ସନ୍ଦେହଜନକ ଅବସ୍ଥାରେ ଛାତ୍ରଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ଚାଲିଛି ତଦନ୍ତ

By ETV Bharat Odisha Team

Published : Oct 19, 2023, 10:38 PM IST

thumbnail

ସମ୍ବଲପୁର: ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଅମୃତ ବିହାର ସ୍ଥିତ ଟ୍ରଷ୍ଟ ଫଣ୍ଡ ହଷ୍ଟେଲରେ ରହୁଥିବା ଜଣେ ଛାତ୍ରଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଠାବ । ଛାତ୍ର ଜଣକ +୩ ବାଣିଜ୍ୟ ବିଭାଗରେ ପଢ଼ୁଥିବା ଘନଶ୍ୟାମ କରୁଆଁ । ଘନଶ୍ୟାମଙ୍କ ଘର କଳାହାଣ୍ଡି ଜିଲ୍ଲା ନର୍ଲା ଅଞ୍ଚଳରେ ବୋଲି ଜଣାପଡିଛି । ଛାତ୍ରଙ୍କ ସାଙ୍ଗମାନଙ୍କ କହିବା ଅନୁଯାୟୀ, ଆଜି ସନ୍ଧ୍ୟା ପ୍ରାୟ ୬ଟା ସମୟରେ ସେ ରୁମ ଭିତରକୁ ଯାଇ କବାଟ ବନ୍ଦ କରି ଦେଇଥିଲେ । ଦୀର୍ଘ ସମୟ ଧରି କବାଟ ନଖୋଲିବାରୁ ସେମାନେ ଏନେଇ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ତୁରନ୍ତ କର୍ତ୍ତୃପକ୍ଷ ପୋଲିସକୁ ଫୋନ କରି ସୂଚନା ଦେଇଥିଲେ । ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗିଥିଲା । ରୁମ ଭିତରେ ଘନଶ୍ୟାମର ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର କରିଥିଲା ପୋଲିସ । ତେବେ ରାତି ହୋଇଥିବାରୁ ମୃତଦେହକୁ ହଷ୍ଟେଲରେ ହିଁ ରଖା ଯାଇଥିବା ସୂଚନା ଦେଇଛନ୍ତି ହଷ୍ଟେଲ କର୍ତ୍ତୃପକ୍ଷ । ଆସନ୍ତାକାଲି ସକାଳେ ମୃତକଙ୍କ ପରିବାର ବର୍ଗ ଆସିବା ପରେ ମୃତଦେହ ପଞ୍ଚନାମା କରାଯିବ । ସେପଟେ ଏଭଳି ଘଟଣାକୁ ନେଇ ଛାତ୍ରମାନଙ୍କ ମଧ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ତେବେ ଏହା ଏକ ଆତ୍ମହତ୍ୟା ନା ହତ୍ୟା ତାହା ସ୍ପଷ୍ଟ ହୋଇନାହିଁ l ତଦନ୍ତ ପରେ ଏହାର କାରଣ ଜଣା ପଡିବ ବୋଲି କହିଛନ୍ତି ଟାଉନ ଥାନା ଅଧିକାରୀ । 

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.