ETV Bharat / state

ଅନୁଭବ ମହାନ୍ତିଙ୍କୁ ଆଶ୍ୱସ୍ତି, NBW ଉପରେ ରୋକ ଲଗାଇଲେ ହାଇକୋର୍ଟ - Anubhav Mohanty

author img

By ETV Bharat Odisha Team

Published : May 16, 2024, 12:38 PM IST

Anubhav Mohanty NBW Issued: ସାଂସଦ ଅନୁଭବ ମହାନ୍ତିଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି । କଟକ ଜେଏମଏଫସି (MP /MLA) ସ୍ୱତନ୍ତ୍ର କୋର୍ଟ ଲଗାଇଥିବା ଜାମିନ ବିହୀନ ଗିରଫ ପରଓ୍ୱାନା ଉପରେ ରୋକ ଲଗାଇଛନ୍ତି ଓଡ଼ିଶା ହାଇକୋର୍ଟ । ଅଧିକ ପଢନ୍ତୁ,

ସାଂସଦ ଅନୁଭବ ମହାନ୍ତିଙ୍କୁ ହାଇକୋର୍ଟଙ୍କ ଆଶ୍ୱସ୍ତି, NBW ଉପରେ ରୋକ ଲଗାଇଲେ କୋର୍ଟ
ସାଂସଦ ଅନୁଭବ ମହାନ୍ତିଙ୍କୁ ହାଇକୋର୍ଟଙ୍କ ଆଶ୍ୱସ୍ତି, NBW ଉପରେ ରୋକ ଲଗାଇଲେ କୋର୍ଟ (ETV Bharat Odisha)

ସାଂସଦ ଅନୁଭବ ମହାନ୍ତିଙ୍କ NBW ଉପରେ ରୋକ ଲଗାଇଲେ ହାଇକୋର୍ଟ (ETV Bharat Odisha)

କଟକ: ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି । ଜାମିନ ବିହୀନ ଗିରଫ ପରଓ୍ୱାନା(NBW) ଉପରେ ରୋକ ଲଗାଇଛନ୍ତି ଓଡ଼ିଶା ହାଇକୋର୍ଟ ଅର୍ଥାତ ଏଣିକି ଆଉ ଗିରଫ ହେବେନି ଅନୁଭବ । ବର୍ଷା ଦାୟର କରିଥିବା ନିର୍ଯାତନା ମାମଲାରେ ଅନୁଭବ କୋର୍ଟରେ ହାଜର ହୋଇ ନଥିବାରୁ ସ୍ୱତନ୍ତ୍ର JMFC କୋର୍ଟ(MLA/MP) NBW ଜାରି କରିଥିଲେ । ଯାହାକୁ ଚାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଅନୁଭବ । ବର୍ତ୍ତମାନ ଏହାର ଶୁଣାଣି କରି ଉଚ୍ଚ ନ୍ୟାୟାଳୟ ଜାମିନ ବିହୀନ ପରୱାନା ଉପରେ ରହିତାଦେଶ ଲଗାଇଛନ୍ତି । ତେବେ ଅନୁଭବଙ୍କୁ ପୋଲିସ ଆଉ ଗିରଫ କରିପାରିବ ନାହିଁ ।

ସୂଚନା ଅନୁସାରେ, ମେ ୧୩ ତାରିଖରେ ଅନୁଭବ ମହାନ୍ତିଙ୍କ ବିରୋଧରେ NBW ଜାରି କରିଥିଲେ କଟକ JMFC କୋର୍ଟ । ଅଭିନେତ୍ରୀ ତଥା ପୂର୍ବତନ ପତ୍ନୀ ଏବଂ ବିଜେଡି ପ୍ରାର୍ଥିନୀ ବର୍ଷା ପ୍ରିୟଦର୍ଶିନୀଙ୍କ ଏତଲା ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ କୋର୍ଟ । ଚାର୍ଜଫ୍ରେମ୍‌ ପାଇଁ ବାରମ୍ୱାର ହାଜର ନହେବାରୁ ଜାମିନ ବିହୀନ ପରୱାନା ଜାରି କରିଥିଲେ କଟକ ଜେଏମଏଫସି (MP /MLA) ସ୍ୱତନ୍ତ୍ର କୋର୍ଟ । ଏଥିପାଇଁ ପୁରୀଘାଟ ଥାନା ପୋଲିସକୁ କୋର୍ଟ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ ଏବଂ ଆସନ୍ତା ୨୩ ତାରିଖରେ ପରବର୍ତ୍ତୀ ଶୁଣାଣି ବେଳେ ଅନୁଭବ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ସୂଚନା ଥାଉ କି, ୨୦୨୦ ମସିହାରେ ଅଭିନେତ୍ରୀ ତଥା ପୂର୍ବତନ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ପୁରୀଘାଟ ଥାନାରେ ଅନୁଭବ ଓ ତାଙ୍କ ଦୁଇ ସହଯୋଗୀଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗରେ ଏତଲା ଦେଇଥିଲେ । ପୋଲିସ ଭାରତୀୟ ଦଣ୍ଡ ସଂହିତା (ଆଇପିସିର) ଦଫା-୪୯୮(କ), ୩୪୧, ୫୦୬ ଓ ୩୪ ଅନୁସାରେ ଅନୁଭବ ଓ ତାଙ୍କର ଅନ୍ୟ ଦୁଇଜଣ ସହଯୋଗୀ ଖଗେନ୍ଦ୍ର ସାହୁ ଓ ସୁଜିତ ଦଳାଇଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ତଦନ୍ତ ପରେ ଅନୁଭବ ଓ ଅନ୍ୟମାନଙ୍କ ବିରୋଧରେ ୨୦୨୩ ମସିହା ଡିସେମ୍ବର ୧୮ ତାରିଖରେ ପୋଲିସ ପ୍ରଥମେ ଚାର୍ଜସିଟ ଦାଖଲ କରିଥିଲା ।

ଉପଯୁକ୍ତ ପ୍ରମାଣ ନଥିବାରୁ ଏହି ମାମଲାରୁ ତାଙ୍କୁ ଡିସଚାର୍ଜ କରାଯାଉ ବୋଲି ଦର୍ଶାଇ ଅନୁଭବଙ୍କ ତରଫରୁ ଏକ ଡିସଚାର୍ଜ ପିଟିସନ ଦାଖଲ କରାଯାଇଥିଲା । ଅନୁଭବଙ୍କ ପିଟିସନକୁ ସରକାରଙ୍କ ପକ୍ଷରୁ ବିରୋଧ କରାଯାଇଥିଲା । ଯାହା ପରେ କୋର୍ଟ ଏହାର ଶୁଣାଣି କରି ମାମଲାକୁ ଖାରଜ କରିବା ସହ ଚାର୍ଜଫ୍ରେମ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଏବଂ ମାମଲାର ଶୁଣାଣି ସମୟରେ ସେମାନେ ଅଦାଲତରେ ବ୍ୟକ୍ତିଗତ ଭାବେ ହାଜର ହେବେ ବୋଲି ମଧ୍ୟ କୋର୍ଟ ନିର୍ଦ୍ଦେଶରେ ସ୍ପଷ୍ଟ କରିଥିଲେ । ଗତ ମେ ୧୦ରେ ଚାର୍ଜଫ୍ରେମ ପାଇଁ କୋର୍ଟ ତାଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ବାରମ୍ୱାର ଅନୁଭବ ବ୍ୟକ୍ତିଗତ କାରଣ ଦର୍ଶାଇ କୋର୍ଟରେ ହାଜର ହୋଇନଥିଲେ । ଯାହା ପରେ କୋର୍ଟର ସମୟ ନଷ୍ଟ ଏବଂ ଚାର୍ଜଫ୍ରେମ ପାଇଁ ହାଜର ନ ହେବାରୁ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ କୋର୍ଟ ।



ଏହା ମଧ୍ୟ ପଢନ୍ତୁ: ଇସ୍ତଫା ଦେବାପରେ ମୁହଁ ଖୋଲିଲେ ଅନୁଭବ: ସିଧା କହିଲେନି, BJP ଆଡକୁ ଦେଲେ ପରୋକ୍ଷ ଇସାରା


ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.