ବିଶାଖାପାଟଣା: ପ୍ରଥମ ପାଳିରେ କେବଳ ୨୫୩ ରନରେ ଆଣ୍ଠେଇଲେ ଇଂଲଣ୍ଡ ବ୍ୟାଟର । ଏକାକୀ ୬ ୱିକେଟ୍ ସଫଳତା ହାସଲ କରି ପ୍ରତିପକ୍ଷ ବ୍ୟାଟରଙ୍କୁ ଧୂଳି ଚଟାଇଲେ ସ୍ପିଡ୍ଷ୍ଟାର ଯଶପ୍ରୀତ ବୁମ୍ରା । ବିଶାଖାପାଟଣାରେ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟରେ ଭାରତ ପ୍ରଥମ ପାଳିରେ ୩୯୬ ରନ କରିଥିଲା । ଜବାବରେ ଯଶପ୍ରୀତ ବୁମ୍ରାଙ୍କ ଘାତକ ବୋଲିଂ ଫଳରେ କେବଳ ୨୫୩ ରନରେ ଇଂଲଣ୍ଡର ପ୍ରଥମ ପାଳି ଶେଷ ହୋଇଛି । ତେବେ ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଦ୍ବିତୀୟ ପାଳି ବ୍ୟାଟିଂ ଆରମ୍ଭ କରି ୧୭୧ ରନ ଲିଡ୍ରେ ରହିଛି ଭାରତ ।
ଭାରତ ପ୍ରଥମ ପାଳି: ବିଶାଖାପାଟଣାରେ ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଭାରତୀୟ ଅଧିନାୟକ ରୋହିତ ଶର୍ମା । ଯଦିଓ ଦଳକୁ ଯୁବ ଓପନର ଯଶସ୍ବୀ ଜୟସ୍ବାଲ ଭଲ ଆରମ୍ଭ ଦେଇଥିଲେ, ରୋହିତ କେବଳ ୧୪ ରନ କରି ଆଉଟ୍ ହୋଇଥିଲେ । ତେବେ ପ୍ରଥମ ପାଳିରେ କୌଣସି ଭାରତୀୟ ବ୍ୟାଟର ଅର୍ଦ୍ଧଶତକ ମଧ୍ୟ ହାସଲ କରିବାରେ ସକ୍ଷମ ହୋଇନଥିଲେ । ହେଲେ ଏକାକୀ ଯୁବ ତାରକା ଯଶସ୍ବୀ ଜୟସ୍ବାଲ ଦ୍ବିଶତକ କରି ଇଂଲଣ୍ଡ ବିପକ୍ଷରେ ଭାରତକୁ ଦୃଢ଼ ସ୍ଥିତିକୁ ନେଇଥିଲେ । ସେ ୨୯୦ ବଲରୁ ୧୯ ଚୌକା ଓ ୭ ଛକା ବଳରେ ୨୦୯ ରନ ସଂଗ୍ରହ କରିଥିଲେ । ଜୟସ୍ବାଲଙ୍କ ସହ ଅନ୍ୟାନ୍ୟ ଛୋଟ ଛୋଟ ଭାଗିଦାରୀ ବଳରେ ଭାରତ ପ୍ରଥମ ପାଳିରେ ୩୯୬ ରନ କରିବାରେ ସକ୍ଷମ ହୋଇଥିଲା ।
ଇଂଲଣ୍ଡ ପ୍ରଥମ ପାଳି: ଆଜି (ଶନିବାର) ଦ୍ବିତୀୟ ଦିନରେ ଭାରତ ଅଲ୍ ଆଉଟ୍ ହେବାପରେ ପ୍ରଥମ ପାଳି ବେଶ ଆକ୍ରାମକ ଭାବେ ଆରମ୍ଭ କରିଥିଲା ଇଂଲଣ୍ଡ । ଦଳ ପକ୍ଷରୁ ଏକାକୀ ଓପନର ଜ୍ୟାକ୍ କ୍ରାଓଲି ସର୍ବାଧିକ ୭୬ ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କେବଳ ଅଧିନାୟକ ବେନ୍ ଷ୍ଟୋକ୍ସ ୪୭ ରନ କରିବାରେ ସକ୍ଷମ ହୋଇଥିଲେ । ଅନ୍ୟ କୌଣସି ବ୍ୟାଟର ୩୦ ରନ ମଧ୍ୟ କରିପାରିନଥିଲେ । ଫଳରେ ୨୫୩ରେ ସମସ୍ତ ୱିକେଟ୍ ହରାଇଛି ଇଂଲଣ୍ଡ । ଭାରତ ପ୍ରଥମ ପାଳିରେ ୩୯୬ ରନ କରିଥିବାବେଳେ ୧୪୩ ରନ ପଛରେ ରହିଯାଇଛି ଇଂଲଣ୍ଡ ।