ETV Bharat / state

ଶିମିଳିପାଳ ଅଭୟାରଣ୍ୟ ଦନ୍ତାହାତୀ ଶିକାର, କାଟି ନେଲେ ଦୁଇଟି ଦାନ୍ତ

author img

By

Published : May 1, 2023, 2:23 PM IST

Etv Bharat
Etv Bharat

ପୁଣି ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଦନ୍ତାହାତୀ ଶିକାର । ହାତୀକୁ ହତ୍ୟା ପରେ ଦାନ୍ତ କାଟି ନେଲେ ଶିକାରୀ । ଅଧିକ ପଢନ୍ତୁ

ରାଇରଙ୍ଗପୁର: ଶିମିଳିପାଳ ଅଭୟାରଣ୍ୟରେ ମାତିଲେ ହାତୀଦାନ୍ତ ଶିକାରୀ । ହାତୀକୁ ହତ୍ୟାପରେ ଦାନ୍ତ କାଟି ନେଇଗଲେ ଶିକାରୀ । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଧୁଡରୁଚମ୍ପା ରେଞ୍ଜର ନେଙ୍କଡାନଚା ବିଟରେ ଶିକାରୀମାନେ ଏପରି କାଣ୍ଡ ଭିଆଇଥିବା ଜଣାପଡିଛି । ପ୍ରାକ୍ତନ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଭାନୁମିତ୍ର ଆଚାର୍ଯ୍ୟ ଏନେଇ ସୂଚନା ଦେଇଛନ୍ତି ।

ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଦକ୍ଷିଣ ଉପନିର୍ଦ୍ଦେଶକ ସମ୍ରାଟ ଗୌଡା କହିଛନ୍ତି ଯେ, "ବନ ବିଭାଗ ଅଧିକାରୀଙ୍କ ତଦନ୍ତ ଜାରି ରହିଛି । ଘଟଣାର ସତ୍ୟାସତ୍ୟ ଜଣାପଡିବା ପରେ ସଠିକ୍ ତଥ୍ୟ ଦିଆଯିବ। '' ସେପଟେ ଖବର ପାଇ ଭୁବନେଶ୍ୱର ପିସିସିଏଫଙ୍କ କାର୍ଯ୍ୟାଳୟରୁ ଡିସିଏଫ ଯୁଗ୍ମ ଟାସ୍କଫୋର୍ସ ସହିତ ଘଟଣା ସ୍ଥଳକୁ ଆସିଥିବା ସୂଚନା ମିଳିଛି । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡ. ପ୍ରକାଶ ଚାନ୍ଦ ଗୋଗେନାନୀ ଘଟଣାସ୍ଥଳରେ ଉପସ୍ଥିତ ମଧ୍ୟ ଅଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଜଙ୍ଗଲରୁ କଲେଜ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

ସୂଚନାଯୋଗ୍ୟ ଯେ, ଗତ ୨ ସପ୍ତାହ ପୂର୍ବରୁ ବନବିଭାଗ ପକ୍ଷରୁ ୪ଟି ହାତୀଦାନ୍ତ ଜବତ ସହିତ ଜଣେ ଶିକାରୀକୁ ଗିରଫ କରା ଯାଇଥିଲା । ତେବେ ଘଟଣାରେ ଜଡ଼ିତ ଅନ୍ୟ ୩ ଜଣ ଶିକାରୀ ବର୍ତ୍ତମାନ ସୁଦ୍ଧା ଫେରାର ଅଛନ୍ତି । ବନବିଭାଗ ପକ୍ଷରୁ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ କଡ଼ା ପାଟ୍ରୋଲିଂ ହେଉଥିବା ବେଳେ ବନବିଭାଗ କର୍ମଚାରୀଙ୍କୁ ଖୁଲମଖୁଲା ଚ୍ୟାଲେଞ୍ଜ ଦେଇ ଶିକାରୀମାନେ ଗୋଟିଏ ପରେ ଗୋଟିଏ କାଣ୍ଡ ଭିଆଇବାରେ ଲାଗିଛନ୍ତି । ଯା‌ହାକି ବନବିଭାଗର କାର୍ଯ୍ୟ ଆଡକୁ ଆଙ୍ଗୁଠି ନିର୍ଦ୍ଦେଶ କରୁଛି ।

ଏହା ମଧ୍ୟ ପଢନ୍ତୁ-ସ୍ୱାସ୍ଥ୍ୟସେବାରେ ସାମିଲ ହେଲେ ସ୍ବୟଂ ସହାୟକ ଗୋଷ୍ଠୀ, ସିଟି ହସ୍ପିଟାଲରେ ଆରମ୍ଭ ହେଲା ଯୋଜନା

ଗତ ଫେବୃଆରୀ ମାସରେ ଗୁରୁଣ୍ଡିଆ ଓ ପିଠାବଟା ରେଞ୍ଜ୍‌ ଅନ୍ତର୍ଗତ ବାଲିଖାଳ ନିକଟସ୍ଥ ଜଙ୍ଗଲରେ ଏକ ଦନ୍ତାହାତୀକୁ ହତ୍ୟା କରିବା ସହିତ ଦାନ୍ତ କାଟି ନେଇ ଯାଇଥିଲେ ଶିକାରୀ। ଦୁଇଟି ଘଟଣାକୁ ବନବିଭାଗ ଗୁରୁତ୍ୱର ସହ ଗ୍ରହଣ କରି ତଦନ୍ତ କରିବା ସହିତ ଶିକାରୀମାନଙ୍କୁ ଧରିବା ପାଇଁ ଏକ ସ୍ବତନ୍ତ୍ର ଟିମ୍ ମଧ୍ୟ ଗଠନ କରାଯାଇଥିଲା । ଦୁଇଟି ହାତୀ ମୃତ୍ୟୁ ଘଟଣାରେ ଚାରୋଟି ହାତୀ ଦାନ୍ତ ଉଦ୍ଧାର କରିବା ସହିତ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା । ଏହି ଘଟଣାରେ ସମ୍ପୃକ୍ତ ଥିବା ଆଉ ୩ ଜଣ ଖସି ପଳାଇ ଯିବାରେ ସକ୍ଷମ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ- କୁମ୍ଭୀର ପ୍ରଜନନ ସମୟ, ଆଜିଠାରୁ 3ମାସ ଭିତରକନିକା ବନ୍ଦ

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.