ETV Bharat / state

ତଦନ୍ତକାରୀ ଟିମ୍ ଜାଲରେ ଫସିଥିଲେ ବଡ଼ ବଡ଼ିଆ, ଟଙ୍କାର ପାହାଡ଼ ଦେଖି ତାଜୁବ ରାଜ୍ୟବାସୀ

author img

By ETV Bharat Odisha Team

Published : Dec 29, 2023, 2:35 PM IST

Updated : Dec 29, 2023, 2:44 PM IST

ଓଡିଶାରେ ରେଡ
Major raid in Odisha

Major raid in Odisha: ଇଡି, ଭିଜିଲାନ୍ସ ଓ ଆୟକର ବିଭାଗ ଜାଲରେ ଫସିଥିଲେ ବଡ ବଡିଆ ବାବୁ । ରେଡ ବେଳେ ଜବତ ହୋଇଥିଲା କୋଟି କୋଟି ଟଙ୍କା । ଟଙ୍କାର ପାହାଡ଼ ଦେଖି ତାଜୁବ ହୋଇଥିଲେ ରାଜ୍ୟବାସୀ । ନଜର ପକାନ୍ତୁ ଚଳିତବର୍ଷ ରାଜ୍ୟରେ ହୋଇଥିବା କିଛି ବଡ଼ ଧରଣର ରେଡ୍ ଉପରେ । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ଆଉ ମାତ୍ର ଦୁଇ ଦିନ । ଶେଷ ହୋଇଯିବ ବର୍ଷ ୨୦୨୩ । ଚଳିତ ବର୍ଷ ଇଡି, ଭିଜିଲାନ୍ସ, ଆୟକର ବିଭାଗ ଓ ସିବିଆଇ ଜାଲରେ ଛନ୍ଦି ହୋଇଥିଲେ ଅନେକ ବଡ ବଡ ବ୍ୟବସାୟୀ ଓ ସରକାରୀ ବାବୁ । ଚଢାଉ ସମୟରେ ଜବତ ହୋଇଥିଲା କୋଟି କୋଟି ଟଙ୍କା । ଟିକସ ଫାଙ୍କିବା ଓ ଆୟ ବହିର୍ଭୂତ୍ତ ସମ୍ପତ୍ତି ଅଭିଯୋଗରେ ଛାନ ଭିନ ସମୟରେ ଟଙ୍କାର ପାହାଡ ଦେଖି ଛାନିଆ ହୋଇପଡିଥିଲେ ତଦନ୍ତକାରୀ ଟିମ । ପର୍ସ, ଆଲମାରୀ ଓ ବସ୍ତାରେ ଲୁଚି ରହିଥିଲା କଳା ଧନ । ଟଙ୍କା ଗଣି ଗଣି କେତେ ବେଳେ ମେସିନ ଖରାପ ତ ଆଉ କେତେ ବେଳେ ହାଲିଆ ହେଉଥିଲେ ଅଧିକାରୀ । ନଜର ପକାନ୍ତୁ ଚଳିତ ବର୍ଷର ଏପରି କିଛି ଚର୍ଚ୍ଚିତ ଖବର ଉପରେ ।

ପୂର୍ବତନ ରେଳ ଅଧିକାରୀଙ୍କ ଘରୁ ଦେଢ କୋଟି କ୍ୟାସ୍ ଜବତ

ବର୍ଷ ଆରମ୍ଭରୁ ଜାନୁଆରୀ ୩ ତାରିଖରେ ପୂର୍ବତଟ ରେଳପଥର ପୂର୍ବତନ‌ ପ୍ରିନ୍ସପାଲ ଚିଫ ଅପରେସନାଲ ମ୍ୟାନେଜର ପ୍ରମୋଦ କୁମାର‌ ଜେନା ଘରେ ରେଡ କରିଥିଲା ସିବିଆଇ । ଆୟ ବହିର୍ଭୂତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ ବେଳେ ପୂର୍ବତନ ରେଳ ଅଧିକାରୀଙ୍କ ଘରୁ ମିଳିଥିଲା ନଗଦ ବିଡା ବିଡା ଟଙ୍କା। ଯାହା ଦେଖି ସିବିଆଇର ଅଫିସର ଚମିକି ପଡିଥିଲେ । କଟକ ଭୁବନେଶ୍ୱର ଜଗତସିଂହପୁରର ପରି ୭ଟି ଟି ସ୍ଥାନରେ ରେଡ ବେଳେ ମିଳିଥିଲା ଟଙ୍କା ଆଉ ଗହଣା। ସେପ୍ଟେମ୍ବର ସୁଧା ରେଡ ଶେଷ ବେଳକୁ ୧୭ କେଜି ସୁନା ସହ ୧ କୋଟି ୯୭ ଲକ୍ଷ ନଗଦ ଟଙ୍କା ଜବତ ହୋଇଥିବା ସିବିଆଇ ଦେଇଥିଲା ସୂଚନା । IRCTC ୧୯୮୭ ବ୍ୟାଚର ଅଫିସର ଆୟ ଠାରୁ ୬୯ପ୍ରତିଶତ ଅଧିକ ଟଙ୍କା ସଞ୍ଚୟ କରିବା ଘଟଣା ସାରା ଓଡ଼ିଶାକୁ ଚକିତ କରିଥିଲା।

ଓଡିଶା ଆସୁଥିବା ବସରୁ ୭କୋଟି ଟଙ୍କା ଜବତ

୬ ଏପ୍ରିଲରେ ଝାଡ଼ଖଣ୍ଡ ଗୁମଲା ପୋଲିସକୁ ମିଳିଥିଲା ବିପୁଳ ପରିମାଣର କ୍ୟାସ। ଓଡ଼ିଶା ଆସୁଥିବା ଯାତ୍ରୀବାହୀ ବସ‌ରେ ବ୍ୟାଗ ଭର୍ତ୍ତି ଟଙ୍କା ଚାଲାଣ ବେଳେ ଧରାପଡ଼ିଥିଲା। ୫ଟି ବ୍ୟାଗରୁ ପ୍ରାୟ ଜବତ ହୋଇଥିଲା ୭ କୋଟିର ନଗଦ ଟଙ୍କା। ଟଙ୍କା କାହାର ଓ ବସରେ କିଏ ଆଣୁ ଥିଲା ଟଙ୍କା ସେନେଇ ତଦନ୍ତ ଆରମ୍ଭ ହୋଇଥିଲା। ଓଡ଼ିଶା ବର୍ଡରରେ ଝାରଖଣ୍ଡ ପୋଲିସର ସର୍ଚ୍ଚ ଅପରେସନ ବେଳେ ମିଳିଥିଲା ବସରୁ ମିଳିଥିଲା ଟଙ୍କା ବ୍ୟାଗ। ଏହି ଘଟଣାରେ ଜଣେ ଓଡ଼ିଆ ଯୁବକଙ୍କୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟ ୨ ଅଭିଯୁକ୍ତ ଫେରାର ହୋଇଯାଇଥିଲେ।

ଏହା ମଧ୍ୟ ପଢନ୍ତୁ-ସ୍ବାସ୍ଥ୍ୟ କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତ୍ତନ, BSKYଠୁ ବିଶ୍ବସ୍ତରୀୟ ହବ୍ ସବୁଥିରେ ନମ୍ବର-1


ଜୁଏଲାରୀ ସଂସ୍ଥା ଆଳରେ ଠକେଇ, କୋଟି କୋଟି ଟଙ୍କା ଜବତ


୬ ସେପ୍ଟେମ୍ବରରେ ଇଡି କରିଥିଲା ବଡଧରଣର ରେଡ୍ । ରାଜ୍ୟ ସମେତ ଦେଶର ବିଭିନ୍ନ ବିଲ୍ଡର ସଂସ୍ଥା ଉପରେ ରେଡ ମାରିଥିଲା ଇଡି। ହାଉସିଂ ଲୋନ ନେଇ ୟୁନାଇଟେଡ ବ୍ୟାଙ୍କକୁ ଠକେଇ ଅଭିଯୋଗରେ‌ ରେଡ କରୁଥିଲା ଇଡି । ଦ୍ବାରିକା ଜୁଏଲର ସଂସ୍ଥା ସମେତ GDS ବିଲ୍ଡର, ସୁରନାଗ ବିଲ୍ଡର, ଦ୍ବାରକା ବିଲ୍ଡର ,ଦ୍ବାରିକା ଜୁଏଲର ଆଦି ଏକାଧିକ ସ୍ଥାନରେ ରେଡ ପ୍ରଥମେ ସିବିଆଇ ଯାଞ୍ଚ କରିଥିଲା । ପରେ ପରେ ଏହି ଘଟଣାରେ‌ ମଧ୍ୟ ଇଡି ରେଡ କରିଥିଲା । ରେଡ ବେଳେ ସିବିଆଇ ୫୦ ଲକ୍ଷ ଟଙ୍କାର ନଗଦ କ୍ୟାସ ଜବତ କରିଥିଲା ବିଭିନ୍ନ ସ୍ଥାନରୁ। ୧କେଜିରୁ ଊର୍ଦ୍ଧ୍ବ ସୁନା ଅଳଙ୍କାର ସହ 19 କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ସିଜ୍ କରିଥିଲା । ୨୦୧୭ ମସିହାରେ ନୟାପଲ୍ଲୀ ୟୁନାଇଟେଡ଼ ବ୍ୟାଙ୍କରୁ ହାଉସି ଲୋନ ସ୍କିମରେ ୧୮କୋଟି ୭୯ଲକ୍ଷ ନେଇ ଚଳୁ କରିଥିଲା ସଂସ୍ଥା । ଏହାର ମାଲିକ ଉମାଶଙ୍କର ପାତ୍ର ଯେକି ଜିଡିଏସ ଓ ସୁରନାଗ ଓ ଦ୍ବାରିକା ଜୁଏଲର ଭଳି ସଂସ୍ଥା କରି ଟଙ୍କା ଚଳୁ କରିଥିବାର ଅଭିଯୋଗ ରହିଥିଲା । ପୂର୍ବରୁ ୧୮ମେରେ ଏହି ସଂସ୍ଥାରେ ସିବିଆଇ ରେଡ୍ କରିଥିଲା ।

ଡିଏନ ଗ୍ରୁପ ମ୍ୟାନେଜରଙ୍କ ଘରୁ ଟ୍ରଙ୍କ ଟ୍ରଙ୍କ ଟଙ୍କା ଜବତ


୭ ଜୁନରେ ଡିଏନ ଗ୍ରୁପ ଉପରେ ଆୟକର ବିଭାଗ କରିଥିଲା ଚଢ଼ାଉ। ଚଢ଼ାଉ ବେଳେ ଡିଏନ ଗ୍ରୁପର ମ୍ୟାନେଜରଙ୍କ ଘରୁ ବିପୁଳ ପରିମାଣର ନଗଦ ଟଙ୍କା ଜବତ ହୋଇଥିଲା । ପୁଳା ପୁଳା ଟଙ୍କା ବିଡା, ସେଲ୍ ଡିଡ୍ର ଓ ରସିଦ କପି ସହ କିଛି ମନି ଭାଉଚର ଜବତ ହୋଇଥିଲା । ଡିଏନ ଗ୍ରୁପ ସହ କାରବାର ହୋଇଥିବା ଏହି ପୁଳା ପୁଳା ଟଙ୍କା ମ୍ୟାନେଜର ଚନ୍ଦ୍ରଶେଖର ପଣ୍ଡାଙ୍କ ନିକଟରୁ ଜବତ ପରେ ଚର୍ଚ୍ଚାକୁ ଆସିଥିଲା ଏମଏଲଏ କଲୋନୀ ପଛପଟେ ଥିବା ପୋଷ୍ଟାଲ କଲୋନୀର ସରକାରୀ ଘର। ସରକାରୀ କ୍ବାଟରରୁ ୩୦କୋଟି ଟଙ୍କାର କ୍ୟାସ ଜବତ କରିଥିଲା ଆୟକର ବିଭାଗ। ପୋଷ୍ଟାଲ କଲୋନିର ୧୨୨ନମ୍ବର କ୍ବାଟର। ଯେଉଁଠି ରହୁଥିଲେ ଡିଏନ ଗ୍ରୁପର ମ୍ୟାନେଜର ଚନ୍ଦ୍ରଶେଖର ପଣ୍ଡା।ଯାହାଙ୍କୁ ଟ୍ରାକ କରି କରି କେବଳ ତାଙ୍କ କ୍ବାଟର ନୁହେଁ ପାଖ କ୍ବାଟର ୧୦୪ରେ ମଧ୍ୟ ଜବତ ହୋଇଥିଲା କୋଟି କୋଟିର ଟ୍ରଙ୍କ ଟ୍ରଙ୍କ ଟଙ୍କା ବିଡା। ଆଉ ଡିଏନ ଗ୍ରୁପର ଆୟକର ସମ୍ପର୍କିତ ଯାଞ୍ଚ ଜାରି ରଖିଥିଲା ଆୟକର ବିଭାଗ।

ଏହା ମଧ୍ୟ ପଢନ୍ତୁ-୨୦୨୩ର ଚର୍ଚ୍ଚିତ ହତ୍ୟାକାଣ୍ଡ ଓ ଡେଥ୍‌ ମିଷ୍ଟ୍ରି: ବୋହିଥିଲା ରକ୍ତ ନଦୀ, ଦୋହଲାଇ ଥିଲା ପାଓ୍ବାର କରିଡର


ଅତିରିକ୍ତ ଜିଲ୍ଲାପାଳଙ୍କ ଘରୁ କୋଟି କୋଟି ଟଙ୍କା


୨୩ ଜୁନରେ ଭିଜିଲାନ୍ସ ପକ୍ଷରୁ ହୋଇଥିଲା ବଡ଼ ଧରଣର ଚଢ଼ାଉ। ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ଘରେ ରେଡ୍ ହୋଇଥିଲା। ।ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଏହି ଅଧିକାରୀଙ୍କ ବିଭିନ୍ନ ସ୍ଥାନରେ ରେଡ ବେଳେ ସାମ୍ନାକୁ ଆସିଥିଲା ଟଙ୍କାର ସାମ୍ରାଜ୍ୟ। ଭୁବନେଶ୍ୱର କାନନ ବିହାର ସ୍ଥିତ HIG-115 ରେଡ ବେଳେ ଘର ଉପରୁ ଟଙ୍କା ପେଟି ନେଇ ପଡ଼ିଶା ଘରେ ଲୁଚାଇବା ଘଟଣା ଆସିଥିଲା ସାମ୍ନାକୁ। ରେଡ୍ ବେଳେ ପୁଳ ପୁଳା ଟଙ୍କା ବଣ୍ଡଲ ସହ ଅନେକ ବ୍ୟାଙ୍କ ଡିପୋଜିଟ ପାସବୁକ ଓ ଇନସୁରାନସ ବଣ୍ଡ ଠାବ କରିଥିଲା ଭିଜିଲାନ୍ସ ଟିମ୍। ଟଙ୍କାର ବଣ୍ଡଲ ଦେଖି ତାଜୁବ ହୋଇଯାଇଥିଲେ ଭିଜିଲାନ୍ସ ଅଧିକାରୀ । ପ୍ରଥମେ ହାତରେ ଗଣି ଗଣି ପାଖାପାଖି ୩ କୋଟି ର ନଗଦ ଟଙ୍କା ଠାବ କରିଥିଲେ ଭିଜିଲାନ୍ସ ଅଧିକାରୀ।


ଲୁଟେରାଙ୍କ ଠାରୁ ଲୁଟ୍ ୧କୋଟି ଟଙ୍କା ଜବତ

୨୭ ଅଗଷ୍ଟରେ ସିବିଆଇ ଆଳରେ ଲୁଟେରା ଘରେ ପଶି ଲୁଟ ଘଟଣାର‌ ପର୍ଦ୍ଦାଫାସ କରିଥିଲା କମିଶନରେଟ ପୋଲିସ। ୨ ଅଗଷ୍ଟରେ ଇନଫୋସିଟି ଥାନା ନନ୍ଦନ ବିହାର ଥାନା ଅଞ୍ଚଳରୁ ନିବାରଣ ପାଣିଙ୍କ ଘରୁ ୨କୋଟି ଲୁଟ ଘଟଣାର ପର୍ଦ୍ଦାଫାସ ବେଳେ ଲୁଟେରାଙ୍କ ଠାରୁ କୋଟିଏ ୨ ଲକ୍ଷ ନଗଦ ଟଙ୍କା ଜବତ କରିଥିଲା ପୋଲିସ। ଲୁଟ୍ କରିଥିବା ୫ ଲୁଟେରାଙ୍କୁ ପୋଲିସ ଗିରଫ ସହ କିପରି ସିବିଆଇ କହି ଘରେ ପଶି ଲୁଟିଥିଲେ ୨କୋଟି ଓ ଅଳଙ୍କାର ତାକୁ ଜବତ କରାଯାଇଥିଲା। ଯା‌ହାକି କମିଶନରେଟ୍ ପୋଲିସ ଇତିହାସରେ ପ୍ରଥମ ଘଟଣା ଥିଲା ।

ହେଲଥ ଅଫିସରଙ୍କ ଘରୁ ପୁଳା‌ପୁଳା ବିଦେଶୀ ଟଙ୍କା

୧୩ ଅକ୍ଟୋବର ପାରାଦ୍ବୀପ ବନ୍ଦର ସ୍ବାସ୍ଥ୍ୟ ସଂଗଠନ ଅଧିକାରୀଙ୍କ ଘରେ ସିବିଆଇ ମାରିଥିଲା ରେଡ୍ । ଜଣେ କର୍ମଚାରୀଙ୍କ ସ୍ବାସ୍ଥ୍ୟ ରିପୋର୍ଟ ଦେବା ପାଇଁ ୫୦ହଜାର‌ ଲାଞ୍ଚ ନେବା ବେଳେ ସିବିଆଇ କରିଥିଲା ଟ୍ରାପ। ଆଉ ଡ଼ାକ୍ତରଙ୍କ ଘରେ ରେଡ ବେଳେ ମିଳିଥିଲା ବିଡାବିଡା ନଗଦ ବିଦେଶୀ ଟଙ୍କା । ଏଥି ସହ ଦାମି ମଦ ସହ ସିଗାରେଟ ଓ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କାର କ୍ୟାସ ଜବତ କରାଯାଇଥିଲା। ୧୨ତାରିଖ ସନ୍ଧ୍ୟା ପରଠାରୁ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କ ବିଭିନ୍ନ ଠିକଣାରେ ରେଡ୍ କରିଥିଲା ସିବିଆଇ । ଆୟ ବହିର୍ଭୂତ୍ତ ସମ୍ପତ୍ତି ଖୋଳତାଡ଼ ସହ କିପରି ବୈଦେଶିକ ଟଙ୍କା ଅର୍ଜନ କରିଥିଲେ ସେ ନେଇ ମଧ୍ୟ ଛାନଭିନ କରିଥିଲା ସିବିଆଇ ।

ଚୋରଙ୍କ ପାଖରୁ ବିପୁଳ ପରିମାଣର ଚୋରି‌ ଟଙ୍କା ଜବତ


୨୬ ଅକ୍ଟୋବରରେ ଭୁବନେଶ୍ୱରୁ ବିପୁଳ ପରିମାଣର‌ କ୍ୟାସ ଜବତ କରିଥିଲା କମିଶନରେଟ ପୋଲିସ। ୫ଜଣ ଅଭିଯୁକ୍ତଙ୍କ ଠାରୁ ଜବତ ହୋଇଥିଲା ୨୬ଲକ୍ଷ ନଗଦ ଟଙ୍କା। ସମସ୍ତ ଟଙ୍କା ୫୦୦ ଟଙ୍କିଆ ହୋଇଥିବା ବେଳେ ମାଟି ତଳେ ଲୁଚାଇ ରଖିଥିଲେ ଟଙ୍କା। ଖଣ୍ଡଗିରିର ଜଣେ ବ୍ୟକ୍ତିଙ୍କ ଘରୁ ହାଇପ୍ରୋଫାଇଲ ଚୋରି ଘଟଣାରେ ଜବତ ହୋଇଥିଲା କ୍ୟାସ। ପ୍ରକୃତି ବିହାରରୁ ଜଣେ ବ୍ୟକ୍ତି ବାହାଘର‌ ପାଇଁ ଟଙ୍କା ରଖିଥିବା ବେଳେ ଚୋରି କରି ନେଇଥିଲେ ଚୋର। କମିଶନରେଟ ପୋଲିସ ଚୋରି ୨୬ଲକ୍ଷ ଟଙ୍କା ସହ ୫ଜଣ କୁଖ୍ୟାତ ଚୋରଙ୍କୁ ଗିରଫ କରିଥିଲା ।

ବୈପାରିଗୁଡ଼ା ଆଇଆଇସିଙ୍କ ଘରୁ ୫୭ ଲକ୍ଷ ନଗଦ ଟଙ୍କା ଜବତ


୨୮ନଭେମ୍ବରରେ ୨ ଦିନ ଛୁଟି ନେଇ ଗୋଟିଏ ଘରୋଇ ବସରେ କଟକ ଅଭିମୁଖେ ଯାଉଥିଲେ ଇନସ୍ପେକ୍ଟର ସୁଶାନ୍ତ ଶତପଥି । ସେ ଲକ୍ଷାଧିକ ନଗଦ ଟଙ୍କା ନେଇ ଯାଉଥିବା ଖବର ପାଇଥିଲା ଭିଜିଲାନ୍ସ । ଏହାପରେ ବସ ଟାଙ୍କୁଆ ନିକଟରେ ପହଞ୍ଚିବା ପୂର୍ବରୁ ଭିଜିଲାନ୍ସ ସେଠାରେ ପହଞ୍ଚି ବସ ଅଟକ ରଖି ତାଙ୍କୁ ପଚରାଉଚରା କରିଥିଲା । ବସରେ ବୈପାରିଗୁଡା ଥାନା ଅଧିକାରୀଙ୍କ ବ୍ୟାଗରୁ ନଗଦ 2 ଲକ୍ଷ 70 ହଜାର ଟଙ୍କା ବାହାରିବା ପରେ ଭିଜିଲାନ୍ସ ତାଙ୍କ ଘରେ ରେଡ ମାରିଥିଲା । ଏହାପରେ ସରକାରୀ କ୍ବାଟର, ଆଇଆଇସି ଚାମ୍ବରରୁ ମିଳିଥିଲା ଲକ୍ଷାଧିକ ଟଙ୍କା। ଥାନାଧିକାରୀଙ୍କଠୁ ୫୭ଲକ୍ଷ ନଗଦ ଟଙ୍କା ବିଡା ଜବତ ହେବା ପରେ ତାଜୁବ ହୋଇଥିଲା ପୋଲିସ ମହଲ ସହ‌ ପୁରା ରାଜ୍ୟ ।

ମଦ ବ୍ୟବସାୟୀଙ୍କ ଘରେ ଟଙ୍କାର ପାହାଡ


ଡିସେମ୍ବର ୬ ତାରିଖରେ ରାଜ୍ୟରେ ଏକ‌ବଡ ଧରଣର ଆଇଟି ରେଡ୍ ହୋଇଥିଲା। ମଦ ପାଇଁ ପ୍ରସ୍ତୁତ ହେଉଥିବା ସ୍ପିରିଟ ପ୍ରସ୍ତୁତକାରୀ କମ୍ପାନୀ ବୌଦ୍ଧ ଡିଷ୍ଟ୍ରିଲାରୀ ପ୍ରାଲି ଉପରେ ଆୟକର ବିଭାଗ ଚଢ଼ାଉ କରିଥିଲା । ଏକକାଳୀନ ଭାବେ‌ ରାଜ୍ୟର ୧୫ଟି ସ୍ଥାନରେ ଚଢାଉ କରାଯାଇଥିଲା। ରାୟଗଡ଼ା ଗୁଣୁପୁର ସମେତ ଭୁବନେଶ୍ୱରେ ଏୟାରପୋର୍ଟ ଅଞ୍ଚଳରେ ଥିବା ଅଫିସ ସମେତ କମ୍ପାନୀର କୋର କମ୍ପାନୀ ଅଫିସ ମାନଙ୍କରେ ରେଡ ଜାରି ରହିଥିଲା। ଆଉ ସେତେ ବେଳେ‌ ପୁଳା‌ପୁଳା ନଗଦ ଟଙ୍କା ଜବତ ହୋଇଥିଲା । ଯାହା ପୁରା ଓଡ଼ିଶାକୁ ତାଜୁବ କରିଥିଲା। ଏପରିକି ଯୁଆଡ଼େ ରେଡ ହେଲା ସେଠୁ ପୁଳା ପୁଳା ଟଙ୍କା ଜବତ ହେଲା ବସ୍ତାରେ ବୁହା ହୋଇ ବ୍ୟାଙ୍କରେ ପହଞ୍ଚିଥିଲା ଟଙ୍କା। ଟଙ୍କା ଗଣିବା ପାଇଁ ମେସିନ୍ ସହ ଅଧିକାରା ବି ହାଲିଆ ହୋଇଥିଲେ‌ । ଆଉ ଦୀର୍ଘ ୭ଦିନ ଧରି ରେଡ ବେଳେ ସାମ୍ନାକୁ ଆସିଥିଲା ସାଂସଦ ଧିରଜ ସାହୁ ଲିଙ୍କ । ପାଖାପାଖି ୩୫୧ କୋଟି ନଗଦ ଟଙ୍କା ଜବତ କରାଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Dec 29, 2023, 2:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.