୟୁ ଘଟିଲାଣି । ଗତ 12 ଦିନ ମଧ୍ୟରେ ଏହି ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଧିରେ ଧିରେ ମୃତ୍ୟୁହାର ବୃଦ୍ଧି ପାଇବାରେ ଲାଗିଛି ।

ମୃତକଙ୍କ ମଧ୍ୟରେ ହୃଦରୋଗୀ ସାମିଲ:- ରାଜ୍ୟ ଜରୁରୀକାଳୀନ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁସାରେ ବଦ୍ରିନାଥ ଧାମରେ ଆଜି (ମେ 23) ସକାଳ 11ଟା ପର୍ଯ୍ୟନ୍ତ ଆଉ 2 ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି । ସେପଟେ କେଦାରନାଥ ଓ ଗଙ୍ଗୋତ୍ରିରେ ଯଥାକ୍ରମେ 4ଜଣ ଓ ଜଣେ ତୀର୍ଥଯାତ୍ରୀଙ୍କ ଜୀବନ ଯାଇଛି । ଏହାସହ ଗତକାଲି ରାତି 10ଟା ସୁଦ୍ଧା ଆଉ 7ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିଲା । ଏଯାବତ ଚାରି ଧାମ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ସଂଖ୍ୟା 49ରେ ପହଞ୍ଚିଛି । ଏହି ମୃତକଙ୍କ ମଧ୍ୟରେ ହୃଦରୋଗୀ ଓ ଅନ୍ୟ ରୋଗରେ ପୀଡ଼ିତ ସାମିଲ ଅଛନ୍ତି ।

ଗତବର୍ଷ ଯାଇଥିଲା 250 ଶ୍ରଦ୍ଧାଳୁଙ୍କ ଜୀବନ:- ଉତ୍ତରାଖଣ୍ଡରେ ଗତବର୍ଷ 2023ରେ ଚାରିଧାମ ଯାତ୍ରା ସମୟରେ 250ରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିଲା । ଚଳିତ ବର୍ଷ ମଧ୍ୟ ମୃତ୍ୟୁ ଜାରି ରହିଥିବା ବେଳେ 12 ଦିନରେ 49ଜଣଙ୍କ ପ୍ରାଣହାନି ଘଟିଲାଣି । ଅନ୍ୟପଟେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦାବି କରାଯାଇଛି ଯେ ଚାରିଧାମ ଯାତ୍ରା ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଇ ସେମାନଙ୍କୁ ପଠାଯାଉଛି । ଏହାସତ୍ତ୍ବେ ଶ୍ରଦ୍ଧାଳୁଙ୍କ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।

କେଦାରନାଥରେ ସବୁଠୁ ଅଧିକ ମୃତ:- ମୋଟ 49 ତୀର୍ଥଯାତ୍ରୀଙ୍କ ମଧ୍ୟରୁ କେଦାରନାଥ ଧାମରେ ମୃତକଙ୍କ ସଂଖ୍ୟା ଅଧିକ ରହିଛି । ଗତବର୍ଷ ମଧ୍ୟ କେଦାରନାଥରେ ମୃତକଙ୍କ ସଂଖ୍ୟା ଅଧିକ ରହିଥିଲା । ଚଳିତ ବର୍ଷ ମଧ୍ୟ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ପ୍ରତିଦିନ କେବଳ କେଦାରନାଥରେ 2 ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟୁଛି । କେଦାରନାଥରେ ଏଯାବତ 23ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଯମୁନୋତ୍ରି ଧାମରେ 12ଜଣ, ବଦ୍ରିନାଥରେ 11ଜଣ ଓ ଗଙ୍ଗୋତ୍ରି ଧାମରେ 3ଜଣଙ୍କ ମୃତ୍ୟୁ ଘଟିଛି ।

ଶ୍ରଦ୍ଧାଳୁଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଅପିଲ୍‌:- ଶ୍ରଦ୍ଧାଳୁଙ୍କ ମୃତ୍ୟୁକୁ ନେଇ ସଫେଇ ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ମୃତ୍ୟୁ ଘଟିଥିବା ତୀର୍ଥଯାତ୍ରୀଙ୍କ ପୂର୍ବରୁ ହୃଦରୋଗ କିମ୍ବା ଅନ୍ୟ କୌଣସି ବଡ ରୋଗରେ ପୀଡ଼ିତ ଅଛନ୍ତି । ଏଭଳି ଶ୍ରଦ୍ଧାଳୁ ଚାରିଧାମ ଯାତ୍ରାକୁ ଆସିବା ପୂର୍ବରୁ ନିଜର ଫିଟନେସ ଯାଞ୍ଚ କରିବାକୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅପିଲ୍‌ କରାଯାଇଛି । ସୂଚନା ଥାଉ କି ଚାରିଧାମ ଯାତ୍ରା ଆରମ୍ଭ ହେବା ପୂର୍ବରୁ ଉତ୍ତରାଖଣ୍ଡ ଚର୍ଚ୍ଚାରେ ରହିଛି । କେତେବେଳେ ଭିଡ଼ ତ ଅନ୍ୟ କେତେବେଳେ ଟ୍ରାଫିକ ସମସ୍ୟା ଓ ପରିଚାଳନାକୁ ନେଇ ସରକାରଙ୍କ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି ।

ପଢନ୍ତୁ ଚାରି ଧାମ ଯାତ୍ରୀ ସମ୍ବନ୍ଧୀୟ ଖବର

ଖୋଲିଲା କେଦାରନାଥ ମନ୍ଦିର; ଦେବଭୂମିରେ ଆରମ୍ଭ ହେଲା ଚାରିଧାମ ଯାତ୍ରା

ଚାରିଧାମ ଯାତ୍ରାରେ ଶ୍ରଦ୍ଧାଳୁଙ୍କ ବଢୁଛି ଭିଡ, ମେ ୧୦ରୁ ଆରମ୍ଭ ହୋଇଛି ଯାତ୍ରା

ଖୋଲିଲା ବଦ୍ରିନାଥ ମନ୍ଦିର କବାଟ, 6 ମାସ ଯାଏଁ ଦର୍ଶନ କରିପାରିବେ ଭକ୍ତ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.