ନିଆଳିରେ ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ, କ୍ଷତିପୂରଣ ଦାବିରେ ରାସ୍ତାରୋକ

By ETV Bharat Odisha Team

Published : Sep 1, 2023, 12:59 PM IST

thumbnail


ନିଆଳି: ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ । କ୍ଷତିପୂରଣ ଦାବିରେ ମେଡିକାଲ ସାମ୍ନାରେ ମୃତଦେହ ରଖି ରାସ୍ତାରୋକ କଲେ ପରିବାର ଲୋକେ । କଟକ ଜିଲ୍ଲା ନିଆଳି ଥାନା ବଙ୍ଗାଳିସାହି ଅଞ୍ଚଳରୁ ଏହି ଘଟଣା ସାମ୍ନାକୁ ଆସିଛି । ବଙ୍ଗାଳିସାହି ଛକ ଠାରେ ଥିବା ଏକ ଘରୋଇ ହସ୍ପିଟାଲରେ ଜଣେ ମହିଳା ରୋଗୀଙ୍କ ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବା ତାଙ୍କର ପରିବାର ଲୋକ ଅଭିଯୋଗ କରିଛନ୍ତି । ମୃତକ ହେଲେ ବାଲିପାଟନା ଥାନା ଭାପୁର ଦଳିତ ସାହିର ଦୁର୍ଯ୍ୟୋଝନ ମଲ୍ଲିକଙ୍କ ପତ୍ନୀ ସୁଜାତା ମଲ୍ଲିକ(୨୬)  । ତାଙ୍କର ଗୋଟିଏ ଦେଢ ବର୍ଷର ପୁତ୍ରସନ୍ତାନ ଅଛି । 

ସୂଚନା ଅନୁଯାୟୀ, ସୁଜାତା ମଲ୍ଲିକ ଷ୍ଟୋନ ଅପରେସନ ପାଇଁ ଗତ ସୋମବାର ଦିନ ବଙ୍ଗାଳିସାହି ସ୍ଥିତ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପରଦିନ ଅର୍ଥାତ ମଙ୍ଗଳବାର ଦିନ ଅପରେସନ ହୋଇଥିଲା । ବୁଧବାର ସୁଜାତାଙ୍କ ଦେହ ଅସୁସ୍ଥ ହେବାରୁ ଘରୋଇ ମେଡିକାଲ କର୍ତ୍ତୃପକ୍ଷ ଅଧିକ ଚିକିତ୍ସା ପାଇଁ କଟକ ବଡ ମେଡିକାଲ ରେଫର କରିଥିଲେ । ସେଠାରେ ସୁଜାତାଙ୍କ ମୃତ୍ୟୁ ହୋଇଥିଲା । ମୃତଦେହ କଟକ ବଡ ମେଡିକାଲରେ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର ହୋଇଥିଲା । ତେବେ ସୁଜାତାଙ୍କ ମୃତ୍ୟୁ ଚିକିତ୍ସା ଅବହେଳାରୁ ହୋଇଥିବା ଅଭିଯୋଗ ଆଣି କ୍ଷତିପୂରଣ ଦାବିରେ ପରିବାର ଲୋକେ ସମ୍ପୃକ୍ତ ଘରୋଇ ମେଡିକାଲ ସାମ୍ମୁଖ ରାସ୍ତାରେ ମୃତଦେହ ରଖି ରାସ୍ତାରୋକ କରିଥିଲେ । 

ଏହାମଧ୍ୟ ପଢନ୍ତୁ: ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ଭଦ୍ରକ ହସ୍ପିଟାଲରେ ଉତ୍ତେଜନା

ଖବର ପାଇ ନିଆଳି ପୋଲିସ ଓ ନିଆଳି ତହସିଲଦାର ଘଟଣାସ୍ଥଳରେ ପହଞ୍ଚିଥିଲେ । ମୃତକଙ୍କ ପରିବାର ଲୋକଙ୍କୁ ସହିତ ପୋଲିସ, ତହସିଲଦାର ଓ ମେଡିକାଲ୍ କର୍ତ୍ତୃପକ୍ଷ ଆଲୋଚନା କରିବା ପରେ ଘଟଣାର ସମାଧାନ ହୋଇଥିଲା । ମେଡିକାଲ କର୍ତ୍ତୃପକ୍ଷ ମୃତକଙ୍କ ସ୍ବାମୀ ଓ ଦେଢ ବର୍ଷର ପୁଅ ନାମରେ ଏକ ଲକ୍ଷ ଟଙ୍କା ଏକ ଫିକ୍ସ ଡିପୋଜିଟ ରଖିବା ପାଇଁ ଚୁକ୍ତି ହୋଇଥିଲା । ଯଦି ପରବର୍ତ୍ତୀ କାଳରେ ଚିକିତ୍ସାରେ ଅବହେଳା ପ୍ରମାଣ ମିଳେ ମେଡିକାଲ୍ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି  । ତେବେ ବୁଝାମଣା ହେବା ପରେ ପରିବାର ଲୋକେ ମେଡିକାଲ ସାମ୍ନାରୁ ମୃତଦେହ ଉଠାଇଛନ୍ତି  । ଏନେଇ ମେଡିକାଲ୍ କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି  ।

ଇଟିଭି ଭାରତ, ନିଆଳି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.