ବାଲିଯାତ୍ରାରେ କିନ୍ନର ହେଉଛନ୍ତି ସ୍ୱାବଲମ୍ବୀ, ଷ୍ଟଲରେ ଜମୁଛି ଗ୍ରାହକଙ୍କ ଭିଡ଼

By ETV Bharat Odisha Team

Published : Dec 1, 2023, 9:12 PM IST

thumbnail

କଟକ: ଐତିହାସିକ ବାଲିଯାତ୍ରାରେ ସବୁ ଷ୍ଟଲ୍ ଗୁଡ଼ିକ ମଧ୍ୟରେ ନିଆରା ରହିଛି କିନ୍ନରମାନଙ୍କର ଷ୍ଟଲ୍ । ଜଡ଼ିବୁଟି ଠାରୁ ଆରମ୍ଭ କରି ଘର କରଣା ଜିନିଷ ପତ୍ର ସବୁ ବ୍ୟବସାୟ କରାଯାଉଛି ଏହି ଷ୍ଟଲରେ । ଏହି ଷ୍ଟଲ୍ ଗୁଡ଼ିକୁ ବୁଲିବା ସହ ବେଶ୍ କିଣାକିଣି କରିବା ସହ କିନ୍ନରମାନଙ୍କର ଏହି ଉଦ୍ୟମକୁ ବେଶ୍ ପ୍ରଶଂସା କରିଛନ୍ତି ବାଲିଯାତ୍ରାକୁ ଆସୁଥିବା ଦର୍ଶକ । ବର୍ତ୍ତମାନ ସମୟରେ କିନ୍ନରଙ୍କୁ ରାଜ୍ୟ ସରକାର ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ବିଭିନ୍ନ ପ୍ରକାରର ଉଦ୍ୟମ ଆରମ୍ଭ କରିଛନ୍ତି । ଯାହାର ସିଧା ସଳଖ ପ୍ରତିଫଳନ ଦେଖିବାକୁ ମିଳିଛି କିନ୍ନରଙ୍କର ସଫଳତା ଦିଗରେ ।  

ସେହିଭଳି କଟକ ବାଲିଯାତ୍ରାର ରାଜ୍ୟ ସ୍ତରୀୟ ଭିନ୍ନକ୍ଷମ ଓ କିନ୍ନର ସଶକ୍ତିକରଣ ମେଳାରେ କିନ୍ନରମାନଙ୍କର ଦ୍ଵାରା ଲଗାଯାଇଥିବା ଷ୍ଟଲ୍ ଗୁଡ଼ିକରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ବାଲିଯାତ୍ରାକୁ ଆସୁଥିବା ଲକ୍ଷ ଲକ୍ଷ ଲୋକ ବିଶେଷ ଭାବରେ ଘରକରଣା ଜିନିଷ କିଣାକିଣି କରିଥାଆନ୍ତି । ଏନେଇ କଟକ ତଳ ବାଲିଯାତ୍ରା ପଡ଼ିଆରେ କିନ୍ନରମାନେ ଘରକରଣା ସାମଗ୍ରୀ ଚେର ମୂଳି, ଜଡ଼ି ବୁଟି ଇତ୍ୟାଦିର ଷ୍ଟଲ୍ ଲଗାଇଛନ୍ତି । ଅଧିକାଂଶ ଜିନିଷ ନିଜ ହାତରେ କିନ୍ନରମାନେ ତିଆରି କରି ଏଠାରେ ବ୍ୟବସାୟ କରୁଛନ୍ତି । ଜିଲ୍ଲା ପ୍ରଶାସନର ପ୍ରୋତ୍ସାହନରେ ପାଖାପାଖି ୧୦ ଟି କିନ୍ନର ଗ୍ରୁପ୍ ପକ୍ଷରୁ ବିଭିନ୍ନ ଷ୍ଟଲ୍ ଲଗାଯାଇଛି ।  

ଏହା ମଧ୍ୟ ପଢ଼ନ୍ତୁ....ଆଜି ଅସଲ ଛାଡଖାଇ, ଆମିଷ ଷ୍ଟଲରେ ଖଚାଖଚ୍‌ ଭିଡ

ସମାଜରୁ ମୁଖ୍ୟ ସ୍ରୋତକୁ ଆସି ଲୋକଙ୍କ ସହ ମିଶିବାକୁ ସୁଯୋଗ ମିଳିଥିବାରୁ କିନ୍ନରମାନେ ବେଶ୍ ଖୁସି ପ୍ରକଟ କରିଛନ୍ତି  । ଅନ୍ୟପଟେ ଏହି ଷ୍ଟଲ୍ ଗୁଡିକରେ ଲୋକଙ୍କ ଭିଡ ମଧ୍ୟ ଭଲ ଜମିବାରେ ଲାଗୁଛି । ବିଶେଷ କରି ଷ୍ଟଲ୍, ପାପୋଛ, ଓଢ଼ଣୀ, ଘର ସାଜ୍ଜସଜା  ଜିନିଷ ଆଦିକୁ ବେଶ୍ ପସନ୍ଦ କରୁଛନ୍ତି ଗ୍ରାହକ ।  ସମସ୍ତେ  ନିଜ ମନ ପସନ୍ଦର ଜିନିଷ ପତ୍ରକୁ ମଧ୍ୟ କିଣୁଛନ୍ତି । ଏହାସହ କିନ୍ନରମାନଙ୍କର ଏକ ଭିନ୍ନ ଦୁନିଆ ଥିବା ବେଳେ ତାଙ୍କ ସହ ମିଶିବା ପାଇଁ ସମସ୍ତଙ୍କୁ ସୁଯୋଗ ମିଳୁନଥିଲା । ବର୍ତ୍ତମାନ ମିଶିବାକୁ ସୁଯୋଗ ମିଳିଥିବା ସହ ସେମାନେ ସ୍ବାବଲମ୍ବୀ ହୋଇ ପାରୁଥିବା ଏବଂ କିନ୍ନରଙ୍କ ଷ୍ଟଲ୍ର ସାମଗ୍ରୀ ଗୁଡ଼ିକୁ ମଧ୍ୟ ବେଶ୍ ପ୍ରଶଂସା କରୁଛନ୍ତି ପର୍ଯ୍ୟଟକ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.