ETV Bharat / state

ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ଭଦ୍ରକ ହସ୍ପିଟାଲରେ ଉତ୍ତେଜନା

author img

By ETV Bharat Odisha Team

Published : Aug 24, 2023, 2:09 PM IST

ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସମ୍ପର୍କୀୟଙ୍କ ଉତ୍ତେଜନା । ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ । ଅଧିକ ପଢନ୍ତୁ

patient died allegedly due to negligence of doctor
patient died allegedly due to negligence of doctor

patient died allegedly due to negligence of doctor

ଭଦ୍ରକ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅଭାବରୁ ପୁଣି ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ଡାକ୍ତରଙ୍କ ଚିକିତ୍ସା ଅବହେଳା ଯୋଗୁଁ ପୁଣି ଜଣେ ମହିଳାଙ୍କ ମୃତ୍ୟୁକୁ ନେଇ ମେଡ଼ିକାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି । ବାରମ୍ବାର ଏପରି ଘଟଣା ସାମ୍ନାକୁ ଆସୁଥିଲେବି ସ୍ୱାସ୍ଥ୍ୟ ବିଭାଗ କି ଜିଲ୍ଲା ପ୍ରଶାସନ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ମୃତ ମହିଳା ହେଉଛି ଚରମ୍ପା ଡଗରା ସାହି ଅଞ୍ଚଳର ବିଜୟ ଲକ୍ଷ୍ମୀ ମହାନ୍ତି।

କୌଣସି କାରଣରୁ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ପରିବାର ଲୋକ ମାନେ ତାଙ୍କୁ ଚିକିତ୍ସା ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ପରେ ସେ ଆସ୍ଥମା ରୋଗରେ ପୀଡିତ ଥିବା ଜଣାପଡିଥିଲା । ପ୍ରଥମେ ଆଉଟ ଡୋର ଠାରେ ତାଙ୍କର ସମସ୍ତ ପ୍ରାଥମିକ ଚିକିତ୍ସା କରାଯିବା ସହ ଅକ୍ସିଜେନ ଲଗାଯାଇଥିଲା । ଫଳରେ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିଲା । ପରେ ତାଙ୍କୁ ୱାର୍ଡ଼ରେ ଥିବା ବେଡ଼କୁ ନେବା ସହ ଏକ ଇଞ୍ଜେକ୍ସନ ଦେବା ପାଇଁ ତିନି ମହଲାକୁ ବିନା ଅକ୍ସିଜେନରେ ନିଆ ଯାଇଥିଲା । କିନ୍ତୁ ପରିବାର ଲୋକେ ଏହାକୁ ବାରଣ କରିଥିଲେ ମଧ୍ୟ ମେଡିକାଲ କର୍ମଚାରୀ ମାନେ ଶୁଣି ନଥିଲେ ।

ଏହା ମଧ୍ୟ ପଢନ୍ତୁ-ଅପରେସନ ସମୟରେ ରୋଗୀ ମୃତ୍ୟୁ ଅଭିଯୋଗ, ସାଳନ୍ଦୀ ହସ୍ପିଟାଲରେ ଉତ୍ତେଜନା

ଅକ୍ସିଜେନ ଖୋଲିବାରୁ ମହିଳା ଜଣଙ୍କ ଅସୁସ୍ଥ ଅନୁଭବ କରିଥିଲେ। ଏନେଇ ୱାର୍ଡ଼ରେ ଥିବା ନର୍ସଙ୍କୁ ପରିବାର ଲୋକେ ତୁରନ୍ତ ଅକ୍ସିଜେନ ବ୍ୟବସ୍ଥା ଯୋଗାଇ ଦେବା ସହିତ ଡାକ୍ତରଙ୍କୁ ଡାକିବା ପାଇଁ ଗୁହାରି କରିଥିଲେ । ହେଲେ ଡାକ୍ତର 30 ମିନିଟରୁ ଉର୍ଦ୍ଧ୍ବ ସମୟ ପରେ ଆସିବାରୁ ସେତେ ବେଳକୁ ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା । ରୋଗୀଙ୍କୁ ଅକ୍ସିଜେନ ନଦେବା ଓ ଡାକ୍ତରଙ୍କ ଖାମଖିଆଲି ମନୋଭାବ ଯୋଗୁଁ ମହିଳାଙ୍କ ମୃତ୍ୟୁ ହୋଇଥିବା ତାଙ୍କ ପୁଅ ମନୋଜ ମହାନ୍ତି ଅଭିଯୋଗ କରିଛନ୍ତି ।

ଡାକ୍ତର ଏବଂ ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗରେ ମେଡିକାଲ ପରିସରରେ କିଛି ସମୟ ପାଇଁ ତୀବ୍ର ଉତ୍ତେଜନା ଦେଖା ଦେଇଥିଲା । ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ପରିବାର ଲୋକ ମାନଙ୍କୁ ବୁଝାସୁଝା କରି ସ୍ଥିତିକୁ ଆୟତ୍ତ କରିଥିଲା । ପରେ ପରିବାର ଲୋକେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.